ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଖୋଲିବ ସ୍କୁଲ୍ । ବାଜିବ ବେଲ୍ । ଆସନ୍ତା କାଲିଠୁ ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ ସ୍କୁଲ ଯିବେ। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସକୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ପ୍ରତି କ୍ଲାସ ରୁମ୍ରେ ୨୦ ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । କ୍ଲାସ୍ଗୁଡିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି । ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯିବ। ପ୍ରଥମ ଦିନରୁ ହିଁ ଛାତ୍ରଛାତ୍ରୀ ଗୋଟିଏ ସିଟ୍ରେ ବସିବେ । ସିଟ୍ ବଦଳ କି ଅନ୍ୟ କୌଣସି ସାମଗ୍ରୀ ଛାତ୍ରଛାତ୍ରୀ ବଦଳ କରିପାରିବେ ନାହିଁ । ସେହିପରି ହଷ୍ଟେଲ ଗୁଡିକରେ ବି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି । ସ୍କୁଲ୍ ଖୋଲୁଥିବାରୁ ଛାତ୍ରଛାତ୍ରୀ ଖୁସି ଅଛନ୍ତି।
ସ୍କୁଲ୍କୁ ଛାତ୍ରଛାତ୍ରୀ ଅଭିଭାବକଙ୍କ କନସେଣ୍ଟ ଲେଟର୍ ବା ସହମତି ପତ୍ର ନେଇ ଆସିବେ। ଥର୍ମାଲ ସ୍କ୍ରିନିଂ କରାଯାଇ କ୍ଲାସକୁ ଛଡାଯିବ। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲରେ କରାଯାଇଥିବା ଆଇସୋଲେସନ୍ ରୁମରେ ରଖି ନିକଟସ୍ଥ ମେଡିକାଲ ଟିମକୁ ସୂଚନା ଦେବେ କର୍ତ୍ତୃପକ୍ଷ । ସେହିପରି ପ୍ରବେଶ ପରେ ଅଧାରୁ ସ୍କୁଲ୍ ବାହାରକୁ କାହାରିକୁ ଛଡାଯିବନି । ଛୁଟି ପରେ ପୁଣିଥରେ ସବୁ ରୁମ୍କୁ ସାନିଟାଇଜ କରାଯିବ । ସେପଟେ ଆଜି ବିଦ୍ୟାଳୟଗୁ଼ଡିକରେ ପ୍ରସ୍ତୁତି କିପରି ରହିଛି ତାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ଆଜିଠୁ ଖୋଲିବ ସିନେମା ହଲ,, ପ୍ରତି ଶୋ ପରେ ସାନିଟାଇଜ୍ ହେବ ଥିଏଟର
ଯେଉଁଠି ଏସ୍ଓପି ପାଳନରେ ଖିଲାପ ହେବ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ରାଜ୍ୟରେ ମୋଟ୍ ୧୦ହଜାର ୧୮ ଟି ସରକାରୀ ଓ ଘରୋଇ ସ୍କୁଲ୍ ରହିଛି । ଏସବୁ ସ୍କୁଲରେ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଏସ୍ଓପି କଡା କଡି ପାଳନ କରିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।