‘ ହେ ଶିକ୍ଷାବିତ କୁହ, ପ୍ରଥମେ ଅକ୍ଷର ନା ପ୍ରଥମେ ଅଙ୍କ ’

ସମସ୍ତଙ୍କ ସାମନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏପରି ପ୍ରଶ୍ନ ବାଣରେ ଘାଇଲା କଲେ କଂସ ମହାରାଜା । ସଭା ମଞ୍ଚରେ କଂସ ମହାରାଜାଙ୍କ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ପାରିଲେନି ଗୋଷ୍ଠୀ ଶିକ୍ଷା ଅଧିକାରୀ ।

କଂସ ମହାରାଜାଙ୍କ ପ୍ରଶ୍ନବାଣରେ ଘାଇଲା ବିଇଓ ।

  • Published: Saturday, 11 February 2023
  • , Updated: 11 February 2023, 09:55 AM IST

‘ହେ ଶିକ୍ଷାବିତ କୁହ, ପ୍ରଥମେ ଅକ୍ଷର ନା ପ୍ରଥମେ ଅଙ୍କ । ମହିମଣ୍ଡଳରେ କ’ଣ ପ୍ରଥମେ ସୃଷ୍ଟି ହୋଇଥିଲା। ପ୍ରଥମେ ଅ, ଆ ନା ପ୍ରଥମେ ୧,୨, ୩,୪ ।’

ସମସ୍ତଙ୍କ ସାମନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏପରି ପ୍ରଶ୍ନ ବାଣରେ ଘାଇଲା କଲେ କଂସ ମହାରାଜା । ସଭା ମଞ୍ଚରେ କଂସ ମହାରାଜାଙ୍କ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ପାରିଲେନି ଗୋଷ୍ଠୀ ଶିକ୍ଷା ଅଧିକାରୀ । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉତ୍ତର କଂସ ମହାରାଜାଙ୍କ ମନକୁ ପାଇଲାନି। ଏପରି ଦୃଶ୍ୟ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଧନୁଯାତ୍ରାରେ ଦେଖିବାକୁ ମିଳିଛି ।

ସୁବଳୟାରେ ପ୍ରଥମ କରି ଆୟୋଜିତ ହେଉଛି ଧନୁଯାତ୍ରା । ଏଥିନିମନ୍ତେ ପ୍ରତ୍ୟେକ ଦିନ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକଙ୍କୁ ଅତିଥି ରୂପେ ନିମନ୍ତ୍ରିତ କରାଯାଉଛି। ଗତକାଲି କଂସ ମହାରାଜଙ୍କ ରଙ୍ଗସଭାକୁ ଅତିଥି ହୋଇ ଆସିଥିଲେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ସାନ୍ତନୁ କୁମ୍ଭକାର । ମହାରାଜ କଂସ ରଙ୍ଗ ସଭାରେ ଅତିଥିଙ୍କୁ ସ୍ୱାଗତ ସହ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ।

କଂସ ମହାରାଜା ବିଇଓଙ୍କୁ କହିଥିଲେ, ହେ ଶିକ୍ଷାବିତ କୁହ ଅକ୍ଷର କାହାକୁ କହନ୍ତି। ଏହାର ଉତ୍ତରରେ ବିଇଓ କହିଥିଲେ ପ୍ରଥମେ ଲିପି ଓ ପରେ ଅକ୍ଷର ସୃଷ୍ଟି ହେଲା । ହେଲେ ଏହା କଂସ ମହାରାଜାଙ୍କ ପସନ୍ଦ ହୋଇ ନ ଥିଲା। ସେ କହିଥିଲେ, ପ୍ରତ୍ୟେକ ଭାଷାର ସାଙ୍କେତିକ ଚିହ୍ନକୁ ଅକ୍ଷର କୁହାଯାଏ ।

ଏହାପରେ କଂସ ମହାରାଜାଙ୍କ ପ୍ରଶ୍ନ ଥିଲା ପ୍ରଥମେ ଅକ୍ଷର ନା ଅଙ୍କ । ପ୍ରଥମେ ମହିମଣ୍ଡଳରେ କ’ଣ ସୃଷ୍ଟି ହୋଇଥିଲା। ପ୍ରଥମେ ଅ, ଆ ନା ପ୍ରଥମେ ୧,୨, ୩,୪ ।

ଏହାର ଉତ୍ତରରେ ବିଇଓ କହିଥିଲେ, ଛୁଆ ଭୂମିଷ୍ଠ ହେବା ପରେ ପ୍ରଥମେ ଶବ୍ଦ ଉଚ୍ଚାରଣ କରିଥାଏ। କଂସ ମହାରାଜଙ୍କର ଏହା ମଧ୍ୟ ପସନ୍ଦ ଆସି ନ ଥିଲା। ସେ ଏହାକୁ ମଧ୍ୟ ଭୁଲ୍‌ ବୋଲି କହିଥିଲେ। କହିଥିଲେ, ଶୁଣ ଶିକ୍ଷାବିତ, ପ୍ରଥମେ ଅଙ୍କ ଓ ପରେ ଅକ୍ଷରର ଆରମ୍ଭ ହୋଇଥିଲା । କାରଣ ପ୍ରଥମେ ଶିଶୁକୁ ଗୋଲା,ବାଙ୍କ ବାଡ଼ି, ଛାଟ ବାଡ଼ି ଆଦି ଶିଖା ଯାଇଥାଏ । ତେଣୁ ସୃଷ୍ଟି ଆରମ୍ଭରେ ପ୍ରଥମେ ଅଙ୍କ ଓ ପରେ ଅକ୍ଷର ଆରମ୍ଭ ହୋଇଥିଲା । ହେଲେ ଏବେ ତ ପିଲା ଜନ୍ମ ହେଉ ହେଉ ଏ ଫର୍‌ ଆପଲ, ବି ଫର ବଲ୍‌ ପଢ଼ୁଛନ୍ତି ।

ଏହାପରେ କଂସ ମହାରାଜ ବିଇଓଙ୍କୁ କିଛି ମିଶାଣ ପଚାରିଥିବା ବେଳେ ବିଇଓ ମହୋଦୟ ଏ ପ୍ରଶ୍ନରେ ମଧ୍ୟ ଝୁଣ୍ଟି ପଡ଼ିଥିଲେ। ତତ୍‌କ୍ଷଣାତ ତାହାର ଉତ୍ତର ଦେଇଥିଲେ କଂସ ମହାରାଜ । ଏହା ଦେଖି ସଭାରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ବେଶ୍‌ ହାସ୍ୟରୋଲ ସୃଷ୍ଟି ହୋଇଥିଲା।

Related story