ଏତେ ସପନକୁ ରାତି ନାହିଁ, 'କାଳିଆ' ନାଁରେ ବି ଚାଷୀଙ୍କୁ ଭଣ୍ଡାଇବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନା ରାଜ୍ୟର ଗରିବ ଚାଷୀଙ୍କ ନିମନ୍ତେ ପ୍ରତାରଣା ପାଲଟିବାକୁ ଯାଉଛି। କାଳିଆ ଯୋଜନାରେ ଚାଷ କାର୍ଯ୍ୟ ପାଇଁ ସହାୟତା ଦେବା ନିମନ୍ତେ ଏବେ ରାଜ୍ୟବ୍ୟାପୀ ଚାଲିଥିବା ଚାଷୀ ପଞ୍ଜିକରଣର ଅବଧିକୁ ବଢ଼ାଇ ରାଜ୍ୟ ସରକାର ଯୋଜନାର ତ୍ୱରିତ୍ ସୁଫଳ ନିର୍ବାଚନ ପୂର୍ବରୁ ଚାଷୀଙ୍କ ନିକଟରେ ପହଞ୍ଚାଇବାର ସମ୍ଭାବନା କ୍ଷୀଣ ବୋଲି ସଙ୍କେତ ଦେଇଛନ୍ତି। କାରଣ ଚାଷୀଙ୍କ ପାଇଁ ସରକାରଙ୍କ […]

FINAL KALIA

FINAL KALIA

Sampad Mahapatra
  • Published: Thursday, 10 January 2019
  • Updated: 10 January 2019, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନା ରାଜ୍ୟର ଗରିବ ଚାଷୀଙ୍କ ନିମନ୍ତେ ପ୍ରତାରଣା ପାଲଟିବାକୁ ଯାଉଛି। କାଳିଆ ଯୋଜନାରେ ଚାଷ କାର୍ଯ୍ୟ ପାଇଁ ସହାୟତା ଦେବା ନିମନ୍ତେ ଏବେ ରାଜ୍ୟବ୍ୟାପୀ ଚାଲିଥିବା ଚାଷୀ ପଞ୍ଜିକରଣର ଅବଧିକୁ ବଢ଼ାଇ ରାଜ୍ୟ ସରକାର ଯୋଜନାର ତ୍ୱରିତ୍ ସୁଫଳ ନିର୍ବାଚନ ପୂର୍ବରୁ ଚାଷୀଙ୍କ ନିକଟରେ ପହଞ୍ଚାଇବାର ସମ୍ଭାବନା କ୍ଷୀଣ ବୋଲି ସଙ୍କେତ ଦେଇଛନ୍ତି। କାରଣ ଚାଷୀଙ୍କ ପାଇଁ ସରକାରଙ୍କ ‘କାଳିଆ’ ଯୋଜନାର ସହାୟତା ବଣ୍ଟନରେ ନିର୍ବାଚନ ଆଚରଣ ବିଧି ପ୍ରତିବନ୍ଧକ ହେବାକୁ ଯାଉଛି।

ମିଳିଥିବା ସୂଚନା ଅନୁସାରେ ଫେବୃୟାରୀ ତୃତୀୟ କିମ୍ବା ଶେଷ ସପ୍ତାହରେ ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆୟୋଜିତ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀରେ ଏହାର ସଙ୍କେତ ଦିଆଯାଇଛି। ପ୍ରଶାସନିକ ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଅତିରିକ୍ତ ଜିଲ୍ଲାପାଳମାନଙ୍କ ଦୁଇଦିନିଆ କର୍ମଶାଳା ଶେଷ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘କାଳିଆ’ ଯୋଜନାରେ ଚାଷୀ ପଞ୍ଜିକରଣ ପାଇଁ ପ୍ରଥମ ପର୍ଯ୍ୟାୟ ଆବେଦନ ଫର୍ମ ଦାଖଲର ଅବଧିକୁ ଜାନୁଆରୀ ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଦ୍ୱିତୀୟ ପର୍ଯ୍ୟାୟ ଆବେଦନକୁ ଜାନୁଆରୀ ୨୫ରୁ ଫେବୃଆରୀ ୫ତାରିଖ ପର୍ଯ୍ୟନ୍ତ ସ୍ଥିରୀକୃତ କରିଛନ୍ତି। ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ସମ୍ଭବତଃ ଫେବୃୟାରୀ ଶେଷ ସପ୍ତାହରେ ଲାଗୁ ହେବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ‘କାଳିଆ’ ଯୋଜନାରେ ରାଜ୍ୟ ସରକାର ୬୦ଲକ୍ଷ ଚାଷୀ ପରିବାରକୁ ପଞ୍ଜିକୃତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ଅବଧି ଜାନୁଆରୀ ୧୦ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଜାନୁଆରୀ ୩୦ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ଦୃଷ୍ଟିରୁ ଚାଷ କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୫ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫେବୃଆରୀ ୧୫ତାରିଖ ସୁଦ୍ଧା ୫ହଜାର ଟଙ୍କା ଲେଖାଏଁ ସହାୟତା ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ମୁଖ୍ୟ ସଚିବ ସୂଚନା ଦେଇଥିଲେ।

କିନ୍ତୁ ପଞ୍ଜିକରଣ ଅବଧିକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିବା ପରେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଚାଷୀମାନଙ୍କୁ ସହାୟତା ମିଳିବାର ସମ୍ଭାବନା କ୍ଷୀଣ। କାରଣ ଚାଷୀଙ୍କ ଆବେଦନ ଫର୍ମର ଯାଞ୍ଚ ଏବଂ ପଞ୍ଚାୟତ,ବ୍ଲକ ଓ ଜିଲ୍ଲାସ୍ତରର କମିଟି ଦ୍ୱାରା ଏହି ତାଲିକାକୁ ଅନୁମୋଦନ ପାଇଁ ଅତିକମରେ ୧୫ଦିନ ସମୟ ଲାଗିବ ବୋଲି ମୁଖ୍ୟ ସଚିବ ଯେଉଁ ସମୟ ନିର୍ଘଣ୍ଟ କରିଛନ୍ତି ତାହା ବାସ୍ତବ କ୍ଷେତ୍ରରେ ସମ୍ଭବପର ନୁହେଁ। କାଳିଆ ଯୋଜନାରେ ପଞ୍ଜିକରଣ ପାଇଁ ରାଜ୍ୟବ୍ୟାପୀ ଲୋକମାନଙ୍କ ମଧ୍ୟରେ ତତ୍ପରତା ଲାଗି ରହିଥିବାରୁ ଗାଇଡଲାଇନ୍ ଅନୁସାରେ ସ୍ୱଳ୍ପ ଅବଧି ମଧ୍ୟରେ ହିତାଧିକାରୀ ଚୟନ କରିବା ସରକାରଙ୍କ ପକ୍ଷରେ କଷ୍ଟକର ହେବ। ହିତାଧିକାରୀ ଚୟନ ପ୍ର୍ରକ୍ରିୟା ଓ ଯାଞ୍ଚ ଠିକ୍ ନହେଲେ ଅନେକ ପ୍ରକୃତ ହିତାଧିକାରୀ(ଚାଷୀ) ବାଦ୍ ପଡ଼ିବା ସହ ଜମି ଥିବା ସରକାରୀ ଚାକିରିଆ, ପେନସନଭୋଗୀ ଓ ଆୟକରଦାତା ଏହାର ଫାଇଦା ନେବେ। ଏପରିକି ଗୋଟିଏ ଲେଖାଏ ପରିବାରର ୩-୪ଜଣଙ୍କୁ ଏହି ସହାୟତା ପାଇବାକୁ ହକଦାର ହେବେ।

ତେଣୁ ଏଭଳି ଅସ୍ଥିରତାକୁ ଏଡ଼ାଇବା ପାଇଁ ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ଚୟନ ଏବେ ରାଜ୍ୟ ସରକାରଙ୍କ ନିମନ୍ତେ ମୁଣ୍ଡବ୍ୟଥାର କାରଣ ପାଲଟିବାକୁ ଯାଉଛି। ଯଦିଓ ଫେବୃଆରୀ ୧୫ରୁ ୨୦ ତାରିଖରେ ରାଜ୍ୟବ୍ୟାପୀ ହେବାକୁ ଥିବା ‘ପିଠା’ କାର୍ଯ୍ୟକ୍ରମରେ ଏହି ସହାୟତାକୁ ଚେକ୍ ଆକାରରେ ବାଣ୍ଟିବାକୁ ଲକ୍ଷ୍ୟ ରଖିଥିଲେ ତଥାପି ତାହା ମାତ୍ରାଧିକ ଚାଷୀ ହିତାଧିକାରୀ ଦୃଷ୍ଟିରୁ ବଣ୍ଟନ କରିବା ସମ୍ଭବପର ହେବନି। ଠିକ୍ ଯାଞ୍ଚ ନହେଲେ ଗାଁ ଗହଳିରେ ପ୍ରକୃତ ଗରିବ ଚାଷୀଙ୍କୁ ସହାୟତା ନପାଇଁ ବଡ଼ବଡ଼ିଆ ଚାଷୀ(ଗାଇଡଲାଇନରେ ଅଯୋଗ୍ୟ) ସହାୟତା ପାଇଲେ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବ। ବଞ୍ଚିତ ହୋଇଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାରଙ୍କ ହାତରେ ସମୟ ବି ନଥିବ। କାରଣ ସେତେବେଳକୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବ। ଆଉ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିବା ପରେ କୌଣସି ଚାଷୀଙ୍କୁ ସହାୟତା ଦେବା ସରକାରଙ୍କ ପକ୍ଷରେ ସମ୍ଭବପର ହେବନି।

ଅବଶ୍ୟ ଜାନୁଆରୀ ୧୫ରୁ ୨୦ ଓ ଫେବୃଆରୀ ୧୫ରୁ ୨୦ତାରିଖରେ ହେବାକୁ ଥିବା ରାଜ୍ୟବ୍ୟାପୀ ‘ପିଠା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଚିଠିକୁ ବାଣ୍ଟି ‘କାଳିଆ’ ଯୋଜନାର ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାତ୍ର ବିନା ସହାୟତାରେ ଖାଲି ଚିଠି ପହଞ୍ଚିଲେ ତାହା ଲୋକଙ୍କ ମନରେ ଆକ୍ରୋଶକୁ ଦ୍ୱିଗୁଣିତ କରିବ। ଏପଟେ ବିରୋଧୀ ଦଳ ଓ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ସରକାରଙ୍କ ଉପରେ ଚାପ ବଢ଼ାଇବାରେ ଲାଗିଛନ୍ତି। ତେଣୁ ଏସବୁ ଦୃଷ୍ଟିରେ ଦେଖିଲେ ‘କାଳିଆ’ ଯୋଜନା ବିଜେଡି ପାଇଁ ନିର୍ବାଚନରେ ଗେମଚେଞ୍ଜର ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ପ୍ରହସନ ବା ବୁମେରାଂ ପାଲଟିବା ସାର ହେବ। ଆଉ ଚାଷୀ ପଞ୍ଜିକରଣର ଅବଧି ବୃଦ୍ଧି ଓ ଜେରକ୍ସ ଫର୍ମ ମାଧ୍ୟମରେ ଆବେଦନର ନିଷ୍ପତ୍ତି ନେଇ ସରକାର ରାଜ୍ୟବ୍ୟାପୀ ଚାଷୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଯେଉଁ ଗଳାବାଟ ବାହାର କରିଛନ୍ତି ତାହା ନିର୍ବାଚନ ପୂର୍ବରୁ ୫ହଜାର ଟଙ୍କାର ସହାୟତା ପାଇବାକୁ ଆଶାବାନ୍ଧି ଥିବା ଗରିବ ଚାଷୀଙ୍କ ପାଇଁ ଶେଷରେ ପ୍ରତାରଣାରେ ପରିଣତ ହେବ ବୋଲି ଆଶଙ୍କା ଦୃଢ଼ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos