Advertisment

ଖେଳ ପଡ଼ିଆକୁ ରାସ୍ତା କରିବାକୁ ପାଣ୍ଠି ଆସିଥିଲା, ଚାଷ ଜମିକୁ ରାସ୍ତା କଲେ ଜେଇ ଓ ଠିକାଦାର

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସର୍ଗୁଲ ପଞ୍ଚାୟତର ଛଞ୍ଚାଣି ଗାଁରେ ଏଭଳି ସରକାରୀ ଅର୍ଥ ବାଟବଣାର ଚିତ୍ର ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
playground road

playground road

Advertisment

ଖେଳ ପଡ଼ିଆକୁ ରାସ୍ତା କରିବାକୁ ସରକାରୀ ପାଣ୍ଠି ଆସିଥିଲା। ହେଲେ ଗାଁର ଚାଷ ଜମିରେ ରାସ୍ତା ତିଆରି ହେଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ରାତାରାତି ଫଳକ ବିବରଣୀ ବଦଳିଲା ସତ। କିନ୍ତୁ ରାତିକ ପୂର୍ବରୁ ଯେଉଁ ଫଳକରେ ଖେଳ ପଡ଼ିଆକୁ ରାସ୍ତା କଂକ୍ରିଟକରଣରେ ୭ ଲକ୍ଷ ୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଥିଲା। ରାତି ପାହିବା ବେଳକୁ ସେହି ଫଳକ ଉପରେ ରଙ୍ଗ ବୋଳି ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ୬ ଲକ୍ଷ ୮ ହଜାର ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଛି। ଯାହାକୁ ନେଇ ଗାଁ ଲୋକେ ତାଜୁବ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସର୍ଗୁଲ ପଞ୍ଚାୟତର ଛଞ୍ଚାଣି ଗାଁରେ ଏଭଳି ସରକାରୀ ଅର୍ଥ ବାଟବଣାର ଚିତ୍ର ସାମ୍ନାକୁ ଆସିଛି।

Advertisment

ତେବେ ସତ ଲୁଚାଇବାକୁ ବାବୁ କହିଛନ୍ତି ଏହା ମିସ୍‌ କମ୍ୟୁନିକେସନ ଯୋଗୁ ହୋଇଯାଇଛି। ଏବେ ଖେଳ ପଡ଼ିଆକୁ ରାସ୍ତା ନିର୍ମାଣ ହେବ। ଏନେଇ ଲୋକଙ୍କ ଉପସ୍ଥିତିରେ ବୈଠକ କରାଯାଇ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକେ କହିଛନ୍ତି, ଚାଷ ଜମିକୁ ରାସ୍ତା କରି ଠିକାଦାର ଓ ଯନ୍ତ୍ରୀ ସରକାରୀ ଅର୍ଥ ହଡ଼ପ ଯୋଜନା କରିଛନ୍ତି। ଯାହା ଧରାପଡ଼ିଛି। ଲକ୍ଷାଧିକ ଟଙ୍କା ଅଯଥାରେ ଖର୍ଚ୍ଚ କରାଯାଇଛି। ଏହାକୁ କିଏ ଭରଣା କରିବ?

ଗ୍ରାମବାସୀ ଟିକେଶ୍ୱର ବହିଦାର, ରବିଶଙ୍କର ବହିଦାର, ସର୍ଜନ ନାଏକ, ନିତେଇ ପାଲଙ୍କ ଅଭିଯୋଗ ମୁତାବକ, ଛଞ୍ଚାଣି ଗାଁରେ ଥିବା ଖେଳ ପଡ଼ିଆକୁ ରସ୍ତା ନିର୍ମାଣ ନିମନ୍ତେ ଚଳିତ ଆର୍ଥିକ ବର୍ଷ ସରକାରୀ ପାଣ୍ଠି ମଞ୍ଜୁର ହୋଇଥିଲା। ହେଲେ ଲୋକେ ଏବାବଦରେ ଜାଣି ନ ଥିଲେ। ତେଣେ ଗ୍ରାମର ବ୍ୟକ୍ତିଗତ ଚାଷ ଜମିକୁ ଯାତାୟତ ରାସ୍ତାକୁ ହଠାତ୍ କଂକ୍ରିଟ କରଣ କରାଯାଇଥିଲା। ଲୋକେ ଏହା କିଏ ଓ କେଉଁଥି ପାଇଁ କରୁଛି ବୁଝି ପାରୁ ନ ଥିଲେ। ହଠାତ୍ ଏହି ରାସ୍ତା ନିର୍ମାଣକୁ ଅଧାରେ ବନ୍ଦ କରି ଦିଆଯାଇଥିଲା ଓ ଚଳିତ ମାସ ୨୩ ତାରିଖରେ ଫଳକ ଲଗାଇ ଦିଆଯାଇଥିଲା। ଯେଉଁଥିରେ ଖେଳ ପଡ଼ିଆକୁ ରାସ୍ତା କଂକ୍ରିଟକରଣରେ ୭ ଲକ୍ଷ ୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଥିଲା। ଯାହାକୁ ଦେଖି ଲୋକେ ତାଜୁବ୍ ହୋଇଥିଲେ। ଏହା ଖେଳ ପଡ଼ିଆକୁ ରାସ୍ତା ହୋଇ ନ ଥିବାରୁ ସରକାରୀ ଅର୍ଥ ଦୁର୍ନୀତି ହୋଇଥିବା ଜାଣିପାରିଥିଲେ। ଏହିଦିନ ଗ୍ରାମବାସୀ ଏକାଠି ହୋଇ ବିଡିଓଙ୍କ ଅଫିସ୍‌ରେ ପହଞ୍ଚି ଘଟଣାର ତଦନ୍ତ ଦାବି କରିଥିଲେ। ଲୋକେ ଜିଦ୍‌ରେ ଅଟଳ ରହି ବିଡିଓ ଅଫିସ୍ ଭିତରେ ଧାରଣା ଦେବାରୁ ଅଲୋଚନା ବୈଠକ ହୋଇଥିଲା।

Advertisment
roadଚାଷ ଜମିକୁ ହୋଇଥିବା ରାସ୍ତା

ରାସ୍ତା ନିର୍ମାଣ ଭୁଲ ବୁଝାବଣାରୁ ହୋଇଥିବା ଦର୍ଶାଇବା ସହ ଖେଳ ପଡ଼ିଆକୁ ରାସ୍ତା କରାଯିବ ବୋଲି ବିଡିଓ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯାହା ପରେ ଲୋକେ ଘରକୁ ଫେରି ଆସିଥିଲେ। ହେଲେ ଏହା ପରଦିନ ଅର୍ଥାତ୍ ୨୪ ତାରିଖରେ ଫଳକରେ ରଙ୍ଗ ବୋଳି ବଦଳାଇ ଦିଆଯାଇଛି। ଫଳକରେ ଛଞ୍ଚାଣି ଗ୍ରାମକୁ ରାସ୍ତା କଂକ୍ରିଟ କରଣରେ ୬ ଲକ୍ଷ ୮ ହଜାର ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଛି। ଯାହା ସରକାରୀ ଅର୍ଥ ଦୁର୍ନୀତିକୁ ପଦାରେ ପକାଇଛି। କଂକ୍ରିଟ ରାସ୍ତା ଖେଳ ପଡିଆକୁ ତିଆରି ହେବା ବଦଳରେ ଚାଷ ଜମିକୁ ତିଆରି ହୋଇଛି। କିନ୍ତୁ ଖେଳ ପଡିଆ ରାସ୍ତା ମରଣଯନ୍ତା ପାଳଟିଛି। ଏଠି ଜେଇ ଓ ଠିକାଦାର ଲକ୍ଷଲକ୍ଷ ଟଙ୍କାକୁ ହରିଲୁଟ୍ କରିବା ପାଇଁ ଖେଳ ପଡିଆ ବଦଳରେ ଚାଷ ଜମିକୁ ରାସ୍ତା ତିଆରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

roadଖେଳପଡ଼ିଆକୁ ରାସ୍ତା ହୋଇଥିବା ଲାଗିଛି ଫଳକ।

ଏନେଇ ରାସ୍ତା କାମ ତଦାରଖ କରୁଥିବା ଜେଇ ଅର୍ଚ୍ଚନା ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଠିକାଦାର ସତ୍ୟ ଦାସଙ୍କୁ ଦୁଇଟି କାମ ମିଳିଥିଲା। ବ୍ଲକ ଓ ପଞ୍ଚାୟତରୁ ଦୁଇଟି ଯାକ କାମ ସିଏ କରୁଛନ୍ତି। ଭୁଲ ବଶତଃ ଏପଟ କାମ ସେପଟେ ଫଳକରେ ଲେଖିଦେଇଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ଡୁଙ୍ଗୁରିପାଲି ଏବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ର କହିଛନ୍ତି, ଦୁର୍ନୀତି କିଛି ହୋଇନି। ଭୁଲ ବୁଝାମଣା ଯୋଗୁ ଫଳକରେ ଭୁଲ ତଥ୍ୟ ଲେଖି ହୋଇଥିଲା। ଏହା ଠିକ୍ କରାଯାଇଛି।

roadଗ୍ରାମବାସୀଙ୍କ ଅଭିଯୋଗ ପରେ ବଦଳିଥିବା ଫଳକର ଚିତ୍ର

ଠିକାଦାର ସତ୍ୟନାରାୟଣ ଦାସ କହିଛନ୍ତି, ଯେଉଁ ଖେଳ ପଡ଼ିଆକୁ ରାସ୍ତା ନିର୍ମାଣ ହେବା କଥା ହୋଇନି। ସେଠାକୁ ରାସ୍ତା ତିଆରି ହେବ। ଏଥିପାଇଁ ନୂଆ ଫଳକ ନିର୍ମାଣ ହୋଇଛି। ଭୁଲ ବୁଝାମଣାରୁ ଚାଷ ଜମିକୁ ରାସ୍ତା ହୋଇଯାଇଥିଲା। ଏନେଇ ପ୍ରଶାସନିକ ବୈଠକରେ ଆଲୋଚନା ହୋଇଛି।

ରିପୋର୍ଟ- ବିନିକାରୁ ଦିଲୀପ କୁମାର ସାହୁ

Govt. Scheme Mismanagement Odisha Governance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe