ମଦ ନିଶା କଲା ମତୁଆଲା। ଏଥର କୌଣସି ଯୁବକ କି ବୟସ୍କ ନୁହନ୍ତି, ମଦ ନିଶାରେ ପଡ଼ି ଯାଇଛନ୍ତି କୋମଳମତି ଶିଶୁ। ମଦ କ’ଣ ଜାଣି ନାହାନ୍ତି, ହେଲେ ପାଳ ଗଦାରେ ଲୁଚା ଯାଇଥିବା ମଦ ପିଇ ଅଜବ ବ୍ୟବହାର କଲେ ୫ ଶିଶୁ। ପରିବାର ଲୋକେ ଏହା ଜାଣିପାରି ତୁରନ୍ତ ସେମାନଙ୍କ ଘରୋଇ ଚିକିତ୍ସା ଆରମ୍ଭ କରିଥିବା ବେଳେ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଛିଟକେଲବନ୍ଧଲି ଗାଁରେ ଘଟିଛି ।
ଛିଟକେଲବନ୍ଧଲି ଗାଁର ଜଣେ ମଦ ବ୍ୟବସାୟୀ ଚୋରା ଦେଶୀ ମଦ ଆଣି ଦୀର୍ଘ ଦିନ ହେଲା ଖୁଲମଖୁଲ୍ଲା ଗାଁରେ ବିକ୍ରି କରୁଥିଲେ। ପୁଲିସ ଓ ଅବକାରୀ ବିଭାଗ ନଜରରୁ ବର୍ତ୍ତିବା ପାଇଁ ଏଇ ମଦ ବେପାରୀ ଦିନବେଳା ଚୋରା ମଦକୁ ଏକ ପାଳଗଦା ଭିତରେ ଲୁଚାଇ ରଖିଥାନ୍ତି। ଏହାପରେ ସେହି ମଦକୁ ପୁଣି ପାଳଗଦାରୁ ଆଣି ବେଧଡକ ଭାବେ ବିକ୍ରି କରିଥାନ୍ତି `
କିନ୍ତୁ ୪ ରୁ ୫ ବର୍ଷର ୫ ଜଣ ଶିଶୁ ପାଳ ଗଦାରେ ମଦ ଲୁଚାଯାଇଥିବା ଦେଖି ଦେଇଥିଲେ। ଏହାପରେ ପରିବାର ଲୋକଙ୍କ ଆଢ଼ୁଆଳରେ ସେମାନେ ତାହାକୁ ପିଇ ଦେଇଥିଲେ । ଫଳରେ ୫ ଜଣ ଶିଶୁଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି ।
ଗାଁରେ ଚୋରା ମଦ ବିକ୍ରି ବଢ଼ିବାରେ ଲାଗିଥିବା ବେଳେ ଏହାର କୁପ୍ରଭାବ ପିଲାଙ୍କ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।