ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତା ହେଉ କି ଖଣି ଅଞ୍ଚଳ କିମ୍ବା ଜାତୀୟ ରାଜପଥ । ସବୁଠି ନିର୍ଭୟ ଆଉ ଅବାଧ ଭାବେ ଦ୍ରୁତ ଗତିରେ ଚାଲୁଛି ଓଭରଲୋଡିଂ ଗାଡ଼ି । ଅଟୋ ହେଉ କି ବସ୍, କି ଟ୍ରକ ବେଧଡକ ଭାବେ ଓଭରଲୋଡିଂ କରି ନିଜ ଗନ୍ତବ୍ୟସ୍ଥଳ ଆଡ଼େ ମାଡ଼ି ଚାଲିଛନ୍ତି ସମସ୍ତେ। ଏହା ସରକାରୀ ଆଇନକୁ ଆଖିଠାର । ରାଜ୍ୟ ସରକାର କେବଳ ଫାଇନ୍ ଆଦାୟ କରି ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ ଏହା ଯୋଗୁ ଅକାଳରେ ଯାଉଛି ବହୁ ଜୀବନ ।
ଓଭରଲୋଡିଂଜନିତ ଦୁର୍ଘଟଣାକୁ ରୋକିବାକୁ ରାଜ୍ୟ ସରକାର ଗତ ୧୯ ତାରିଖରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛନ୍ତି। ଏହା ୭ ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୨୫ ତାରିଖ ଯାଏ ଚାଲିବ । ଏହି ସମୟରେ ବିଭାଗ ହାବୁଡରେ ପଡିଲେ ୨୦ ହଜାର ଫାଇନ ସହ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ ।
ଓଭରଲୋଡିଂ ଗାଡ଼ି ରାସ୍ତାରେ ବେଧଡ଼କ ଭାବେ ଗଡ଼ିବା ଏକ ନିତିଦିନିଆ ଓ ସାଧାରଣ ଘଟଣା। କେଉଁଠି ଅଟୋରେ ୬ ଜଣ ଯାଉଛନ୍ତି, ତ ଖଚାଖଚ ଯାତ୍ରୀଙ୍କୁ ନେଇ ଗଡ଼ୁଛି ବସ୍। ବେସରକାରୀ ବସ୍ ଦୂରର କଥା, ସରକାରୀ ବସ୍ର ବି ସମାନ ଅବସ୍ଥା । ଏହାବାଦ ମାଲ୍ ଭର୍ତ୍ତି ଗାଡ଼ି ଛୋଟରୁ ବଡ଼ ସବୁ ଓଭରଲୋଡିଂ କରି ଚାଲୁଛନ୍ତି। ସେଥିପାଇଁ ଏବେ ଓଭରଲୋଡିଂ ସମସ୍ୟାକୁ ଗୁରୁତର ସହ ନେଇ ପରିବହନ ବିଭାଗ ଆରମ୍ଭ କରିଛି ସ୍ୱତନ୍ତ୍ର ୭ ଦିନିଆ ଡ୍ରାଇଭ ।
ଏହି ଅବସରରେ ସବୁ ଆରଟିଓମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ବିଶେଷ କରି ବାଲି, ଚିପ୍ସ, ପାଉଁଶ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ, ଡମ୍ଫର ଓ ଟିପ୍ପର ଗୁଡିକୁ ଯାଞ୍ଚ କରିବାକୁ ପ୍ଲାନ ପ୍ରସ୍ତୁତ କରିଛି ବିଭାଗ । ଓଭରଲୋଡିଂ ପାଇଁ ଧରାପଡିଲେ ୨୦ ହଜାର ଟଙ୍କା ଫାଇନ ସହ ଅତରିକ୍ତ ବୋଝେଇ ମାଲ ଟନ୍ ୨ ହଜାର ଟଙ୍କା ଲେଖାଁଏ ଫାଇନ ଆଦାୟ କରାଯିବ। ଏହାବାଦ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ଖଣି ଅଞ୍ଚଳ ଜିଲ୍ଲାଗୁଡିକୁ ଅଧିକ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
[caption id="attachment_767976" align="aligncenter" width="650"]
ଏନେଇ ରାଜ୍ୟ ପରିବହନ ପ୍ରାଧିକରଣଅତିରିକ୍ତ କମିଶନର ଲାଲ ମୋହନ ସେଠୀ କହିଛନ୍ତି, ଏହି ଡ୍ରାଇଭ ୬ ଦିନ ଚାଲିବ । ନିୟମ ଉଲ୍ଲଘଂନ କରୁଥିବା ବହୁ ଗାଡ଼ିକୁ ଜବତ କରାଯିବ । ଏହାଦ୍ୱାରା ସଡ଼କ ସୁରକ୍ଷା ପାଳନ ସହ ଦୁର୍ଘଟଣାକୁ ରୋକି ହେବ ।
କିଛି ଦିନ ପୂର୍ବରୁ ଏକ ଡ୍ରାଇଭରେ ୮୩ଟି ଇ-ଚାଲାଣ ସହ ୨୫ଟି ଗାଡି ଜବତ କରାଯାଇଥିଲା । ୩ ଲକ୍ଷ ୬୯ ହଜାର ୪୬୧ ଟଙ୍କା ଫାଇନ କଲେକ୍ସନ ସହ ୮୧ ଟି ଡ୍ରାଇଭିଂ ଲାଇସେନ୍ସକୁ ସ୍ଥଗିତ ରଖାଯାଇଥିଲା ।
ସୂଚନାଯୋଗ୍ୟ, ୨୦୨୧ରେ ସଡକ ଦୁର୍ଘଟଣାରେ ହୋଇଥିବା ଜୀବନହାନୀର ୧୪% ଓଭରଲୋଡିଂ ଦୁର୍ଘଟଣାଜନିତ । ଗତ ୨୦୨୧ ବର୍ଷରେ ମୋଟ ୧୦, ୯୮୩ ସଡକ ଦୁର୍ଘଟଣା ଘଟିଥିବା ବେଳେ, ୧, ୪୪୨ ଦୁର୍ଘଟଣା କେବଳ ଓଭରଲୋଡିଂ ପାଇଁ ଘଟିଛି । ଯେଉଁଥିରେ ୬୭୩ ଲୋକ ପ୍ରାଣ ହରାଇଥିବା ବେଳେ, ୮୩୪ ଜଣ ଗୁରୁତର ଏବଂ ୫୮୮ ଜଣ ଆହତ ହୋଇଛନ୍ତି ।
ତେବେ ବିଶେଷଜ୍ଞଙ୍କ ମତରେ ଧରା ପଡୁଥିବା ଗାଡି ଚାଳକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ଫାଇନ ରଖି ରାଜ୍ୟ ସରକାର ଛାଡି ଦେଇଥିବାରୁ ସୁଧୁରିନି ଅବସ୍ଥା । ତେଣୁ ଏହି ସ୍ପେଶାଲ ଡ୍ରାଇଭରେ ଅବସ୍ଥା କେତେ ସୁଧୁରୁଛି ତାହା ଉପରେ ସମସ୍ତଙ୍କ ନଜର ।