/odisha-reporter/media/post_attachments/uploads/2021/04/naba-das.jpg)
naba-das
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଜୁନ୍ ୨୧ରୁ ଦେଶବ୍ୟାପୀ ମାଗଣା ଟିକାକରଣ ଅଭିଯାନ ଜାରି ରଖିଥିବାବେଳେ ଓଡ଼ିଶା ସରକାର ପୁଣିଥରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ନୂଆ ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏବେ ଏଭଳି ଏକ ଯୁକ୍ତି ରଖିଛନ୍ତି ଯାହା ପରୋକ୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିଜେଡି ସରକାରର ୨୧ବର୍ଷର ଶାସନର ବିଫଳତାକୁ ମଧ୍ୟ ପଦାରେ ପକାଇଛି। ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା କମ୍, ତେଣୁ ଘରୋଇ ହସ୍ପିଟାଲକୁ ଟିକା ଯୋଗାଣର ଅନୁପାତକୁ ୨୫ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତକୁ ହ୍ରାସ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। ସର୍ବଭାରତୀୟସ୍ତରରେ ନିଆଯାଇଥିବା ନିଷ୍ପତ୍ତି ସବୁ ରାଜ୍ୟ ପାଇଁ ସମାନ ହୋଇଥିବାବେଳେ କେବଳ ଓଡ଼ିଶା ପାଇଁ ତାହା କିଭଳି ବଦଳିଯିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ କିପରି ଏଭଳି ଲିଖିତ ଦାବି ଉପସ୍ଥାପନ କଲେ ତାକୁ ନେଇ ସାଧାରଣରେ ଚର୍ଚ୍ଚା।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟିକାକରଣର ନୂଆ ନିୟମ ଅନୁସାରେ ଟିକାର ଅନୁପାତକୁ ନେଇ ଆପତ୍ତି ଉଠାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ଦାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପରିବର୍ତ୍ତିତ କୋଭିଡ୍ ଟିକାକରଣ ଗାଇଡଲାଇନ୍ ଅନୁସାରେ ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଟିକା କମ୍ପାନୀଠୁ ୨୫% ଟିକା କ୍ରୟ କରିବେ। ଏବେସୁଦ୍ଧା ରାଜ୍ୟର ୭ଟି ହସ୍ପିଟାଲ କମ୍ପାନୀଠୁ ଟିକା ପାଇଛନ୍ତି। ଓଡ଼ିଶାରେ ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍। ଏହି ପରିମାଣ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫%। ତେଣୁ କେନ୍ଦ୍ର ସରକାରଙ୍କ ପ୍ରଚଳିତ ଗାଇଡଲାଇନ୍ ଅନୁସାରେ ରାଜ୍ୟ ତା’ର ୨୫% ଟିକା ଅନୁଦାନ ହରାଇବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ତେଣୁ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବା ପାଇଁ ରହିଥିବା ଅନୁପାତକୁ ୫ ପ୍ରତିଶତକୁ ହ୍ରାସ କରାଯାଉ। ଯାହାଫଳରେ ରାଜ୍ୟର ଆନୁପାତିକ ହାରରେ ଘରୋଇ ହସ୍ପିଟାଲଗୁଡ଼ିକ ଆବଶ୍ୟକୀୟ ଟିକା କିଣିପାରିବେ। ୭୫:୨୫ ଅନୁପାତକୁ ପରିବର୍ତ୍ତନ କରି ୯୫:୦୫ ପ୍ରତିଶତ ଅନୁପାତରେ ଟିକା ଯୋଗାଣ କରାଯାଉ ଓ ହସ୍ପିଟାଲଗୁଡ଼ିକୁ ୫ ପ୍ରତିଶତ ଟିକା କ୍ରୟ ପାଇଁ ଅନୁମତି ଦିଆଯାଉ ବୋଲି ଶ୍ରୀ ଦାସ ଲିଖିତ ଭାବେ ଦାବି ଜଣାଇଛନ୍ତି।
ମନ୍ତ୍ରୀ ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜୁନ୍ ୨୧ତାରିଖରୁ ଦୈନିକ ୩ଲକ୍ଷ ହିତାଧିକାରୀଙ୍କୁ ଟିକା ଦେଇ ଆସୁଛନ୍ତି। ଯାହାଫଳରେ ରାଜ୍ୟର ୧୦୦ ପ୍ରତିଶତ ଟିକା ଦାନର ଲକ୍ଷ୍ୟ ପୂରଣ ହୋଇପାରିବ। ତେଣୁ ଓଡ଼ିଶାର ଦାବି ପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା କମ୍ ହେବା ପାଇଁ କ’ଣ କେନ୍ଦ୍ର ସରକାର ଦାୟୀ। ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଟିକା କମ୍ପାନୀଠୁ ମୋଟ ୨୫ ପ୍ରତିଶତ ଟିକା କ୍ରୟ ପାଇଁ ସର୍ବଭାରତୀୟସ୍ତରରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦେଶର ସମସ୍ତ ରାଜ୍ୟର ଘରୋଇ ହସ୍ପିଟାଲ ପାଇଁ ପ୍ରଯୁଜ୍ୟ। ଯେଉଁ ରାଜ୍ୟରେ ଘରୋଇ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯେଭଳି ରହିଥିବ, ତା’ର ଫାଇଦା ସେମାନଙ୍କୁ ସେହି ଅନୁପାତରେ ମିଳିବ। ଓଡ଼ିଶାରେ ବିଜେଡି ସରକାର ଦୀର୍ଘ ୨୧ବର୍ଷ ଧରି କ୍ଷମତାରେ ରହି ରାଜ୍ୟରେ ଘରୋଇ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିବାରେ ସକ୍ଷମ ହୋଇନଥିବାବେଳେ ଏବେ କେନ୍ଦ୍ର ସରକାରଙ୍କ ପାଖରେ ଅବାସ୍ତବ ଯୁକ୍ତି ଉପସ୍ଥାପନ କରି ଘରୋଇ ହସ୍ପିଟାଲଗୁଡ଼ିକର ଟିକା କୋଟା ହ୍ରାସ ପାଇଁ ଦାବି କରୁଛନ୍ତି। ଏଭଳି ଉଦ୍ଭଟ ଚିନ୍ତାଧାରା ପରିବର୍ତ୍ତେ ଯଦି ରାଜ୍ୟରେ ଘରୋଇ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଦିଗରେ ସରକାର ପଦକ୍ଷେପ ନେଇଥାନ୍ତେ, ତା’ହେଲେ ଏଭଳି ଅବାସ୍ତବ ଦାବି ରଖିବାକୁ ଉଚିତ୍ ମଣି ନଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, କୋଭିଡ୍ ଟିକାକରଣକୁ ନେଇ ରାଜ୍ୟର କ୍ଷମତାସୀନ ବିଜେଡି ସରକାର କ୍ରମାଗତ ଭାବେ କେନ୍ଦ୍ର ପାଖରେ ଦାବି ଉପସ୍ଥାପନ କରି ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଆସିଛି। ଟିକା କ୍ରୟ ପାଇଁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା ଦାବି କରିବା ପରେ କେନ୍ଦ୍ର ସରକାର ଏହି ଅନୁମତି ରାଜ୍ୟଗୁଡ଼ିକୁ ଦେଇଥିଲେ। ଓଡ଼ିଶା ଏହି ଟିକା କ୍ରୟ କରିବାରେ ବିଫଳ ହେବାପରେ କେନ୍ଦ୍ର ସରକାର ନିଜେ ଟିକା କିଣି ସବୁ ରାଜ୍ୟକୁ ଦିଅନ୍ତୁ ଓ ଏଥିପାଇଁ ରାଜ୍ୟ ଅର୍ଥ ଦେବାକୁ ପ୍ରସ୍ତୁତ ବୋଲି ପୁଣି ଦାବି ଜଣାଇଲା । ଏପରିକି ଓଡ଼ିଶାର ଟିକା କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର ମଧ୍ୟ ଫେଲ୍ ମାରିଲା। ତେବେ ରାଜ୍ୟଗୁଡ଼ିକର ଦାବି ଓ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜୁନ୍ ୨୧ରୁ ୧୮ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଚଳାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଆଜିସୁଦ୍ଧା ମୋଟ ୧କୋଟି ୧୪ଲକ୍ଷ ୧୪ହଜାର ୬୪୪ ଡୋଡ୍ ଟିକା ଦିଆଯାଇଛି । ଏଥିରେ ୧୮ରୁ ୪୪ବର୍ଷ ବୟସର ୨.୬୪କୋଟି ଓ ୪୫ରୁ ଊର୍ଦ୍ଧ୍ୱ ବୟସର ୬୦.୨୮ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇ ସାରିଛି। ଏମାନଙ୍କ ବ୍ୟତୀତ ୯୯.୪% ସ୍ୱାସ୍ଥ୍ୟକର୍ମୀ, ୧୩୯.୩% ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ମଧ୍ୟ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
