ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ସଂସାର ଉଜୁଡ଼ିଗଲା । ମୋ ଝିଅର ଆତ୍ମହତ୍ୟା ପାଇଁ ଯେଉଁମାନେ ଦାୟୀ ପୁଲିସ୍ ସେମାନଙ୍କୁ ଜାଣିଶୁଣି ଗିରଫ କରୁନି। ସେମାନଙ୍କୁ ଗିରଫ ନ କରିବା ଯାଏ ଏଠାରେ ଧାରଣାରେ ବସିବି। ନ୍ୟାୟ ନ ମିଳିବା ଯାଏ ଏଠାରେ ହିଁ ବସିବି । ’ କୋହଭରା କଣ୍ଠରେ ଏପରି କହିଛନ୍ତି ବିଜେପି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ । ଝିଅର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ତାଙ୍କ ବାପା ମା’ କଲେଜ ଗେଟ୍ ସମ୍ମୁଖରେ ଗତକାଲି ରାତି ସାରଣା ଧାରଣାରେ ବସିଥିବା ବେଳେ ଆଲୋଚନା ପାଇଁ କେହି ବି ଘଟଣାସ୍ଥଳକୁ ଆସି ନ ଥିବା ଜଣାଯାଇଛି।
ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଗତ ଶନିବାର କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ବେଳେ ଏହାକୁ ନେଇ ଘନେଇବାରେ ଲାଗିଛି ବିବାଦ । ୩ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ରୁଚିକା ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଉକ୍ତ ୩ ଛାତ୍ରୀଙ୍କୁ ଗିରଫ ସହ ଏଥିରେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ଗିରଫଦାରୀ ଦାବିରେ ଗତକାଲି ରାତି ସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ବାପାମା’ । ଝିଅ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ନବ ନିର୍ମାଣ ଛାତ୍ର ସଂଗଠନ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛି ।
ସେପଟେ ସୁଇସାଇଡ୍ ନୋଟ୍ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ତାକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ୍ ସବୁ ଜାଣି ବି କ୍ତ ୩ ଛାତ୍ରୀଙ୍କୁ ଗିରଫ କରୁନି ବୋଲି ଅଭିଯୋଗ ଆଣିଛନ୍ତି ରୁଚିକାଙ୍କ ମା’ । ସେମାନଙ୍କୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଗିରଫ କରିବାକୁ ସେମାନେ ନିଜ ଦାବିରେ ଅଡ଼ି ବସିଛନ୍ତି । ଯେଉଁ ପର୍ଯ୍ୟନ୍ତ ସେହି ୩ ସିନିଅରଙ୍କୁ ଗିରଫ କରାଯାଇନି, ସେପର୍ଯ୍ୟନ୍ତ ଏଠାରୁ ଉଠିବେ ନାହିଁ ବୋଲି ରୁଚିକାଙ୍କ ମା’ କହିଛନ୍ତି ।
ଏନେଇ ରୁଚିକାଙ୍କ ବାପା କହିଛନ୍ତି, କଲେଜର ଫେୟାରୱେଲ ଫଙ୍କସନ୍କୁ ନେଇ ୩ ସିନିୟର ଛାତ୍ରୀ ଗାଳିଗୁଲଜ କରୁଥିବା ନେଇ ଝିଅ ପ୍ରାୟ ୨ ମାସ ପୂର୍ବେ ତା’ ମା’କୁ କହିଥିଲା। ହେଲେ ସବୁ ସହିନେବାକୁ ତା’ ମା’ ତାକୁ କହିଥିଲା। ଏ ଘଟଣା ମୋ ନଜରକୁ ଆସି ନ ଥିଲା। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ, ଯେପରି ଭବିଷ୍ୟତରେ ଆଉ କୌଣସି ଅଭିଭାବକ ନିଜ ସନ୍ତାନଙ୍କୁ ହରାଇବାର କଷ୍ଟ ନ ପାଆନ୍ତୁ।
ସୂଚନାଯୋଗ୍ୟ, ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଟିମ୍ରେ ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବଇନ୍ସପେକ୍ଟର ରହିଛନ୍ତି। ହଷ୍ଟେଲର ସମସ୍ତ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରାଯାଉଛି। ହଷ୍ଟେଲ ଓ୍ୱାର୍ଡେନ୍, ସୁପରିଟେଣ୍ଡେଣ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।
https://youtu.be/zQ9Ll1RUHTw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।