/odisha-reporter/media/post_attachments/uploads/2022/09/fighting.jpg)
fighting
ଝାରସୁଗୁଡ଼ା(ଭାଗିରଥୀ ସାହୁ): ମା’ ଓ ପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳିର ସମାଧାନ କରିବାକୁ ମଧ୍ୟସ୍ଥି ସାଜିଲା ପୁଅ। ହେଲେ କଳି ତୁଟିବା ପରିବର୍ତ୍ତେ ବଢ଼ି ଚାଲିବାରୁ ନିଜ ହିତାହିତ ଜ୍ଞାନ ଭୁଲି ବସିଲା ପୁଅ। ଶେଷରେ ଏକ ଶିଳପୁଆରେ ଛେଚି ଉଭୟ ମା’ ପତ୍ନୀଙ୍କୁ ହତ୍ୟା କରିଛି ଅଭିଯୁକ୍ତ। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ମିସ୍ତ୍ରୀପଡ଼ାରେ ଘଟିଛି। ମୃତ ମହିଳାଦ୍ୱୟ ହେଲେ ଝିମ ଖଡ଼ିଆ (୮୦) ଓ ତାଙ୍କ ବୋହୁ ସାଏବାନୀ ଖଡ଼ିଆ (୫୮) । ଏହି ଘଟଣାର ଅଭିଯୁକ୍ତ କୁଲଥୁ ଖଡିଆକୁ ପୁଲିସ୍ ଗିରଫ କରିଛି।
ସୂଚନାଯୋଗ୍ୟ, ଆଦିବାସୀବହୁଳ ମିସ୍ତ୍ରୀପଡ଼ାରେ କୁଲଥୁ ଖଡିଆ ନିଜ ପରିବାର ସହ ବସବାସ କରନ୍ତି। ହେଲେ ତାଙ୍କ ପତ୍ନୀ ଓ ମା’ଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରୁହେ। ଗତକାଲି ମଧ୍ୟ ଉଭୟ ଝିମ ଖଡ଼ିଆ ଓ ତାଙ୍କ ବୋହୂ ସାଏବାନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ଝଗଡ଼ା ଲାଗିଥିଲା। ଏହି ସମୟରେ ଘରକୁ ଆସିଥିବା କୁଲଥୁ ଉଭୟଙ୍କ ଝଗଡ଼ାର ସମାଧାନ କରିବାକୁ ଚେଷ୍ଟା କରି କୌଣସି ସୁଫଳ ପାଇଲେ ନାହିଁ।
ଏହାପରେ ସେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଶିଳପୁଆରେ ଉଭୟ ଶାଶୁ, ବୋହୂଙ୍କ ମୁଣ୍ଡକୁ ଛେଚିଦେଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁଲଥୁଙ୍କୁ ଗିରଫ କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
