medicines
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଆଗଧାଡ଼ିର ମିଡିଆ କମ୍ପାନୀ ‘ସୁମା ରିଏଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍’ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ଔଷଧ ନିର୍ମାଣ କମ୍ପାନୀ ଖୋଲିବ । ଏଥିପାଇଁ କମ୍ପାନୀ ପ୍ରାୟ ୨୦୦କୋଟି ଟଙ୍କା ବ୍ୟୟ କରିବ ଓ ଏଠାରୁ ବାର୍ଷିକ ୧.୬ ବିଲିୟନ ୟୁନିଟ୍ ଔଷଧ ପ୍ରସ୍ତୁତ ହେବ । ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଏହି ପ୍ରକଳ୍ପ ସମେତ ମୋଟ ୨୦୦୫.୮୯ କୋଟି ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ଅତିରିକ୍ତ ୩୫୪୫ ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୧୦ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ‘ନ୍ୟୁଜ୍ -୭’ ଟିଭି ଚ୍ୟାନେଲ ଓ ‘ପ୍ରମେୟ’ ଖବରକାଗଜର ମାଲିକାନା ସମ୍ଭାଳିଥିବା ସୁମା ରିଏଲ ମିଡିଆ ପ୍ରାଃ ଲିଃକୁ ଖୋର୍ଦ୍ଧା ଜିଲ୍ଲାର ଗୋଠପାଟଣାଠାରେ ଔଷଧ ପ୍ରସ୍ତୁତ ନିର୍ମାଣ କାରଖାନା ଓ ଔଷଧ ଗବେଷଣା-ବିକାଶ କେନ୍ଦ୍ର ସ୍ଥାପନ ନିମନ୍ତେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି ଅନୁମତି ଦେଇଛନ୍ତି । ସୁମା ରିଏଲ ମିଡିଆ ଏହି କମ୍ପାନୀ ସ୍ଥାପନ ନିମନ୍ତେ ୨୦୦କୋଟି ଟଙ୍କା ପୁଞ୍ଜିନିବେଶ କରିବ ତଥା ଏଥିରେ ୧୨୮୦ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସୁମା ରିଏଲ ମିଡିଆ ପ୍ରାଃର ମାଲିକାନା ମନୋଜରଞ୍ଜନ ନାୟକଙ୍କ ପରିବାର ପାଖରେ ଥିବାବେଳେ ତାଙ୍କ ପରିବାରର ଅନ୍ୟଏକ କମ୍ପାନୀ ‘ସୁମା ଗ୍ରୁଫସ୍ ପ୍ରାଃ ଲିଃ’ ଇତିମଧ୍ୟରେ ବନ୍ଦ ହୋଇସାରିଥିବା ଜଣାପଡ଼ିଛି ।
ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ଅନ୍ୟ ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍ ଲିଃକୁ ଯାଜପୁରର ଦାନଗଦିଠାରେ ୨୦୫.୪୪ କୋଟି ଟଙ୍କା ବ୍ୟୟରେ କାର୍ବନ ଇଲୋକ୍ଟ୍ରୋଡ୍ ପେଷ୍ଟ ମ୍ୟାନୁଫାକଚରିଂ ପ୍ଲାଣ୍ଟ (୧ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ) ନିର୍ମାଣ କରିବ ।
ଜଗତସିଂହପୁରର ପାରାଦୀପଠାରେ ସାଇ ବଲକ୍ ବ୍ୟାଗସ୍ ପ୍ରାଃ ଲିଃ ୧୩୫.୯୫ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୪୪୦୦୦ ମେଟ୍ରିକ୍ ଟନ୍ କେମିକାଲ (ସଲଫରିକ୍ ଏସିଡ୍) ଓ ୨୪୦୦୦ ମେଟ୍ରିକ ଟନ୍ ଫାଇନ୍ ଫ୍ୟାବ୍ରିକ୍ ପ୍ରସ୍ତୁତ ନିମନ୍ତେ କାରଖାନା ନିର୍ମାଣ କରିବ । ଏହା ଦ୍ୱାରା ଯଥାକ୍ରମେ ୨୬୦ ଓ ୩୦୧ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସିଙ୍ଗଲୱିଣ୍ଡୋ ଅଥରିଟି ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
ସେହିପରି ୟୁନାଇଟେଡ୍ ଫେରୋକାଷ୍ଟ ପ୍ରାଃ ଲିଃ ଦ୍ୱାରା ଯାଜପୁରର ବଡ଼ଚଣାଠାରେ ବାର୍ଷିକ ୦.୧୧ ନିୟୁତ ଟନ୍ ଫେରୋ ଆଲୋୟଜ୍ ପ୍ଲାଣ୍ଟ ନିର୍ମାଣ କରାଯିବ । ଏଥିପାଇଁ କମ୍ପାନୀ ୨୬୧.୧ କୋଟି ଟଙ୍କା ବ୍ୟୟ କରିବ ଓ ୩୭୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
କେନ୍ଦୁଝରର ଝାୁମ୍ପୁରାରେ ବାର୍ଷିକ ୩ ନିୟୁତ୍ ମେଟ୍ରିକ ଟନ୍ ପେଲେଟ୍ ପ୍ଲାଣ୍ଟ ଓ ୫ ନିୟୁତ୍ ମେଟ୍ରିକ ଟନ୍ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ ନିର୍ମାଣ ପାଇଁ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍ ପ୍ରାଃ ଲିଃକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । କମ୍ପାନୀ ଏଥିପାଇଁ ୭୭୫କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ୩୧୪ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ ।
ଖୋର୍ଦ୍ଧାର ଡେରାସସ୍ଥିତ ସି’ଫୁଡ୍ ପାର୍କରେ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟ୍ ସ୍ଥାପନ ନିମନ୍ତେ ଡିଏନ୍ ସି ସେଲ ପ୍ରାଃ ଲିଃ କମ୍ପାନୀକୁ ୫୦.୪୦କୋଟି ଟଙ୍କା ନିବେଶ କରିବାକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୪୦୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ମେ’ ଫେୟାର ହୋଟଲସ ଆଣ୍ଡ ରିସୋର୍ଟକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରସ୍ଥିତ ନିଜର ୟୁନିଟକୁ ସମ୍ପ୍ରସାରଣ କରିବା ପାଇଁ ଅନୁମତି ମିଳିଛି । ମେ’ଫେୟାର ପାମ୍ ବିଚ୍ ରିସୋର୍ଟ ସମ୍ପ୍ରସାରଣ ପାଇଁ କମ୍ପାନୀ ୮୫କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ଅତିରିକ୍ତ ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ସେହିପରି ଯାଜପୁରର ବାଘୁଆପାଳଠାରେ ନରେଶ କୁମାର ଆଣ୍ଡ କୋ ପ୍ରାଃ ଲିଃ ଦ୍ୱାରା ୱେୟାରହାଉସ୍ ତଥା ଲଜିଷ୍ଟିକ୍ ପାର୍କ ସ୍ଥାପନ କରାଯିବ । ଏଥିପାଇଁ ସଂସ୍ଥା ପକ୍ଷରୁ ୧୨୫କୋଟି ଟଙ୍କା ବ୍ୟୟ ହେବ ଓ ୨୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ରୁନୟା ଆଲୁମିନିୟମ ପ୍ରାଃ ଲିଃ ୮୦କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲ୍ଲାରେ ୫ହଜାର ମେଟ୍ରିକ ଟନ୍ ଆଲୁମିନିୟମ ପାଉଡର ଆଣ୍ଡ ପିଗମେଂଟ୍ ପ୍ଲାଣ୍ଟ ନିର୍ମାଣ କରିବ । ଏହାଦ୍ୱାରା ୧୨୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏଥିପାଇଁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/medicine.jpg)