“ଟେଲିଗ୍ରାମ୍‌ ମିଛ ବୋଲି ଭାବିଲି, ହେଲେ ସତର ସେ ଆଉ ନ ଥିଲେ”

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ସାଧାରଣତନ୍ତ୍ର ଦିବସ। ପ୍ରତ୍ୟେକଟି ଭାରତୀୟ ପାଇଁ ଗର୍ବ ଆଉ ଗୌରବର ଦିନ। ଏଥିପାଇଁ ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ସୃଷ୍ଟି ହୋଇଛି ଦେଶାତ୍ମବୋଧର ପରିବେଶ । ହେଲେ ଆଜି ଦିନରେ ମନେ ପଡ଼ିଯାଏ ସେହି ବୀର ସନ୍ତାନମାନଙ୍କ କଥା, ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ଆସନ୍ତୁ ମନେ ପକାଇବା ସେମିତି କିଛି ବୀର ଯବାନମାନଙ୍କୁ। ଗଞ୍ଜାମ ଜିଲ୍ଲାରେ ଏମିତି ଏକ ଗାଁ […]

34

Mihir Pattnayak
  • Published: Saturday, 26 January 2019
  • , Updated: 26 January 2019, 03:05 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ସାଧାରଣତନ୍ତ୍ର ଦିବସ। ପ୍ରତ୍ୟେକଟି ଭାରତୀୟ ପାଇଁ ଗର୍ବ ଆଉ ଗୌରବର ଦିନ। ଏଥିପାଇଁ ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ସୃଷ୍ଟି ହୋଇଛି ଦେଶାତ୍ମବୋଧର ପରିବେଶ । ହେଲେ ଆଜି ଦିନରେ ମନେ ପଡ଼ିଯାଏ ସେହି ବୀର ସନ୍ତାନମାନଙ୍କ କଥା, ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ଆସନ୍ତୁ ମନେ ପକାଇବା ସେମିତି କିଛି ବୀର ଯବାନମାନଙ୍କୁ।

ଗଞ୍ଜାମ ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠି ଏକାଧିକ ପରିବାରର ସନ୍ତାନମାନେ ଦେଶ ମାତୃକାର ସେବା ପାଇଁ ସେନାରେ ଯୋଗ ଦେଇଛନ୍ତି ଆଉ ପ୍ରାଣବଳୀ ଦେଇଛନ୍ତି ଭାରତର ସୁରକ୍ଷା ପାଇଁ। ସେମିତି ଦୁଇ ପରିବାର ହେଉଛି ଏମ୍‌.କ୍ରିଷ୍ଣା ଓ ଏ.ଗୋବିନ୍ଦ ରାଓଙ୍କର। ଦୁହେଁ ଏବେ ଆରପାରିରେ। ଦେଶ ପାଇଁ ଜୀବନ ଦେଇଥିବା ଏହି ବୀରଙ୍କ ପରିବାରକୁ ଆସନ୍ତୁ ଭେଟିଯିବା।

ବ୍ରହ୍ମପୁରଠାରୁ ମାତ୍ର ୧୨ କି.ମି. ଦୂରରେ ରହିଛି ରଙ୍ଗେଇଲୁଣ୍ଡା ବ୍ଲକର କମଳାପୁର ଗାଁ । ଏହି ଗାଁ ମୁଣ୍ଡରେ ଶୋଭା ପାଉଛି ସହୀଦ୍‌ ଏମ୍.କ୍ରିଷ୍ଣାଙ୍କ ପ୍ରତିମୂର୍ତ୍ତି। ୨୧ ବର୍ଷିୟ ସହୀଦ୍‌ କ୍ରିଷ୍ଣାଙ୍କ ଏହି ପ୍ରତିମୂର୍ତ୍ତି ହିଁ ସୂଚାଇ ଦିଏ କମଳାପୁରର ବୀରତ୍ୱର ଗାଥା। ଆଜି ସେହି ବୀର ପୁଅ ନାହାନ୍ତି ସତ, ହେଲେ ପୁଅର ଶେଷ ସନ୍ତକକୁ ସାଇତି ରଖିଛନ୍ତି ମା’ ଏମ୍.ପାର୍ବତୀ।

ପାର୍ବତୀଙ୍କ ସ୍ୱାମୀ ଗୋପୀନାଥ ବି ‌ସେନାରେ ଥିଲେ। ତେଣୁ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦୁଇ ପୁଅ କେଶବ ଓ କ୍ରିଷ୍ଣା ଯୋଗ ଦେଇଥିଲେ ସେନାରେ। ୧୯୯୮ କାରଗିଲ୍ ଯୁଦ୍ଧରେ ସାନ ପୁଅ କ୍ରିଷ୍ଣା ସହୀଦ୍‌ ହେଲେ। କ୍ରିଷ୍ଣାଙ୍କ ମା’ ଏମ୍. ପାର୍ବତୀ କହିଛନ୍ତି,“ ମୋର ଦୁଇ ପୁଅ ସେନାରେ ଯୋଗ ଦେଇଥିଲେ। କାରଗିଲ୍‌ ଯୁଦ୍ଧରେ ସାନ ପୁଅ ସହୀଦ୍ ହୋଇଗଲା।”

ଏହି ଗାଁର ସେହିଭଳି ଆଉ ଜଣେ ସହୀଦ୍ ହେଉଛନ୍ତି ହାବିଲଦାର ଏ.ଗୋବିନ୍ଦ ରାଓ। ୧୯୯୬  ଅଗଷ୍ଟ ୬ତାରିଖରେ ଶ୍ରୀନଗରରେ ଡ୍ୟୁଟିରେ ଥିବା ବେଳେ ଶତ୍ରୁ ପକ୍ଷକୁ ଗୁଳିର ଜବାବ ଗୁଳିରେ ଦେଇ ଟଳି ପଡ଼ିଥିଲେ ସେ। ଏବେ ଭାନୁମତୀ ସ୍ୱାମୀଙ୍କ ପିନ୍ଧା ପୋଷାକ, ଜୋତା ଓ ଅନ୍ୟ ସାମଗ୍ରୀ ସାଇତି ରଖିଛନ୍ତି। ସ୍ୱାମୀ ଚାଲିଯିବା ପରେ ବି ଭାଙ୍ଗିଯାଇନି ତାଙ୍କ ଦମ୍ଭ, ହରାଇନାହାନ୍ତି ଧୈର୍ଯ୍ୟ। ପୁଅ, ଝିଅଙ୍କୁ ବଡ଼ ଦୁଃଖ କଷ୍ଟରେ ଲାଳନପାଳନ କରି ସ୍ୱାମୀଙ୍କ ଅଧୂରା ସ୍ୱପ୍ନକୁ ସାକାର କରିବା ନିଜ ପୁଅକୁ ବି ଛାଡ଼ିଛନ୍ତି ସେନାରେ।

ଭାନୁମତି କହିଛନ୍ତି,“ ଶ୍ରୀନଗରରେ ଡ୍ୟୁଟି ବେଳେ ଶତ୍ରୁ ପକ୍ଷର ଗୁଳିରେ ସ୍ୱାମୀଙ୍କ ମୃତ୍ୟୁ ଘଟିଲା। ଏନେଇ ମୋ ପାଖକୁ ଏକ ଟେଲିଗ୍ରାମ୍‌ ଆସିଲା। ହେଲେ ମୁଁ ବିଶ୍ୱାସ କରି ନ ଥିଲି। ଟେଲିଗ୍ରାମ ନେଇ ଆସିଥିବା ପୋଷ୍ଟ କର୍ମଚାରୀଙ୍କ ଆଖିରେ ଯେତେବେଳେ ମୁଁ ଲୁହ ଦେଖିଲି, ସେତେବେଳେ  ମୋର ବିଶ୍ୱାସ ହୋଇଥିଲା। ହେଲେ ମୁଁ ଡରିଯାଇନି। ମୋ ପୁଅ ମଧ୍ୟ ସେନାରେ  ଯୋଗ ଦେଇଛି।”

Related story