ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉଟ୍ ଲୁକ୍ ସ୍ପିକ୍ ଆଉଟ୍ର ରି-ଇମେଜିଂ ଓଡ଼ିଶା କାର୍ଯ୍ୟକ୍ରମରେ ଓଡ଼ିଶାର ଅପପୁଷ୍ଟିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ସରକାରଙ୍କ ପରେ ବର୍ଷିଛନ୍ତି। ୧୯ ବର୍ଷ ଶାସନ କାଳରେ ରାଜ୍ୟରେ ୨୦ଟି ଜିଲ୍ଲାର ପିଲାଙ୍କୁ ପୁଷ୍ଟି ଆଫ୍ରିକାଠାରୁ ଖରାପ ବୋଲି ସେ କହିଛନ୍ତି।
ସେ କହିଛନ୍ତି, “୨୦୧୯ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୦୯ ଓ ୨୦୧୪ରୁ ଭିନ୍ନ ହେବ। ୨୦୦୯ ଓ ୧୪ରେ ଓଡ଼ିଶାର ମତଦାତା ମୁଖ୍ୟମନ୍ତ୍ରୀ କେନ୍ଦ୍ରିକ ନିର୍ବାଚନରେ ମତ ଦେବାକୁ ଆସୁଥିବା ବେଳେ ୨୦୧୯ରେ ପ୍ରଧାନମନ୍ତ୍ରୀ ଓ ମୋଦି କେନ୍ଦ୍ରିକ ହେବ। ଓଡ଼ିଶାର ମତଦାତା ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରି ରାଜ୍ୟ ସରକାର ଗଠନରେ ସମର୍ଥନ ଦେବେ।”
ସେ କହିଛନ୍ତି, “୧୯ ବର୍ଷ ଗୋଟିଏ ରାଜ୍ୟ ପାଇଁ ଲମ୍ବା ସମୟ। ମାତ୍ର ଦୀର୍ଘଦିନର ସ୍ଥିର ସରକାର ପରେ ବି ରାଜ୍ୟର ୨୦ଟି ଜିଲ୍ଲାର ଶିଶୁଙ୍କ ପୁଷ୍ଟି, ରକ୍ତହୀନତା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫ୍ରିକା ଦେଶମାନଙ୍କଠାରୁ ବି ଖରାପ ସ୍ଥିତିରେ ରହିଛି।”
ସେ ଆହୁରି କହିଛନ୍ତି, “ରାଜ୍ୟ ସରକାରଙ୍କ ସଫଳତା କେବଳ ପ୍ରଚାର ସର୍ବସ୍ୱ ହୋଇଛି। ଭୂମିହୀନଙ୍କୁ ଭୂମି ଯୋଗାଇ ଦେବାକୁ 'ଜାଗା ଯୋଜନା' ବିଷୟରେ ରାଜ୍ୟ ସରକାର ପ୍ରଚାର କରୁଛନ୍ତି। ହେଲେ ତଥ୍ୟ କହୁଛି, ରାଜ୍ୟରେ ୩୦ ଲକ୍ଷ ଭୂମିହୀନ ଅଛନ୍ତି। ଜିଲ୍ଲାପାଳମାନେ ଜାଗା ଯୋଗାଇ ଦେବାକୁ କ୍ଷମତାପ୍ରାପ୍ତ, ହେଲେ ୧୯ ବର୍ଷରେ ଏହି କ୍ଷେତ୍ରରେ ପ୍ରଗତି କାହିଁକି ନାହିଁ ?”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।