ବ୍ରଜରାଜନଗର ଉପନିର୍ବାଚନ: ୨.୧୪ ଲକ୍ଷ ଭୋଟରଙ୍କ ପାଇଁ ୨୭୯ଟି ବୁଥ୍ , ଘରେ ରହି ଭୋଟ୍ ଦେବେ ଦିବ୍ୟାଙ୍ଗ ଓ ବୟସ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୧୪ହଜାର ୭୪୫ଜଣ ଭୋଟର ଥିବାବେଳେ ଚଳିତଥର ମୋଟ ୨୭୯ଟି ବୁଥ ପ୍ରସ୍ତୁତ ହୋଇଛି । ନିର୍ବାଚନରେ ଇଭିଏମ୍ ମାଧ୍ୟମରେ ଭୋଟଗ୍ରହଣ ହୋଇଛି ଓ ୭୦୦ଟି ଭିଭିପାଟ୍ ମେସିନ୍ ବ୍ୟବସ୍ଥା ହୋଇଛି । ତେବେ ୮୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଘରେ ରହି ଭୋଟ୍ […]

Vote

Ordigital Desk
  • Published: Wednesday, 04 May 2022
  • , Updated: 04 May 2022, 07:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୧୪ହଜାର ୭୪୫ଜଣ ଭୋଟର ଥିବାବେଳେ ଚଳିତଥର ମୋଟ ୨୭୯ଟି ବୁଥ ପ୍ରସ୍ତୁତ ହୋଇଛି । ନିର୍ବାଚନରେ ଇଭିଏମ୍ ମାଧ୍ୟମରେ ଭୋଟଗ୍ରହଣ ହୋଇଛି ଓ ୭୦୦ଟି ଭିଭିପାଟ୍ ମେସିନ୍ ବ୍ୟବସ୍ଥା ହୋଇଛି । ତେବେ ୮୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଘରେ ରହି ଭୋଟ୍ ଦେଇପାରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ବ୍ରଜରାଜନଗର ଉପନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା ବୈଠକ କରିଛନ୍ତି । ଆଜିଠୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୨ଲକ୍ଷ ୧୪ହଜାର ୭୪୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ପ୍ରତି ବୁଥରେ ସର୍ବାଧିକ ୧୨୫୦ଜଣ ଭୋଟର ଭୋଟ୍ ଦେବାର ପ୍ରାବଧାନ ଥିବାରୁ ୨୭୯ଟି ବୁଥ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଉପନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି,ଇଭିଏମ୍ ଓ ଭିଭିପାଟ୍ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ତାଲିମ, କଂଟ୍ରୋଲ ରୁମ୍ ଖୋଲିବା ସହ ଉପନିର୍ବାଚନ ସଂକ୍ରାନ୍ତ ସମସ୍ତ ପ୍ରସ୍ତୁତି ଠିକ୍ ସମୟରେ ସାରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନମଣ୍ଡଳୀରେ ମୋଟ ୨.୧୪ଲକ୍ଷ ଭୋଟରଙ୍କ ମଧ୍ୟରେ ୮୦ବର୍ଷ ବୟସରୁ ଅଧିକ ୩୧୨୭ଜଣ ଓ ଦିବ୍ୟାଙ୍ଗ ଭୋଟର ୩୫୧୯ଜଣ ଅଛନ୍ତି । ଏହି ମୋଟ ୬୬୪୬ଜଣ ଭୋଟର ଚାହିଁଲେ ନିଜ ଘରେ ରହି ପୋଷ୍ଟାଲ ବାଲାଟରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ତେବେ ୩୧ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ସେମାନେ ଦିନକ ପୂର୍ବରୁ ପୋଷ୍ଟାଲ ବାଲାଟରେ ନିଜର ଭୋଟ୍ ଦାନ କରିବେ ।

ଉପନିର୍ବାଚନ ପାଇଁ ୬୯୯ଟି ବାଲାଟ୍ ୟୁନିଟ , ୬୮୬ଟି କଂଟ୍ରୋଲ ୟୁନିଟ୍ ଓ ୭୦୦ଟି ଭିଭିପାଟ୍ ଜିଲ୍ଲାକୁ ପଠା ଯାଇ ସାରିଛି ଓ ଏସବୁର ପ୍ରଥମସ୍ତରୀୟ ବୈଷୟିକ ଯାଂଚ ମଧ୍ୟ ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ୩ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ତତ୍ପରତା ପ୍ରକାଶ ପାଇଛି । ବିଜେଡି ଆଜି ନିର୍ବାଚନମଣ୍ଡଳୀରେ ଏକ ମିଟିଂ ଡାକି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପ୍ରାର୍ଥୀ କରିବେ ତାକୁ ସମସ୍ତେ ସ୍ୱୀକାର କରିବେ ବୋଲି ଏକ ସଂକଳ୍ପପତ୍ର ଗୃହୀତ କରିଛି । ସେପଟେ ବିଜେପିର ପ୍ରାର୍ଥୀ କିଏ ହେବ ତାହା ଚୂଡ଼ାନ୍ତ ପାଇଁ ଦଳର ପ୍ରଭାରୀ ଓ ସହପ୍ରଭାରୀ ଓଡ଼ିଶା ଆସି ନେତାମାନଙ୍କ ସହ ଆଲୋଚନା କରିବେ ଓ ସଂସଦୀୟ ଦଳ ଏହି ପ୍ରାର୍ଥୀ ଘୋଷଣା କରିବେ । କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ଚୟନ କରିବା ପାଇଁ ଏକ କମିଟି ଗଠନ କରିଛି ।

ସୂଚନାଯୋଗ୍ୟ, ବ୍ରଜରାଜନଗରରୁ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ୨୦୨୧ ଡିସେମ୍ବର ୩୦ତାରିଖରେ ମୃତ୍ୟୁ ହେବାର ଏହି ଆସନ ଖାଲି ପଡ଼ିଛି।

Related story