Advertisment

କଟକ ବଡ଼ ମେଡିକାଲର ବିକଳ ଚିତ୍ର: ବୁହା ହେଉଛି ରୋଗୀ, ଷ୍ଟ୍ରେଚରରେ ଯାଉଛି ଜିନିଷ

କଟକ(ଓଡ଼ିଶା ରିପୋର୍ଟର): କେତେବେଳେ ରାସ୍ତା ନ ଥିବାରୁ ତ କେତେବେଳେ ଆମ୍ବୁଲାନ୍ସ ଅଭାବରୁ ରୋଗୀଙ୍କୁ ମାଇଲ ମାଇଲ ବାଟ ବୋହି  ନେବା ଘଟଣା ରାଜ୍ୟରେ ନିତିଦିନିଆ ହୋଇଗଲାଣି। ହେଲେ ଉପାନ୍ତ ଅଞ୍ଚଳର ଏପରି କରୁଣ ଚିତ୍ର ଏବେ  କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଷ୍ଟ୍ରେଚର ମିଳୁ ନଥିବାରୁ ରୋଗୀଙ୍କୁ ସଂପର୍କୀୟମାନେ ବୋହି ନେଉଥିବା ଦେଖିବାକୁ ମିଳିଛି। ବିଡ଼ମ୍ବନାର କଥା ଏଠାରେ ରୋଗୀଙ୍କ ପାଇଁ ଷ୍ଟ୍ରେଚର ମିଳୁ ନ ଥିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ଓ […]

author-image
Niharika Rout
ଅଦ୍ୟତନ ହୋଇଛି
କଟକ ବଡ଼ ମେଡିକାଲର ବିକଳ ଚିତ୍ର: ବୁହା ହେଉଛି ରୋଗୀ, ଷ୍ଟ୍ରେଚରରେ ଯାଉଛି ଜିନିଷ

ctc

କଟକ(ଓଡ଼ିଶା ରିପୋର୍ଟର): କେତେବେଳେ ରାସ୍ତା ନ ଥିବାରୁ ତ କେତେବେଳେ ଆମ୍ବୁଲାନ୍ସ ଅଭାବରୁ ରୋଗୀଙ୍କୁ ମାଇଲ ମାଇଲ ବାଟ ବୋହି  ନେବା ଘଟଣା ରାଜ୍ୟରେ ନିତିଦିନିଆ ହୋଇଗଲାଣି। ହେଲେ ଉପାନ୍ତ ଅଞ୍ଚଳର ଏପରି କରୁଣ ଚିତ୍ର ଏବେ  କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଷ୍ଟ୍ରେଚର ମିଳୁ ନଥିବାରୁ ରୋଗୀଙ୍କୁ ସଂପର୍କୀୟମାନେ ବୋହି ନେଉଥିବା ଦେଖିବାକୁ ମିଳିଛି। ବିଡ଼ମ୍ବନାର କଥା ଏଠାରେ ରୋଗୀଙ୍କ ପାଇଁ ଷ୍ଟ୍ରେଚର ମିଳୁ ନ ଥିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ଓ ସାଲାଇନ୍ ଆଦି ଜିନିଷପତ୍ର ବୋହିବାକୁ ଷ୍ଟ୍ରେଚର ଉପଲବ୍ଧ ହେଉଛି।

Advertisment

ଶୁକ୍ରବାର କଟକ ସଦର ବ୍ରାହ୍ଣଣଝରିଲୋର ରାମ ସିଂ ତାଙ୍କ ପତ୍ନୀଙ୍କୁ କଟକ ବଡ଼ ଡାକ୍ତରଖାନାର ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ସେ ବିଭିନ୍ନ ପରୀକ୍ଷା କରାଇବାକୁ କହିଥିଲେ । ରାମଙ୍କ ସ୍ତ୍ରୀ ଚାଲିବାକୁ ଅକ୍ଷମ ଥିବାରୁ ସେ ଷ୍ଟ୍ରେଚର କିମ୍ବା ବ୍ୟାଟେରୀ ଗାଡ଼ି ପାଇଁ ନେହୁରା ହୋଇଥିଲେ। ମାତ୍ର  ଷ୍ଟ୍ରେଚର ନ ମିଳିବାରୁ ସେ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀଙ୍କୁ ବୋହି ନେଇଥିଲେ।

ସୂଚନା ଅନୁସାରେ, ଏସସିବିରେ ୨ଟି କାଜୁଆଲିଟି ରହିଥିବା ବେଳେ ସେଥିରେ ୫୦ରୁ ଅଧିକ ଷ୍ଟ୍ରେଚର ଓ ହ୍ୱିଲ ଚେୟାର ରହିଛି। କିନ୍ତୁ ଏହା ହଜି ଯାଉଥିବା ବାହାନାରେ ଏସସିବି କର୍ମଚାରୀ ସେଗୁଡ଼ିକୁ ତାଲା ପକାଇ ରଖୁଛନ୍ତି। ଫଳରେ ଆବଶ୍ୟକ ସ୍ଥଳେ ଏହା ରୋଗୀଙ୍କ କାମରେ ଆସି ପାରୁନି।  ଅପରପକ୍ଷେ ରୋଗୀଙ୍କୁ ଷ୍ଟ୍ରେଚର ମିଳୁ ନଥିବା ବେଳେ ସେଗୁଡ଼ିକୁ ଡାକ୍ତରଖାନାର ଜିନିଷପତ୍ର ବୋହିବା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।

Advertisment

ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଏସସିବି ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି, ଏହି ଘଟଣା ଆମ ନଜରକୁ ଆସି ନାହିଁ।କାଜୁଆଲିଟି ଓ ୱାର୍ଡକୁ ବହୁ ସଂଖ୍ୟାରେ ଷ୍ଟ୍ରେଚର ସପ୍ଲାଏ କରଯାଇଛି। ବହୁ ଜିନିଷ ଆମ ଅଜାଣତରେ ହେଉଛି। ଯାହା ହେଉଥିବା ଖବର ପାଇବୁ, ତାହାକୁ ଗୁରୁତର ସହ ନେଇ ତୁରନ୍ତ ତା’ର ସମାଧାନ କରିବା ପାଇଁ ଚେଷ୍ଟା କରିବୁ।

କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଏଠାକାର ଏପରି ଅବ୍ୟବସ୍ଥା ସାମ୍ନାକୁ ଆସିଛି, ଯାହା ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Cuttack Scb Medical