Advertisment

ହାରିଗଲା ସମୟ, ଜିତି ଗଲା ପ୍ରେମ

ପ୍ରେମ ପାଇଁ ଦୁର୍ଦ୍ଦିନ ଓ ପରିସ୍ଥିତିକୁ ମାତ୍‌ ଦେଇ ପରିବାର ଗଢ଼ିବାର ଏହି ପ୍ରେମିକ ଯୋଡ଼ି ସମାଜ ପାଇଁ ବାର୍ତ୍ତା ଦେଇଛନ୍ତି ସତରେ ପ୍ରେମ କି ମିଠା।

author-image
Niranjan Mishra
ଅଦ୍ୟତନ ହୋଇଛି
Love story

Love story

ହାରିଗଲା ସମୟ, ଜିତି ଗଲା ପ୍ରେମ। ଦିନଥିଲା ଅନେକ ଏ ପ୍ରେମ ସମ୍ପର୍କ ଆଗକୁ କିପରି ବଢ଼ିବ ବୋଲି ପ୍ରଶ୍ନ କରୁଥିଲେ ? ହେଲେ ସେମାନଙ୍କ ଆଗରେ ସବୁ ଦୁର୍ଦ୍ଦିନକୁ ଲଙ୍ଘନ କରି ବିଜୟୀ ହୋଇଛି ପ୍ରେମ। ପ୍ରେମ ଚିରନ୍ତନ ଓ ଶାଶ୍ୱତ ବୋଲି ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଛି।

Advertisment

ସମ୍ବଲପୁରର ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ ଓ ତାଙ୍କ ପତ୍ନୀ ନିରୂପମା, ବାଲେଶ୍ୱର ଖଇରାର ଶୁଭ୍ରାଂଶୁ ମହାପାତ୍ର ଓ ତାଙ୍କ ପତ୍ନୀ ଦେବସ୍ମିତା ପଣ୍ଡା, ବଲାଙ୍ଗିର କଣ୍ଟାବାଞ୍ଜି ଆଶ୍ରମପଡ଼ାର ମହମ୍ମଦ ୱାସିମ ଖାନ ଓ ତାଙ୍କ ପତ୍ନୀ ତଥା ଇଣ୍ଡୋନେସିଆର ଝିଅ ମାରିଆଣା ନାପିତୁପୁଲୁଙ୍କ ସଫଳ ପ୍ରେମ କାହାଣୀ ଏହା ଦେଖାଇ ଦେଇଛି ପ୍ରେମ କିପରି ପବିତ୍ର।

ସମ୍ବଲପୁରର ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦଙ୍କ ପତ୍ନୀ ନିରୂପମା। ପୂଜା ଘଣ୍ଟିର ଶବ୍ଦ ହୁଏତ ସେ ଶୁଣିପାରନ୍ତିନି। କିନ୍ତୁ ଘରେ ପୂଜା ପାଉଥିବା ଠାକୁର ନିଶ୍ଚୟ ଶୁଣୁଥିବେ ତାଙ୍କୁ। କିନ୍ତୁ ଶାରିରୀକ ଭାବେ ମନ୍ତ୍ର ଉଚ୍ଚାରଣ ପାଇଁ ସେ ଅକ୍ଷମ। ହେଲେ ଭାବନାର ଠାକୁରଙ୍କୁ ଗୁହାରୀ କରନ୍ତି ଶଙ୍ଖା ଆଉ ସିନ୍ଦୁରକୁ ବଜ୍ର କରିବା ପାଇଁ ଓ ସ୍ୱାମୀଙ୍କ ନିରାମୟ ଜୀବନ ପାଇଁ। ଏକଦା ନିରୂପମାଙ୍କୁ ଅର୍ଦ୍ଧାଙ୍ଗିନୀ କରିବା ପାଇଁ ଭକ୍ତପ୍ରସାଦଙ୍କ ପାଖରେ ନା ଥିଲା ବାଧ୍ୟବାଧକତା ନା ଥିଲା ସୌନ୍ଦର୍ଯ୍ୟର ମୋହ। ଜୀବନରେ ବିବାହ ନକରିବାକୁ ମନସ୍ଥ କରିଥିବା ସେଦିନର ସାଧାରଣ ଶିକ୍ଷକଙ୍କୁ କିନ୍ତୁ ଆଜୀବନ ଶ୍ରବଣ ସହ ବାକ୍‌ଶକ୍ତି ହରାଇଥିବା ନିରୂପମା ଆନମନା କରିଥିଲେ। ପରସ୍ପରକୁ ଜୀବନ ସାଥୀ ବାଛିବାର ଇତିମଧ୍ୟରେ ବିତିଯାଇଛି ୫୪ଟି ଫଗୁଣ। ପ୍ରଥମେ ପ୍ରଥମେ ଭାବ ବିନିମୟରେ ସମସ୍ୟା ଯୋଗୁ ପତ୍ନୀ ନିରୂପମାଙ୍କୁ ପ୍ରତ୍ୟେକ କଥାକୁ କାଗଜରେ ଲେଖି ଜଣାଉଥିଲେ ଭକ୍ତପ୍ରସାଦ। ଏହାପରେ ଠାରରେ କଥାବାର୍ତ୍ତା ହେଉହେଉ ନିରୂପମା ବି ବୁଝିଗଲେ ଭକ୍ତଙ୍କ ଭାବକୁ। ବାସ୍ ତା’ ପରଠୁ ଏମିତି ଚାଲିଛି ଉଭୟଙ୍କ ପ୍ରେମମୟ ଜୀବନ।

Advertisment
Bhaktiprasad and Nirupamaଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦଙ୍କ ପତ୍ନୀ ନିରୂପମା

ସେହିପରି ଆଉଜଣେ ସଫଳ ପ୍ରେମପକ୍ଷୀ ହେଉଛନ୍ତି ବାଲେଶ୍ୱର ଖଇରାର ଶୁଭ୍ରାଂଶୁ ମହାପାତ୍ର ଓ ତାଙ୍କ ପତ୍ନୀ ଦେବସ୍ମିତା ପଣ୍ଡା। ଦମ୍ପତିଙ୍କ ଭାବ ଆଉ ଆବେଗର ସଂପର୍କ ଭିତରେ ସମର୍ପଣର କଥା ଯେତେବେଳେ ଉଠେ, ସେତେବେଳେ ଆଖି ସାମ୍ନାକୁ ଭାସି ଆସେ ଏହି ପତି-ପତ୍ନୀଙ୍କ କଥା। ଯାହାଙ୍କ ୭ ବର୍ଷର ପ୍ରେମ ସଂପର୍କ ଭିତରେ କେବେ ଅନ୍ତରାୟ ସୃଷ୍ଟି କରିନି ଦେବସ୍ମିତାଙ୍କ ସ୍ନାୟୁଗତ ସମସ୍ୟା। ଏକଦା ସୋର କଲେଜରେ ପ୍ରେମପକ୍ଷୀ ଥିଲେ ଉଭୟେ। ୨୦୧୯ରେ ବାହାଘର ପାଇଁ ଧାର୍ଯ୍ୟ ହୋଇଥିଲା ଉଭୟଙ୍କର। କିନ୍ତୁ ଦୁର୍ଯୋଗକୁ ବିବାହ ଆଗରୁ ହଠାତ ଦେବସ୍ମିତାଙ୍କ ଗୋଡ଼ ଅଚଳ ହୋଇଗଲା। ଡାକ୍ତର କହିଲେ ଦେବସ୍ମିତା ଆଉ କେବେ ଚାଲିପାରିବେ ନାହିଁ। ସେଦିନଠୁ ହ୍ୱିଲ୍ ଚେୟାରରେ କଟୁଛି ଜୀବନ। ଏହାସତ୍ୱେ ହାତ ଛାଡ଼ିନଥିବା ଶୁଭ୍ରାଂଶୁ ଦେବସ୍ମିତାଙ୍କୁ ଏହି ଅବସ୍ଥାରେ ମଥାରେ ସିନ୍ଦୂର ଦେଇ, ଅଗ୍ନିକୁ ସାକ୍ଷୀ ରଖି ଜୀବନ ସାଥୀ କରିନେଇଛନ୍ତି।

Subhansu and Debasmitaଶୁଭ୍ରାଂଶୁ ମହାପାତ୍ର ଓ ତାଙ୍କ ପତ୍ନୀ ଦେବସ୍ମିତା ପଣ୍ଡା

ଆଉ ଗୋଟିଏ ସଫଳ ଯୋଡ଼ି ହେଲେ ବଲାଙ୍ଗିର କଣ୍ଟାବାଞ୍ଜି ଆଶ୍ରମପଡ଼ାର ମହମ୍ମଦ ୱାସିମ ଖାନ ଓ ତାଙ୍କ ପତ୍ନୀ ମାରିଆଣା। ସାତ ଦରିଆ ପାରି ହୋଇ ଓଡ଼ିଶା ଆସିଥିବା ମାରିଆଣା ହେଉଛନ୍ତି ଇଣ୍ଡୋନେସିଆର ଝିଅ। ବଲାଙ୍ଗିର କଣ୍ଟାବାଞ୍ଜି ଆଶ୍ରମପଡ଼ାର ମହମ୍ମଦ ୱାସିମ ଖାନଙ୍କୁ ବିବାହ କରି ବନିଛନ୍ତି ଓଡ଼ିଆ ବୋହୂ। ହୁଏତ ଫେସବୁକରେ ଦେଖାଚାହାଁ, ଆଉ ଚାଟିଂ କରୁ କରୁ ଉଭୟେ ବାନ୍ଧିଯାଇଥିଲେ ଭାବର ବନ୍ଧନରେ। ସେହି ପ୍ରେମପକ୍ଷୀ ୨୦୧୪ରୁ ବନିଯାଇଛନ୍ତି ଜୀବନସାଥୀ। ବିବାହ ପ୍ରସ୍ତାବ ଧରି ଇଣ୍ଡୋନେସିଆ ଯାଇଥିଲେ ୱାସିମ l ପରିବାର ଲୋକେ ବି ଇଣ୍ଡୋନେସିଆ ଯାଇ ୨୦୧୩ରେ କରିଥିଲେ ନିର୍ବନ୍ଧ। ଇତିମଧ୍ୟରେ ୯ ବର୍ଷ ହୋଇଯାଇଛି। ଓଡ଼ିଆ ଚଳଣି, ରୀତିନୀତି ସହ ସାମାଜିକ ସଂପର୍କକୁ ବୁଝିସାରିଛନ୍ତି ମାରିଆଣା। ଭଲ ହିନ୍ଦି ବି କହିପାରୁଛନ୍ତି ସେ। ତାଙ୍କ ସଂସାର ଗାଡ଼ି ମଧ୍ୟ ଖୁବ୍ ହସଖୁସିରେ ଚାଲୁଛି।

Wasim and Marianaମହମ୍ମଦ ୱାସିମ ଖାନ ଓ ତାଙ୍କ ପତ୍ନୀ ମାରିଆଣା

ପ୍ରେମ ପାଇଁ ଦୁର୍ଦ୍ଦିନ ଓ ପରିସ୍ଥିତିକୁ ମାତ୍‌ ଦେଇ ପରିବାର ଗଢ଼ିବାରେ ଏହି ପ୍ରେମିକ ଯୋଡ଼ି ସମାଜ ପାଇଁ ବାର୍ତ୍ତା ଦେଇଛନ୍ତି, ସତରେ ପ୍ରେମ କି ମିଠା। ପ୍ରେମକୁ ସଫଳ କରିବାକୁ ଚାହୁଁଥିଲେ କୌଣସି ପ୍ରତିବନ୍ଧକ ରୋକି ପାରେନା।

Love Birds