ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ପ୍ରାୟ ଏକ କୋଟି ଲୋକ ଆଦିବାସୀ ସମୁଦାୟ(ଅନୁସୂଚିତ ଜନଜାତି ବର୍ଗ)ର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ‘ସାମ୍ବିଧାନିକ ହକ୍’କୁ ଚାପି ଦେଇଛନ୍ତି। ଏପରିକି ସମ୍ବିଧାନର ଧାରା ୨୨୪(୧) ଅନୁସାରେ ରାଜ୍ୟରେ ‘ଆଦିବାସୀ ଉପଦେଷ୍ଟା ପରିଷଦ’ (ଟିଏସି) ଗଠନ କରିବାର ବାଧ୍ୟତାମୂଳକ ପ୍ରାବଧାନ ସତ୍ତ୍ୱେ ରାଜ୍ୟ ସରକାର ଉଦ୍ଦେଶ୍ୟମୂଳକ ଭାବେ ୨ବର୍ଷରୁ ଅଧିକ ସମୟ ହେଲା ଟିଏସିକୁ ସମ୍ପୂର୍ଣ୍ଣ ପଙ୍ଗୁ କରି ପକାଇ ରଖିଛନ୍ତି। ପୂର୍ବରୁ ସ୍ଥାଣୁ ଅବସ୍ଥାରେ ଥିବା ଟିଏସି ଶେଷଥର ପାଇଁ ୨୦୧୮ ଜାନୁୟାରୀ ୩୧ତାରିଖରେ ପୁର୍ନଗଠନ ହୋଇଥିଲା, କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ସହ ଏହାର କାର୍ଯ୍ୟକାଳ ସମାପ୍ତ ହୋଇସାରିଛି। ତଥାପି ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଓ ବିକାଶ ନାଁରେ ଭୋଟ ରାଜନୀତି କରୁଥିବା ଦଳଗୁଡ଼ିକ ଏହି ଟିଏସି ଗଠନକୁ ନେଇ ନିରବଦ୍ରଷ୍ଟା ପାଲଟିଛନ୍ତି। ଟିଏସି ଗଠନ କାହିଁକି ହୋଇପାରୁନି ତା’ର ଉତ୍ତର ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ନଥିବାବେଳେ ପ୍ରମୁଖ ବିରୋଧୀ ଦଳ ବିଜେପି ମଧ୍ୟ ସନ୍ତୋଷଜନକ ଜବାବ ରଖିବାରେ ସକ୍ଷମ ହୋଇନି।
ମିଳିଥିବା ସୂଚନା ଅନୁସାରେ, ସମ୍ବିଧାନର ପଂଚମ ଅନୁଚ୍ଛେଦ ଅନ୍ତର୍ଗତ ଓଡ଼ିଶା ଆଦିବାସୀ ଉପଦେଷ୍ଟା ପରିଷଦ ରୁଲ୍-୧୯୫୦ର ପ୍ରାବଧାନ ଅନୁସାରେ ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି) କମିଟି ବର୍ଷକୁ ସର୍ବନିମ୍ନ ୨ଥର ବୈଠକ କରିବା ଜରୁରୀ। ଟିଏସି ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଓ ଉପାଧ୍ୟକ୍ଷ ଭାବେ ଅନୁସୂଚିତ ଜନଜାତି (ଆଦିବାସୀ) ବିଭାଗର ମନ୍ତ୍ରୀଙ୍କୁ କାର୍ଯ୍ୟ କରିଥାନ୍ତି । ମୋଟ ୨୦ଜଣ ସଦସ୍ୟଙ୍କୁ ନେଇ ଏହି ଟିଏସି ଗଠନ ହୋଇଥାଏ, ଯେଉଁଥିରେ ୧୫ଜଣ ସଦସ୍ୟ ଅନୁସୂଚିତ ଜନଜାତି ବର୍ଗର ହେବା ବାଧ୍ୟତାମୂଳକ। ଆଦିବାସୀ ବର୍ଗର ବିଧାୟକ ଓ ସାଂସଦଙ୍କୁ ଏହି ଟିଏସି ସଦସ୍ୟ ଭାବେ ସାମିଲ କରାଯାଇଥାଏ।
ତେବେ ଆଶ୍ଚର୍ଯ୍ୟ ଓ ପରିତାପର କଥା ଯେ, ଓଡ଼ିଶାର ୭ଟି ଜିଲ୍ଲା ସମ୍ପୂର୍ଣ୍ଣ ଓ ୬ଟି ଜିଲ୍ଲା ଆଂଶିକ ଭାବେ ସିଡ୍ୟୁଲଡ୍ ଏରିଆର ପରିସରଭୁକ୍ତ ହୋଇଥିବାବେଳେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜକୁ ଆଦିବାସୀଙ୍କୁ ହିତୌଷୀ ବୋଲି ବାରମ୍ବାର ଦାବି କରୁଛି। କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କ୍ଷମତାକୁ ଆସିବା ପରଠୁ ଗତ ୨୧ବର୍ଷ ମଧ୍ୟରେ ଟିଏସି ବୈଠକ ମାତ୍ର ୧୬ଥର ବସିଛି। ୨୦୦୨ ଓ ୨୦୦୭ ମସିହାକୁ ବାଦ୍ ଦେଲେ ଅନ୍ୟ କୌଣସି ବର୍ଷ ଟିଏସି ବୈଠକ ୨ଥର ବସିବା ସମ୍ଭବପର ହୋଇନି। ଶେଷଥର ପାଇଁ ୨୦୧୮ ଜୁନ୍ ୨୮ତାରିଖରେ ଟିଏସି ବୈଠକ ବସିଥିଲା, ତା’ପୁଣି ବିଧାନସଭାରେ ଅନୁସୂଚିତ ଜନଜାତି ବର୍ଗର ବିଧାୟକମାନେ ଉଦବେଗ ବ୍ୟକ୍ତ କରିବା ସହ ହଟ୍ଟଗୋଳ କରିବା ପରେ ସରକାର ଏହି ଟିଏସି ବୈଠକ ଡାକିଥିଲେ । ତା’ପୂର୍ବରୁ ୨୦୧୫ ମେ’ ୧୪ତାରିଖରେ ଟିଏସି ବୈଠକ ଅନୁଷ୍ଠିତ ହୋଇଥିଲା।
ଭୋଟବ୍ୟାଙ୍କ ରାଜନୀତିରେ ମାହିର ବିଜେଡି ସରକାର ଦେଶର ସମ୍ବିଧାନିକ ପ୍ରାବଧାନକୁ ଅଣଦେଖା କରି ୨୦୧୯ ସାଧାରଣ ନିର୍ବାଚନ ପରଠୁ ଟିଏସିର ପୁର୍ନଗଠନ କରୁନଥିବାବେଳେ ଅନ୍ୟ ବିରୋଧୀ ଦଳ ଓ ଆଦିବାସୀ ସଂଗଠନଗୁଡ଼ିକ ମଧ୍ୟ ଏନେଇ ଚୁପ୍ ବସିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହି ପରିଷଦର ଅଧ୍ୟକ୍ଷ ଥିଲେ ମଧ୍ୟ ସମ୍ବିଧାନିକ ହକରୁ ଆଦିବାସୀଙ୍କୁ ବଂଚିତ କରାଯାଉଛି । ବିଧାନସଭାରେ ୩୫ଜଣ ଆଦିବାସୀ ବିଧାୟକଙ୍କ ମଧ୍ୟରୁ ୧୧ଜଣ ବିଜେପିର, ୨ଜଣ କଂଗ୍ରେସ, ଜଣେ ସିପିଏମ୍ ଓ ଜଣେ ସ୍ୱାଧୀନ ବିଧାୟକ ଏବଂ ୨୦ଜଣ ବିଜେଡିର ରହିଛନ୍ତି। ତଥାପି ବିଜେପି କିମ୍ବା କଂଗ୍ରେସ ଗତ ୨ବର୍ଷ ମଧ୍ୟରେ ଏହି ଟିଏସି କାହିଁକି ପୁର୍ନଗଠନ ହେଉନି ସେ ନେଇ ସରକାରଙ୍କୁ ପ୍ରଶ୍ନ କରିବାର ସାହାସ ଜୁଟାଇ ପାରିନାହାନ୍ତି। ଯଦିଓ ବିଜେପିକୁ ଆଦିବାସୀ ଅଂଚଳରେ ଅଧିକ ଆସନ ମିଳିଛି।
ଅନ୍ୟପକ୍ଷରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଟିଏସି ପୁର୍ନଗଠନରେ ବିଳମ୍ବ ହେଉଥିବାକୁ ସ୍ୱୀକାର କରିଥିଲେ ମଧ୍ୟ କାହିଁକି ବିଳମ୍ବ ହେଉଛି ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି। ଟିଏସି କେବେ ସୁଦ୍ଧା ସରକାର ଗଢ଼ିବେ ତା’ର ମଧ୍ୟ ଉତ୍ତର ତାଙ୍କ ପାଖରେ ନାହିଁ। ଟିଏସି ପୁର୍ନଗଠନକୁ ନେଇ ବିଭାଗୀୟ ମନ୍ତ୍ରୀ ନିଜର ଅସହାୟତା ପ୍ରକଟ କରିଥିବାବେଳେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଟିଏସି ଗଠନ ପାଇଁ ଖୁବଶୀଘ୍ର ସରକାରଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯିବ। ୨ବର୍ଷ ହେଲା ଟିଏସି ନଥିଲେ ମଧ୍ୟ ସେ ନେଇ ବିଜେପି ଯେଭଳି ଦାବି ଉଠାଇବା କଥା ତାହା କରାଯାଇନି ବୋଲି ସେ କହିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଅଣଆନୁଷ୍ଠାନିକ ଭାବେ ଟିଏସି ପୁର୍ନଗଠନ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର କଥାକଥାକେ ଆଦିବାସୀଙ୍କ ପାଇଁ ଦରଦ ଦେଖାଉଥିବାବେଳେ ମୁଖ୍ୟମନ୍ତ୍ରୀ ଖୋଦ୍ ଅଧ୍ୟକ୍ଷ ରହିଥିବା ଆଦିବାସୀ ଉପଦେଷ୍ଟା କମିଟିକୁ ଗଠନ କରାଯାଉନଥିବାରୁ ଆଦିବାସୀଙ୍କ ସ୍ୱାର୍ଥକୁ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ତାହା ଜଣାପଡ଼ିଯାଉଛି।
ସୂଚନାଯୋଗ୍ୟ, ରାଜ୍ୟର ୨୨.୮୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜନଜାତି ବର୍ଗର। ୧୩ଟି ଆଦିମ ଜନଜାତି ସମେତ ମୋଟ ୬୨ଟି ସମୁଦାୟର ଆଦିବାସୀ ଓଡ଼ିଶାରେ ରହିଛନ୍ତି ଯେଉଁମାନଙ୍କ ସଂଖ୍ୟା ପ୍ରାୟ ଏକ କୋଟି ହେବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।