/odisha-reporter/media/post_attachments/uploadimage/library/16_9/16_9_0/shreemayee_1712742960.jpeg)
ଶ୍ରୀମୟୀ ମିଶ୍ର
ବିଜେଡିରୁ ଶ୍ରୀମୟୀ ମିଶ୍ର ନିଲମ୍ବିତ। ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ସୋଶାଲ ମିଡିଆ ଟିପ୍ପଣୀକୁ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ। ସେ ‘ଧୃତରାଷ୍ଟ୍ର’, ଦୁର୍ଯୋଧନ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି କହି ପରୋକ୍ଷରେ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ।
ଦଳର ନିଲମ୍ବନ ଆଦେଶ ଆସିବା ପରେ ଶ୍ରୀମୟୀ ମିଶ୍ର ତାଙ୍କ ଫେସ୍ବୁକ୍ରେ ଏକ ପୋଷ୍ଟ କରି ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକ ବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ। ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ।’
ଭଣ୍ଡ ସନ୍ୟାସୀ
ଦୀର୍ଘଦିନ ଧରି ଦଳୀୟ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ଶ୍ରୀମୟୀ ମିଶ୍ର ପ୍ରାୟ ସପ୍ତାହେ ତଳେ ନିଜର ସୋଶାଲ ମିଡିଆରେ ଏକ ପୋଷ୍ଟରେ ଲେଖିଥିଲେ, “ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ୱେବ୍ ସିରିଜ୍ (‘ଆଶ୍ରମ’କୁ ଟ୍ୟାଗ୍ କରିଛନ୍ତି) ଦେଖିଲି ଯାହାକି ସନ୍ୟାସ ଓ ସନ୍ୟାସୀ ଉପରେ ଆଧାରିତ ଥିଲା । ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା । ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୁରେଇ ରହିବା ବା ସମସ୍ତ ମୋହମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ।
ବର୍ତ୍ତମାନ ଆମ ସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି । ପରମୁହୂର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି। ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ’ । ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି।”
ଶ୍ରୀମୟୀଙ୍କ ଏହି ପୋଷ୍ଟ ଆସିବା ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିଲା । ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ ଓ ସୋଶାଲ ମିଡିଆରେ ଏହି ଖବର ଟ୍ରେଣ୍ଡ କରିବାରେ ଲାଗିଥିବା ବେଳେ ଶ୍ରୀମୟୀଙ୍କ ଏହି ପୋଷ୍ଟ ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଖୋଦ୍ ବିଜେଡି ସାଧାରଣ ସମ୍ପାଦକ ମନ୍ମଥ କୁମାର ରାଉତରାୟ ଖୋଲାଖୋଲି ଗଣମାଧ୍ୟମ ଆଗରେ ସ୍ୱୀକାର କରିଥିଲେ।
ଧୃତରାଷ୍ଟ୍ର ଓ ଦୁର୍ଯୋଧନ
ଏହି ପୋଷ୍ଟର ସପ୍ତାହକ ପୂର୍ବରୁ ଶ୍ରୀମୟୀ ମିଶ୍ର ତାଙ୍କର ସୋଶାଲ ମିଡିଆରେ ‘ମହାଭାରତ ଉପାଖ୍ୟାନ’କୁ ନେଇ ଗୋଟିଏ ପୋଷ୍ଟ କରିଥିଲେ । ସେଥିରେ ସେ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ କରି ଏହି ‘ପୋଷ୍ଟ’ ହୋଇଥିବା ଆକଳନ କରାଯାଇଥିଲା ।
ଶ୍ରୀମୟୀ ସେଥିରେ ଲେଖିଥିଲେ,‘ଧୃତରାଷ୍ଟ୍ର, ହସ୍ତିନାପୁରର ରାଜା ଭାବେ, ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ । ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନଥିଲେ । ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ, ବିଶେଷତଃ ଦୁର୍ଯୋଧନ ପ୍ରତି ଅନ୍ଧପ୍ରୀତି, ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା । କିଛିଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ । ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ ।”
ସୂଚନାଯୋଗ୍ୟ, ଆଜି ଶ୍ରୀମୟୀଙ୍କ ସହିତ ଦଳର ପୂର୍ବତନ କପ୍ତିପଦା ବ୍ଲକ୍ ସଭାପତି ସୁବାସଚନ୍ଦ୍ର ସାଇ ଓ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
