Advertisment

ବୃକ୍ଷରୋପଣ ନିଶା: ଇସ୍ପାତନଗରୀରେ ଦୁଇ ବନ୍ଧୁ ଆଣିଛନ୍ତି ସବୁଜିମାର ଜୁଆର

ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା ।

author-image
Tapaswini Nayak
ଅଦ୍ୟତନ ହୋଇଛି
Rourkela

Rourkela

ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣର ନିଶା। ଜଣଙ୍କୁ ଅଶି ଟପିଲାଣି ଓ ଆଉ ଜଣେ ବିତାଇ ସାରିଲେଣି ୭୫ଟି ବସନ୍ତ। ହେଲେ ଏହି ଦୁଇ ବନ୍ଧୁଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ସେମାନେ ଏବେବି ଚଳଚଞ୍ଚଳ ଅଛନ୍ତି। ମନରେ ରହିଛି ଅମାପ ବଳ। ମାନବିକତା ଆଗରେ ସେମାନଙ୍କ ବୟସ ହାର ମାନିଯାଇଛି। ସେମାନେ ହେଉଛନ୍ତି ରାଉରକେଲା ସିଭିଲ୍ ଟାଉନସିପ ଅଞ୍ଚଳରେ ସବୁଜିମାର ଜୁଆର ଆଣିଥିବା ଦୁଇ ବନ୍ଧୁ ଗୋବିନ୍ଦ ଚନ୍ଦ୍ର ସାହୁ ଓ କୈଳାସ ଚନ୍ଦ୍ର ସ୍ୱାଇଁ।

Advertisment

ପ୍ରତିଦିନ ଗୋବିନ୍ଦ ଓ କୈଳାସ ନିତ୍ୟକର୍ମ ସାରି ନିଜ ମିଶନରେ ବାହାରି ପଡ଼ନ୍ତି। ଜଣେ ସ୍କୁଟି ଚଲାଉଥିବା ବେଳେ ଅନ୍ୟ ଜଣେ ପଛ ପଟେ ବସନ୍ତି। ସେମାନଙ୍କ ସ୍କୁଟି ଆଗରେ ଥୁଆ ହୋଇଥାଏ ବିଭିନ୍ନ କିଷମର ଚାରା। ପ୍ରତିଦିନ ସକାଳେ କିଛି ସମଭାବାପନ୍ନ ସହଯୋଗୀଙ୍କ ସହ ମିଶି ସେମାନେ ଗଛ ଲଗାନ୍ତି।

ରାସ୍ତା କଡ଼ ହେଉ ଅବା ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାଇଥାନ୍ତି ଗୋବିନ୍ଦ ଓ କୈଳାସ। ଗଛଟି କିପରି ବଢ଼ିବ ସେଥିପାଇଁ ବି ଯତ୍ନବାନ ହୁଅନ୍ତି। ତା’ମୂଳରେ ଖତ ଦିଅନ୍ତି। ମଝିରେ ମଝିରେ ଆସି ପାଣି ଦିଅନ୍ତି। ଗାଈଗୋରୁଙ୍କ କବଳରୁ ଚାରାଗୁଡ଼ିକୁ ରକ୍ଷା କରିବା ପାଇଁ ବାଡ଼ ଘେରି ଥାଆନ୍ତି। ଗଛଗୁଡ଼ିକ ବଡ଼ ହେଲା ପର୍ଯ୍ୟନ୍ତ ଦୁଇ ବନ୍ଧୁ ସେଗୁଡ଼ିକର ଯତ୍ନ ନିଅନ୍ତି। 

Advertisment

ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରାଗୁଡ଼ିକ ଏବେ ଶାଖା ପ୍ରଶାଖା ମେଲି ବିରାଟ ବିରାଟ ଦ୍ରୁମ ପାଲଟିଗଲାଣି। ହେଲେ ସେମାନଙ୍କ ମନରୁ ବର୍ଷ ବର୍ଷର ସେହି ନିଶା ଉତୁରୁନି। ଆଉ ସେମାନେ ଏବେ ବି ବୃକ୍ଷରୋପଣରେ ଲାଗିଛନ୍ତି।  

ପାନପୋଷ ଛକରୁ ତରକେରା, ହକି ଛକ ଠାରୁ ହନୁମାନ ବାଟିକା ଓ ସିଭିଲ୍ ଅଞ୍ଚଳର ଅନେକ ପାର୍କରେ ସବୁଠି ଦେଖିବାକୁ ମିଳେ ଏହି ୨ ଗଛ ମଣିଷଙ୍କ ବର୍ଷ ବର୍ଷର ତପସ୍ୟାର ସବୁଜ ସ୍ୱାକ୍ଷର। ସରକାରୀ ଚାକିରିରୁ ଅବସର ନେବା ପରେ ବିଶ୍ରାମକୁ ପାସୋରି, ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ଉଭୟେ। ଭୁଲି ଯାଇଛନ୍ତି ବୟସର ହିସାବ ରଖିବାକୁ। ଏଥିପାଇଁ ଦୁଇ ବନ୍ଧୁଙ୍କୁ ଅନେକ ପ୍ରଶଂସା ଓ ପୁରସ୍କାର ମିଳିଛି। ସେମାନଙ୍କଠାରୁ ପ୍ରେରଣା ପାଇ ରାଉରକେଲାର ଆହୁରି କିଛି ପ୍ରକୃତି ପ୍ରେମୀ ନିଜକୁ ସାମିଲ କରିଛନ୍ତି ଏହି ସବୁଜ ବିପ୍ଳବରେ।

ପ୍ରକୃତି ବନ୍ଧୁ ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ୧୨ ବର୍ଷ ହେଲା ଗଛ ଲଗାଉଛି। ମୁଁ ବାଛି ବାଛି ଆୟୁର୍ବେଦିକ ଗଛ ଲଗାଏ। କାହିଁକି ନା ମୋ ଦେହ ଖରାପ ହେଉ ବା ଆଉ କାହାର ଦେହ ଖରାପ ହେଲେ ଉକ୍ତ ଗଛର ପତ୍ର, ଫୁଲ ଓ ଫଳକୁ ଔଷଧ ଆକାରରେ ସେବନ କରି ହେବ। ଏହା ହେଉଛି ଗଛ ଲଗାଇବାର ମୂଳ ଉଦ୍ଦେଶ୍ୟ। ରାସ୍ତାରେ ଯା’ଆସ କଲା ବେଳେ ଲୋକଙ୍କୁ ଛାଇ ପ୍ରଦାନ କରିବାକୁ ଆମେ ଲଗାଇଛୁ ବର ଓ ନିମ ଗଛ। ଆମେ ୧୦୦୦ରୁ ଅଧିକ ଗଛ ଲଗାଇ ସାରିଲୁଣି। 

ପ୍ରକୃତି ବନ୍ଧୁ କୈଳାସ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଚାକିରି ଜୀବନରୁ ଗଛ ଲଗାଇବା ନିଶା ଥିଲା। ଚାକିରି କରୁଥିବା ବେଳେ ଏହି ମିଶନ ଆରମ୍ଭ ହୋଇଛି। ମୁଁ ଯେଉଁ ସବୁ ସ୍ଥାନରେ ଚାକିରି ଜୀବନ କାଟି କରି ଆସିଛି ସେହି ସବୁ ସ୍ଥାନରେ ମଧ୍ୟ ମୁଁ ଗଛ ଲଗାଇଛି। ଚାକିରି ଜୀବନରୁ ଅବସର ନେଲା ପରେ ବନ୍ଧୁମାନଙ୍କ ସହ ମିଶି ଗଛ ଲଗାଇଛି। 

ରାଉରକେଲା ବାସିନ୍ଦା ଜେ. ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ଦୁଇ ବନ୍ଧୁଙ୍କ ସହ ମିଶି ଗଛ ଲଗାଇବା ଆରମ୍ଭ କରିଥିଲି। ଯଦି ସେମାନେ ପରିଣତ ବୟସରେ ଗଛ ଲଗାଇ ପାରୁଛନ୍ତି, ତାହାହେଲେ ଆମେ କାହିଁକି ଲଗାଇ ପାରିବାନି ବୋଲି ଭାବି ଏହି ମିଶନରେ ସାମିଲ ହୋଇଥିଲି। ଏବେ ଗଛ ଲଗାଇବା ଆମର ନିଶା ହୋଇଯାଇଛି।

 ରାଉରକେଲାରୁ ପବନ ତିୱାରୀଙ୍କ ରିପୋର୍ଟ

Rourkela Odisha Palm Tree