Advertisment

Subahak yojana: କର୍ଣ୍ଣାଟକ ଢ଼ାଂଚାରେ ଓଡ଼ିଶାରେ ‘ସୁବାହକ ଯୋଜନା’, ୪ବର୍ଷରେ ମାତ୍ର ୧୧୦୦ଜଣ ମହିଳାଙ୍କୁ ମିଳିବ କାର ସବସିଡି

ବ୍ୟାଙ୍କ ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ କାର କିଣିବା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ମହିଳାମାନେ ଋଣର ୧୦ ପ୍ରତିଶତ ଅର୍ଥାତ୍ ୧ଲକ୍ଷ ଟଙ୍କା ମୂଳଧନ ଦେଇ କାର କିଣିବେ । ଏହି ବ୍ୟାଙ୍କ ଋଣର କିସ୍ତିକୁ ୫ବର୍ଷ ମଧ୍ୟରେ ପରିଶୋଧ କରିବେ ।

Women-Car-dirver

Transport Secretary Usha Padhee(Right) with her women Driver

Advertisment

କର୍ଣ୍ଣାଟକ ସରକାରଙ୍କ ‘ସ୍ୱାବଲମ୍ବୀ ସାରଥୀ’ ଯୋଜନା ଢ଼ାଂଚାରେ ଓଡ଼ିଶା ସରକାର ‘ଆମ ସୁବାହକ ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।  ଆଗାମୀ ୪ବର୍ଷ ମଧ୍ୟରେ ଏହି ଯୋଜନାରେ ନିର୍ଦ୍ଦିଷ୍ଟ ବର୍ଗର ମାତ୍ର ୧୧୦୦ଜଣ ମହିଳାଙ୍କୁ କାର(ଟ୍ୟାକ୍ସି) କିଣିବା ପାଇଁ ସର୍ବାଧିକ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ରିହାତି ପ୍ରଦାନ କରିବେ ସରକାର । ହିତାଧିକାରୀଙ୍କୁ କାର କିଣିବା ପାଇଁ ଅତିକମରେ ୧ଲକ୍ଷ ଟଙ୍କା ମୂଳଧନ ଦେବାକୁ ପଡ଼ିବ ଏବଂ ୫ବର୍ଷ ମଧ୍ୟରେ ବ୍ୟାଙ୍କଋଣ ସୁଝିବାକୁ ମଧ୍ୟ ପଡ଼ିବ । ଏସବୁ ବ୍ୟତୀତ ଇଲେକ୍ଟ୍ରିକ କାର(ଇଭି) କ୍ରୟ କଲେ ସରକାର ଅଧିକ ୨ଲକ୍ଷ ଟଙ୍କା ପ୍ରୋତ୍ସାହନ ଦେବେ । ତେବେ ମହିଳାଙ୍କୁ ଆତ୍ମନିର୍ଭର କରିବା ନିମନ୍ତେ ଉଦ୍ଦିଷ୍ଟ ଏହି ଯୋଜନା ଆରମ୍ଭ ପୂର୍ବରୁ ଏହାର ସର୍ତ୍ତାବଳୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ମହିଳା ଡ୍ରାଇଭରଙ୍କୁ ପ୍ରୋତ୍ସାହନ ପାଇଁ ‘ଆମ ସୁବାହକ ଯୋଜନା’


ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହିଳା ( Women) ଡ୍ରାଇଭରଙ୍କ ସମେତ ସୁଭଦ୍ରା ହିତାଧିକାରୀ, କ୍ରୁଟ୍ ବସ ଡ୍ରାଇଭର, ମହିଳା ଏସଏଚଜି ସଦସ୍ୟାମାନଙ୍କୁ କାର(ଟ୍ୟାକ୍ସି) କିଣାଇବାରେ ସରକାର ସହଯୋଗ ଯୋଗାଇ ଦେବେ । ବ୍ୟାଙ୍କ ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ କାର କିଣିବା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ମହିଳାମାନେ ଋଣର ୧୦ ପ୍ରତିଶତ ଅର୍ଥାତ୍ ୧ଲକ୍ଷ ଟଙ୍କା ମୂଳଧନ ଦେଇ କାର କିଣିବେ । ଏହି ବ୍ୟାଙ୍କ ଋଣର କିସ୍ତିକୁ ୫ବର୍ଷ ମଧ୍ୟରେ ପରିଶୋଧ କରିବେ । ରାଜ୍ୟ ସରକାର ବ୍ୟାଙ୍କ ଋଣ ଉପରେ ବାର୍ଷିକ ୧୧ପ୍ରତିଶତ ସୁଧ ଯୋଗାଇ ଦେବେ । ବାଣିଜ୍ୟ ଓ ପରିବହନ ବିଭାଗର ଏହି (Subahak yojana) ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।


୬୨୧୬ ମହିଳା ତାଲିମପ୍ରାପ୍ତ, ୪ବର୍ଷରେ ମାତ୍ର ୧୧୦୦ ଦେବେ ସରକାର


ବିଭାଗର ଯୋଜନା ଅନୁସାରେ, ରାଜ୍ୟ ସରକାରଙ୍କ ୪ଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକରେ ଏବେ ସୁଦ୍ଧା ଡ୍ରାଇଭିଂ ଟ୍ରେନିଂ ନେଇଥିବା ୬୨୧୬ଜଣ ମହିଳାଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି ।  ମାତ୍ର ଆଗାମୀ ୪ବର୍ଷରେ ମୋଟ ୧୧୦୦ ଜଣ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପ୍ରଥମ ବର୍ଷରେ ୨୦୦ଜଣ, ଦ୍ୱିତୀୟ ବର୍ଷରେ ୨୫୦ଜଣ, ତୃତୀୟ ବର୍ଷରେ ୩୦୦ଜଣ ଏବଂ ଚତୁର୍ଥ ବର୍ଷରେ ୩୫୦ଜଣ ମହିଳାଙ୍କୁ ଏହି କାର କିଣିବା ପାଇଁ ବ୍ୟାଙ୍କ ମାଧ୍ୟମରେ ୧୦ଲକ୍ଷ ଟଙ୍କା ଲେଖାଏଁ ଋଣ ଦିଆଯିବ । ଯଦି ଇଭି ଗାଡ଼ି କିଣିବେ ତେବେ (Government Schemes Odisha) ସରକାରୀ ପ୍ରୋତ୍ସାହନ ବାବଦକୁ ଅଧିକ ୨ଲକ୍ଷ ଟଙ୍କା ମଧ୍ୟ ମିଳିବ । 

Advertisment


କେଉଁମାନଙ୍କୁ ମିଳିବ ଏହି ସୁବିଧା


ରାଜ୍ୟରେ ବିଜେଡି ସରକାର ଅମଳରେ ‘ମିଶନଶକ୍ତି’ ଯୋଜନାରେ ସ୍କୁଟି କିଣିଥିବା ମହିଳାମାନେ ଏବେବି ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରାଜ୍ୟ ପରିବହନ ବିଭାଗ ‘ଆମ ସୁବାହକ ଯୋଜନା’ ନାଁରେ ରାଜ୍ୟର ୨୧ରୁ ୪୦ବର୍ଷର ମହିଳାଙ୍କୁ ଟ୍ୟାକ୍ସି କିଣିବାକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ୫ବର୍ଷ ପାଇଁ ସୁଧରିହାତି ଦେବ । ତେବେ ଏଥିପାଇଁ ସମ୍ପୃକ୍ତ ମହିଳାଙ୍କ ପରିବାରର ବାର୍ଷିକ ଆୟ ୩ଲକ୍ଷ ଟଙ୍କା ହୋଇଥିବାବେଳେ ସରକାରୀ ପ୍ରତିଷ୍ଠାନରେ ଡ୍ରାଇଭିଂ ତାଲିମ ନେଇ ଡ୍ରାଇଭିଂ ଲାଇସେନ୍ସ ପାଇଥିବେ ଓ ୫ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସି ଚଲାଇବେ ବୋଲି ପ୍ରତିଶ୍ରୁତିବଦ୍ଧ ହେବେ ବୋଲି ବାଧ୍ୟତାମୂଳକ ପ୍ରାବଧାନ ରହିଛି । ଏଥିରେ ସୁଭଦ୍ରା ହିତାଧିକାରୀ, ଓଏସଆରଟିସି ଓ କ୍ରୁଟ୍ ବସ୍ ଡ୍ରାଇଭର, ମହିଳା ଏସଏଚଜି ସଦସ୍ୟାମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି । ଗାଡ଼ି କିଣିବାର ୩ମାସ ପରେ ଋଣ ଆଦାୟ ହେବ । ଏହି ୩ମାସ ଗାଡ଼ି କ୍ରେତାଙ୍କୁ କିସ୍ତି ଦେବାକୁ ପଡ଼ିବନି କିନ୍ତୁ ସୁଧ ସରକାର ପରିଶୋଧନ କରିବେ । ଗାଡ଼ି ଡ୍ରାଇଭରଙ୍କ ଦୁର୍ଘଟଣା ବୀମା ବାବଦକୁ ସରକାର ବାର୍ଷିକ ହଜାରେ ଟଙ୍କା ଖର୍ଚ୍ଚ କରିବେ । ମାତ୍ର ଗାଡ଼ିର ବୀମା ହିତାଧିକାରୀଙ୍କୁ ଦେବାକୁ ପଡ଼ିବ ।


ତେବେ ବାର୍ଷିକ ମାତ୍ର ୩ଲକ୍ଷ ଟଙ୍କା ଆୟ ଥିବା ପରିବାର କିଭଳି ୧ଲକ୍ଷ ଟଙ୍କାର ମୂଳଧନ ସଂଗ୍ରହ କରିପାରିବ ଓ ଋଣ ଶୁଝିବାର ଅବଧିକୁ କାହିଁକି ସରକାର ୫ବର୍ଷ ମଧ୍ୟରେ ସୀମିତ ରଖିଛନ୍ତି ତଥା ଏତେ ପରିମାଣର ଇଏମଆଇ(ମାସିକ କିସ୍ତି) କିଭଳି ପରିଶୋଧ କରିହେବ ତା’ର ବାସ୍ତବତାକୁ ଆକଳନ କରିବାକୁ ବିଭାଗ ଆଗ୍ରହ ଦେଖାଇନଥିବା ଭଳି ଜଣାପଡ଼ିଛି । ଏପରିକି ବାର୍ଷିକ ବୀମା ବାବଦରେ ଅତିରିକ୍ତ ୧୦-୧୨ହଜାର ଟଙ୍କା ଗରିବ ହିତାଧିକାରୀ ପକ୍ଷେ କିଭଳି ସମ୍ଭବପର ହେବ ତାହା ମଧ୍ୟ ଅସ୍ପଷ୍ଟ । ଅବଶ୍ୟ ମହିଳା ଟ୍ୟାକ୍ସି ଚାଳକଙ୍କ ଆୟର ହିସାବ ରଖି ସେମାନଙ୍କୁ ଅଧିକ ଆୟ କରିବା ପାଇଁ ପ୍ରତି ୩ମାସରେ ପରାମର୍ଶ ଦେବାକୁ ବିଭାଗ ଗୋଟିଏ ଷ୍ଟିଅରିଂ କମିଟି ଗଠନ କରିଛି ।


କର୍ଣ୍ଣାଟକର ‘ସ୍ୱାବଲମ୍ବୀ ସାରଥୀ’ ଯୋଜନା


କର୍ଣ୍ଣାଟକରେ ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେଠାକାର ସରକାର ‘ସ୍ୱାବଲମ୍ବୀ ସାରଥୀ ଯୋଜନା’ରେ ଟ୍ୟାକ୍ସି, ଅଟୋରିକ୍ସା ଭଳି କମର୍ସିଆଲ ଗାଡ଼ି କିଣିବା ପାଇଁ ଆର୍ଥିକ ସହାୟତା ଦେଉଛନ୍ତି । ଗାଡ଼ିର ମୂଲ୍ୟର ୫୦% ପର୍ଯ୍ୟନ୍ତ (ସର୍ବାଧିକ ୩ ଲକ୍ଷ ଟଙ୍କା) ସବସିଡି ଦିଆଯାଉଛି । ବ୍ୟାଙ୍କ ସହଯୋଗରେ ୫–୭ ବର୍ଷରେ ସୁଝାଯାଇପାରୁଥିବା ଋଣ ଯୋଗାଇ ଦିଆଯାଏ, ଯେଉଁଥିରେ ଗାଡ଼ିର ମୂଲ୍ୟର ୧୦% ହିତାଧିକାରୀଙ୍କୁ ଦେବାକୁ ପଡ଼ିଥାଏ । ୧୮–୫୫ ବର୍ଷ ବୟସ ବ୍ୟକ୍ତି, ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଏବଂ କର୍ମସିଆଲ ଗାଡ଼ି ଚଳାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ । ମହିଳାମାନଙ୍କୁ ସ୍ୱତନ୍ତ୍ର ଅଗ୍ରାଧିକାର ଦିଆଯିବ ସହ ଇଭି ଗାଡ଼ି ପାଇଁ ଅଧିକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଅଧିକ ରୋଜଗାର ସୃଷ୍ଟି ଓ ଆର୍ଥିକ ସ୍ୱାଧୀନତା ଦେବା ପାଇଁ ରାଜ୍ୟର ମହିଳା ଓ ସ୍ୱଳ୍ପ ଆୟକାରୀ ପରିବାରକୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯାଉଛି । ତେବେ ଏଥିପାଇଁ ସରକାର କୌଣସି ନିର୍ଦ୍ଦିଷ୍ଟ ହିତାଧିକାରୀ ସୀମା ନିର୍ଦ୍ଧାରଣ କରିନଥିବା ଜଣାପଡ଼ିଛି ।

Women Government Schemes Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe