/odisha-reporter/media/post_attachments/uploadimage/library/16_9/16_9_0/IMAGE_1681619866.jpg)
Medical College
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରି ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍। ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସୁଶାନ୍ତ ମାଝୀ, ଚୈତନ୍ୟ ତନ୍ତି, ମଦନ ଗର୍ଡିଆ ଓ ଆଶିଷ ନାଏକ। ଆଉ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି। ତାଙ୍କ ନାଁ ହେମନ୍ତ ନାଏକ ଓରଫ ଗୁଲାବ।
୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୁଲିସ୍ ଗୋଟିଏ କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କରିଛି। ଏଥିରେ ନକଲି ନିଯୁକ୍ତି ପତ୍ର ତିଆରି କରି ଅଭିଯୁକ୍ତମାନେ ଲୋକଙ୍କୁ ଦେଉଥିଲେ।
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଆଟେଣ୍ଡାଣ୍ଟ, ସୁପରଭାଇଜର, ସିକ୍ୟୁରିଟି ଗାର୍ଡ ଓ ରିସେପସନିଷ୍ଟ ଭାବେ ଚାକିରି କରାଇ ଦେବାକୁ କହି ଅଭିଯୁକ୍ତମାନେ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ ଏବଂ ଜାଲ୍ ନିଯୁକ୍ତି ପତ୍ର ଦେଉଥିଲେ। ଜାଲ୍ ନିଯୁକ୍ତି ପତ୍ର ବଦଳରେ ଅଭିଯୁକ୍ତମାନେ ଚାକିରି ଆଶାୟୀମାନଙ୍କ ଠାରୁ ୪୦ ହଜାରରୁ ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ନେଇଥିଲେ।
ଏ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଠକେଇର ଶିକାର ହୋଇଥିବା କିଛି ଯୁବକଯୁବତୀ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
