କଲମ ନିଶାରେ ବଳଭଦ୍ର, ସଂଗ୍ରହ କଲେଣି ୩ ହଜାର ପେନ୍

କଲମ ସଂଗ୍ରହକାରୀ ବଳଭଦ୍ର ରଥଙ୍କ ସହ ଏକ ଛୋଟ ସା‍କ୍ଷାତକାର

ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ ଆଗ୍ରସର ହେଉଛନ୍ତି। ଏ ସବୁ ଭିତରେ ଦେଶବିଦେଶର ଅନେକ ଦାମିକା ଓ ପ୍ରସିଦ୍ଧ କମ୍ପାନୀର କଲମ ମଧ୍ୟ ରହିଛି। ତାଙ୍କର ଏହି କଲମ ନିଶା ସଂପର୍କରେ କ’ଣ କହୁଛନ୍ତି ବଳଭଦ୍ର ପଢ଼ନ୍ତୁ।

ପ୍ରଶ୍ନ: ପେନ୍ ସଂଗ୍ରହର ନିଶା କେବେଠୁ?

ବଳଭଦ୍ର: ପେନ୍ ସଂଗ୍ରହର ନିଶା ଅନେକ ଦିନର। ସାମ୍ୱାଦିକତା ପଢିବାର ପ୍ରଥମ ବର୍ଷ ଥିଲା, ୨୦୧୨ ମସିହାର କଥା। ମୋର ଖାତାରେ ଡକ୍ଟର୍ ଫକୀରମୋହନ ନାହକ ତାଙ୍କ କଲମରେ ମୋ ନାଁଟି ଲେଖି ଦେଇଥିଲେ। ପେନ୍‌ଟି ଥିଲା କାଲିଗ୍ରାଫି। ତେବେ ସେ ଅକ୍ଷରଟି ଏତେ ସୁନ୍ଦର ହେଇଥିଲା ଯେ ମୁଁ ଭାବିଲି ମୁଁ କ’ଣ ଏମିତି ଲେଖିପାରିବି ନାହିଁ? ସେଇଠୁ ମନେ ପଡ଼ିଲା ମୋ ବାବାଙ୍କର ଗୋଟେ କଲମ ଥିଲା। ମୋ ବାବାଙ୍କର ଅକ୍ଷର ବି ସୁନ୍ଦର। ଗାଁକୁ ଯାଇଥିଲି, କାଳି କଲମଟି ଆଣିଲି ଏବଂ ଆଉ ଗୋଟେ କାଲିଗ୍ରାଫି ପେନ୍ କିଣି ଅଭ୍ୟାସ କଲି। କିଛିଦିନର ଅଭ୍ୟାସ ପରେ ଦେଖିଲି ଅକ୍ଷର ବହୁତ ସୁନ୍ଦର ହେଉଛି। ଖାଲି ସମୟରେ ପ୍ରତିଦିନ ଯାହା ମନକୁ ଆସିଲା ତାହା ଲେଖୁଥିଲି। ଏମିତିରେ ଦିନେ ଦେଖା ହୁଏ ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତଃ ଶ୍ରୀ ଅସୀମ ବସୁ, ଅସୀମଦାଙ୍କ ସହିତ। ଅସୀମ ବସୁଙ୍କ ପାଖକୁ ମୁଁ ଅନେକ ସମୟରେ ଯାଉଥିଲି। ଥିଏଟର୍ ନଥିଲେ ସେ ପ୍ରାୟ ଦିନ ମାଷ୍ଟର୍କ୍ୟାଣ୍ଟିନ୍ ପାଖ ଗୋଦାବରୀଶ ସାହିତ୍ୟ ସଂସଦକୁ ସଂଧ୍ୟାରେ ଆସୁଥିଲେ। ଗୋଟେ ଦିନ ସେ ପୁଳେ କଲମ ଆଣିଛନ୍ତି ଚିତ୍ର କରିବାକୁ। ତାଙ୍କ ଲେଖା ଦେଖି ଲୋଭ ବଢି ଯାଇଥିଲା। ଅସୀମଦାଙ୍କୁ ମୁଁ ପଚାରିଲି ଏ ପେନ୍ ସବୁ ଏଇଠି କୋଉଠି ମିଳୁଛି? ପେନ୍ ସବୁ କୋଉଠି ମିଳେ ସେ ମତେ କହିଲେ ଆଉ ଅକ୍ଷର ଲେଖା ସୌଖୀନ୍ ଦେଖି କହିଲେ, ତୋ ପାଖରେ ବି ଏମିତି କଳା ଅଛି, ମତେ କହିନୁ ତ ? ତା’ର ଦି’ଦିନ ପରେ ମୋତେ ଦି’ଟା କଲମ ଦେଲେ ଆଉ ଲେଟର୍‌ରେ ଷ୍ଟ୍ରୋକ୍ କେମିତି ବୁଲାଯାଏ ଶିଖେଇ ଦେଲେ। କିଛିଦିନ ଶିଖିଛି ଅସୀମ୍‌ ଦା’ ଆରପାରିକୁ ଚାଲିଗଲେ। ସେଇଠୁ ଶିଖିବା ବନ୍ଦ ହେଇଗଲା। ପରେ ସେ ମୋତେ ଯେତିକି ବତେଇଥିଲେ ସେତିକକୁ ପୁଞ୍ଜି କରି ଏକା ଅଭ୍ୟାସ କଲି। ପରେ ପରେ କଲମ ନିଶା ଏତେ ବଢିଗଲା ଯେ ବିଭିନ୍ନ ସ୍ଥାନରୁ ଖୋଜାଖୋଜି କରି ପେନ୍ ସଂଗ୍ରହରେ ଲାଗିଛି।

ପ୍ରଶ୍ନ: କୋଉଠୁ କୋଉଠୁ ସଂଗ୍ରହ କରିଛନ୍ତି ସବୁ ପେନ୍?

ବଳଭଦ୍ର: ମୋ ସ୍ୱଳ୍ପ ରୋଜଗାରର ସିଂହଭାଗ କଲମ ଆଉ ବହିପତ୍ର କିଣାକିଣିରେ ଯାଏ। ମୁଁ ଯେତେବେଳେ ଯେଉଁଠିକି ଯାଏ ଆଗ ଖବର ନିଏ ଭଲ କଲମ କୋଉଠି ମିଳିବ। କେବଳ କଲମ କିଣିବା ପାଇଁ ୪/୫ ବର୍ଷ ତଳେ ମୁଁ ପ୍ରତ୍ୟେକ ମାସେ, ଦୁଇମାସରେ କୋଲକାତା ଯାଉଥିଲି। କୋଲକାତାର ରାଇଟର୍ସ୍ ବିଲ୍ଡିଂ ତଳେ ଗୋଟେ ଦୋକାନ ଥିଲା, ସେଇଠି ସବୁ ପ୍ରକାର ଫରେନ୍ ପେନ୍ ମିଳୁଥିଲା, ଏବେ ବନ୍ଦ ହେଇଗଲାଣି। ସେଇଠୁ ବହୁତ ପେନ୍ କିଣିଛି। ମୋ ବୃତ୍ତିଗତ କାମରେ ଯେତେବେଳେ ବି ବାହାରକୁ ଯାଏ ସେଇ ସହରର କୋଉଠି ଭଲ କଲମ ଦୋକାନ ଅଛି ତାର ପତ୍ତା କରି ସେଇଠି ପହଞ୍ଚିଯାଏ। ଆଜିକାଲି ଅନ୍ଲାଇନ୍ରେ ବି ବହୁତ ପ୍ରକାରର କଲମ ମିଳୁଛି। ଏହା ବାଦେ ମୋର ପରମ ଶୁଭେଚ୍ଛୁ ଡକ୍ଟର୍ ଇନ୍ଦ୍ରମଣି ଜେନା, ପ୍ରଫେସର୍ ଅଭିନ୍ନଚନ୍ଦ୍ର ସାହୁ, ଡକ୍ଟର୍ ଜୀବନ ନାୟାର୍, ରାଜଧାନୀ କଲେଜର ଇଂରାଜୀ ଅଧ୍ୟାପିକା ଥିବା ମୋ ମାମିନ ନାନୀ, ଲୋକ ସେବକ ମଣ୍ଡଳର ଶ୍ରୀ ପ୍ରଭାସ ଆଚାର୍ଯ୍ୟ, ମୋ ରିକି ଭାଇ, ଭଂଜନଗରର ବାବୁଲି ଭାଇନା, ବିଜୟଲକ୍ଷୀ ମାଉସୀ, ମିଲନ୍ ଭାଇ, ରାଜା ଭାଇ, ମୋ ଦଦେଇ, ଦାଦା-ଖୁଡି, ସମସ୍ତେ ପାଖାପାଖି ୮ଶହରୁ ଅଧିକ ପେନ୍ ଦେଇଥିବେ। ବାବୁଲି ଭାଇନା, ଯାହାଙ୍କ କଥା ଆପଣଙ୍କୁ କହୁଥିଲି ସେ ମୋ କଲମ ନିଶାକୁ ଜବରଦସ୍ତ କରି ଦେଇଛନ୍ତି, ଅନେକ ପୁରୁଣା ପେନ୍ ସବୁ ବିଭିନ୍ନ ମାଧ୍ୟମରୁ ଯୋଗାଡ କରି ଦେଇଛନ୍ତି। ମୋ କଲମ ସଂଗ୍ରହର ନିଶା ଦେଖିକି ମୋର ଅନେକ ସଂପର୍କୀୟ, ବନ୍ଧୁମାନେ ମୋତେ ବହୁତ କଲମ ବି ଦେଇଛନ୍ତି। ମୋର ଆଉ ଜଣେ ଦାଦାପୁଅ ଭାଇ, ସିତୁ ଏବେ ଜର୍ମାନୀରେ ରହୁଛି। ତା’ର ଷ୍ଟଡିଟୁର୍‌ରେ ସେ ପ୍ରତିମାସରେ ଜର୍ମାନୀରୁ ୟୁରୋପରେ ଅନେକ ଦେଶକୁ ଯାଏ। ସିଏ ଯେଉଁ ଦେଶକୁ ଯାଏ, ସେହି ଦେଶର ପେନ୍ ମୋ ପାଇଁ ପେନ୍ କିଣିକି ପଠେଇ ଦିଏ। ବର୍ତ୍ତମାନ ସୁଦ୍ଧା ମୋ ପାଖରେ ୩ହଜାରରୁ ଉର୍ଦ୍ଧ୍ୱ କଲମ ଅଛି। ଆଉ ସବୁ କଲମ ଚାଲିବା ଅବସ୍ଥାରେ ଅଛି।

ପ୍ରଶ୍ନ: କାଲିଗ୍ରାଫି ପାଇଁ ବିଧିବଦ୍ଧ ଶିକ୍ଷା କେଉଁଠୁ ନେଇଛନ୍ତି?

ବଳଭଦ୍ର: ନା। ବୃତ୍ତିର ବଳୟ ଭିତରୁ ବାହାରିପାରିନି। ଏ କଳାକୁ କେବଳ ଏକ ସୌଖୀନ ଭାବେ ସବୁବେଳେ ଗ୍ରହଣ କରିଛି। ଆର୍ଟ୍ କଲେଜ ମାନଙ୍କରେ ପଢା ହୁଏ ବୋଲି ଖାଲି ଶୁଣିଛି। କିଛିଦିନ ତଳେ ତାଜମହଲ୍ ଯାଇଥିଲି। ତାଜ୍‌ମହଲ୍ କାନ୍ଥରେ କାଲିଗ୍ରାଫିରେ ଉର୍ଦ୍ଦୁ ଅକ୍ଷର ସବୁ ଲେଖା ହେଇଛି। ସେ ସମୟରେ ପଥର ଖୋଦେଇ ଯେମିତି ଲେଖା ହେଇଛି ତାହା ସତରେ ଆଶ୍ଚର୍ଯ୍ୟ। ସେସବୁ ଦେଖିକି ଲାଗୁଥିଲା ଅକ୍ଷର ଦ୍ୱାରା ପଥରରେ ଫୁଲ ଫୁଟା ହେଇଛି। ସେଇଠୁ କିଛି ଫଟୋ ଉଠେଇକି ଆଣିଛି। ମୋର ଆଉ ଜଣେ ବଡ଼ଭାଇ ମାନସରଂଜନ ବାରିକ, ଯିଏ ଏବେ ଚିତ୍ରକୋଣ୍ଡାରେ ଏସ୍‌ଡିପିଓ ଅଛନ୍ତି ସିଏ ଭୁବନେଶ୍ୱର ଆସିଲେ ମିଶିକି କାଲିଗ୍ରାଫି ଲେଖାରେ ମାତିଯାଉ। ସିଏ ଜେଏନ୍‌ୟୁ, ଦିଲ୍ଲୀରେ ପଢିଲା ବେଳେ କାଲିଗ୍ରାଫି ଶିଖିଛନ୍ତି।

ପ୍ରଶ୍ନ: ଆପଣଙ୍କ ନଜରରେ ଆଉ କିଏ କଲମ ସଂଗ୍ରହ କରନ୍ତି?

ବଳଭଦ୍ର: ସେ ବାବଦରେ ବିଶେଷ ଧାରଣା ନାହିଁ। ହଁ, ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର୍ ଭାସ୍କର ମିଶ୍ର ବହୁତ କଲମ ସଂଗ୍ରହ କରିଛନ୍ତି। ସେ ପୁରୀରେ ରହନ୍ତି। ତାଙ୍କ ଘର ହେଉଛି କଲମର ଗୋଟେ ଗନ୍ତାଘର। କଲମ ସଂଗ୍ରହ ଆଉ କାହା ପାଖରେ ଅଛି ସେ ବିଷୟରେ ଜଣାନାହିଁ।