ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଏକ ଲିଙ୍କ, ଜେରା ହେବେ କି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇ ଯାଇଛି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାଁ! ସେ ରାଜଧାନୀରେ ରହି କୁଆଡ଼େ ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କ ନିର୍ଦ୍ଦେଶରେ ବିବାଦରେ ଛନ୍ଦି ହୋଇପଡ଼ିଥିବା ଗଜପତି ଡିଏଫ୍‌ଓଙ୍କୁ ସୁରକ୍ଷା ଦିଆଯାଉଥିବା ଚର୍ଚ୍ଚା ହେଉଛି। ତେବେ ଯେତେବେଳେ ବିବାଦ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା, ସେତେବେଳେ ତାଙ୍କୁ ରାତି ଅଧିଆ […]

Soumaya and Bidya

Manoranjan Sial
  • Published: Tuesday, 24 August 2021
  • , Updated: 24 August 2021, 06:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇ ଯାଇଛି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାଁ! ସେ ରାଜଧାନୀରେ ରହି କୁଆଡ଼େ ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କ ନିର୍ଦ୍ଦେଶରେ ବିବାଦରେ ଛନ୍ଦି ହୋଇପଡ଼ିଥିବା ଗଜପତି ଡିଏଫ୍‌ଓଙ୍କୁ ସୁରକ୍ଷା ଦିଆଯାଉଥିବା ଚର୍ଚ୍ଚା ହେଉଛି। ତେବେ ଯେତେବେଳେ ବିବାଦ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା, ସେତେବେଳେ ତାଙ୍କୁ ରାତି ଅଧିଆ ବଦଳି କରାଯାଇଥିବା ଆଲୋଚନା ହେଉଛି। ଏବେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଡାକି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଦୀପ୍ତିରଞ୍ଜନ ବେହେରାଙ୍କ ବଦଳିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ ଓ ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ।

ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁ ଲାଗିଲା କେମିତି? ନିଆଁ ଲିଭାଇବାର ତାଲିମ ନେଇଥିବା ସୌମ୍ୟ କେମିତି ନିଆଁରୁ ବର୍ତ୍ତି ପାରିଲେ ନାହିଁ? ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା କଣ କରୁଥିଲେ? ସେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ କି? ଯଦି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ, ତାହାହେଲେ ସୌମ୍ୟଙ୍କ ଶରୀର ୯୦% ପୋଡ଼ିଲା କେମିତି? ଏମିତି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଥିବା ପାରଳାଖେମୁଣ୍ଡି ପୁଲିସ ଘଟଣାର ତଦନ୍ତ କରି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଯାହାକୁ ନେଇ ଆପତ୍ତି ଉଠାଇବା ସହିତ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର ଲୋକ।

ପାରଳାଖେମୁଣ୍ଡି ପୁଲିସ ତଦନ୍ତକୁ ସନ୍ଦେହ କରି ସୌମ୍ୟଙ୍କ ପରିବାର ଲୋକେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଥିଲେ। ଶେଷରେ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି। ଗତ ୧୦ ଦିନ ହେଲା କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ମମତା ପଣ୍ଡା, ରୋଷେୟାଙ୍କ ସମେତ ୧୨ ଜଣଙ୍କୁ ଘନ ଘନ ଜେରା କରିଛି। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କ ପାଖରେ ପହଞ୍ଚି ପାରିନି କ୍ରାଇମବ୍ରାଞ୍ଚ।

ସୌମ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ହଠାତ୍‌ ରାତି ଅଧିଆ ଜଙ୍ଗଲ ମନ୍ତ୍ରୀଙ୍କ ଅଗୋଚରରେ ତାଙ୍କ ପିଏ ଦୀପ୍ତିରଞ୍ଜନ ବେହେରାଙ୍କୁ ବଦଳି କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ହଠାତ୍‌ କାହିଁକି ଦୀପ୍ତିରଞ୍ଜନଙ୍କୁ ବଦଳି କରାଗଲା? ସୌମ୍ୟ ମୃତ୍ୟୁ ମାମଲାରେ ତାଙ୍କର କିଛି ଲିଙ୍କ ନାହିଁ ତ?

ସାଧାରଣରେ ଆଲୋଚନା ହେଉଛି ଦୀପ୍ତିରଞ୍ଜନ ଲେଖିଥିବା ସ୍କ୍ରିପ୍ଟ ଅନୁସାରେ କୁଆରେ ପୁଲିସ ସୌମ୍ୟ ମାମଲା ତଦନ୍ତ କରୁଥିଲା। ଯେଉଁଥିପାଇଁ ପୁଲିସ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନଥିଲା। ଏବେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାରୁ ଦୀପ୍ତିରଞ୍ଜନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। ଯେଉଁଥିପାଇଁ ତାଙ୍କୁ ରାତି ଅଧିଆ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା ଭିତରେ ସୌମ୍ୟଙ୍କ ବଡ଼ ଭାଇ ରଞ୍ଜନ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ରଞ୍ଜନ କହିଛନ୍ତି, “ଏହି ମାମଲାରେ ଯଦି ଦୀପ୍ତିରଞ୍ଜନଙ୍କ ହାତ ନାହିଁ, ତାହାହେଲେ ତାଙ୍କୁ କାହିଁକି ବଦଳି କରାଗଲା? ଡିଏଫ୍‌ଓ ଓ ଦୀପ୍ତିରଞ୍ଜନଙ୍କ ମୋବାଇଲ୍‌ ଏବଂ (ଅଫିସ) ନମ୍ୱରକୁ ସିଡିଆର୍‌ ଆନାଲିସ୍‌ରେ ପକାଗଲେ ଜଣାପଡ଼ିବ ସେମାନେ କଣ କଥା ହେଉଥିଲେ? ଏବେ ଶୁଣିବାକୁ ମିଳୁଛି ପାରଳାଖେମୁଣ୍ଡିରୁ ଦୀପ୍ତିରଞ୍ଜନଙ୍କ ପାଖକୁ ଘନଘନ ଫୋନ୍‌ ଯାଉଛି। ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହାଛଡ଼ା ଦୀପ୍ତିରଞ୍ଜନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରୁ।”

ସୌମ୍ୟ ମୃତ୍ୟୁ ମାମଲାରେ ଜେରାର ସମ୍ମୁଖୀନ ହୋଇଥିବା ଅନେକ ବ୍ୟକ୍ତି ମିଛ କହିଥିବା ସ୍ପଷ୍ଟ ହୋଇଛି। ତେଣୁ ତୁରନ୍ତ ସେମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର ଦାବି କରିଛନ୍ତି।

ସେହିପରି ପାରଳାଖେମୁଣ୍ଡି ବିଜେପି ବିଧାୟକ କେ.ନାରାୟଣ ରାଓ ମଧ୍ୟ ବର୍ତ୍ତମାନର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏତେବଡ଼ ମାମଲାରେ ଡିଏଫଓ ଅଭିଯୁକ୍ତ ରହିଥିଲେ ମଧ୍ୟ ତାଙ୍କ ବିରୋଧରେ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ପ୍ରଶ୍ନ କରିଛନ୍ତି। ସେହିପରି ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାତିଅଧିଆ ବଦଳି ପଛରେ କାରଣ କଣ? ତାହା ଉପରୁ ସରକାର ପର୍ଦ୍ଦା ହଟାନ୍ତୁ ବୋଲି କେ.ନାରାୟଣ ରାଓ ପ୍ରଶ୍ନ କରିଛନ୍ତି।

Related story