Advertisment

ପାରିବାରିକ କଳହ ଉଜାଡ଼ି ଦେଲା ସଂସାର; ସ୍ତ୍ରୀର ତଣ୍ଟି ଚିପି ଝୁଲି ପଡ଼ିଲା ସ୍ୱାମୀ

ମାତ୍ର ବର୍ଷେ ତଳେ ଗଢ଼ିଥିଲେ ସଂସାର। ପରସ୍ପରକୁ ଭଲ ଭାବେ ବୁଝିବା ପୂର୍ବରୁ ପାରିବାରିକ କଳହ ଯୋଗୁ ଉଜୁଡ଼ିଗଲା ସଂସାର। ସାମାନ୍ୟ କଥାରେ କ୍ରୋଧ୍ୱାନ୍ୱିତ ସ୍ୱାମୀ ନିଜ ହିତାହିତ ଜ୍ଞାନ ହରାଇ ବସିଲା।

author-image
Niharika Rout
Marriage

Marriage

ମାତ୍ର ବର୍ଷେ ତଳେ ଗଢ଼ିଥିଲେ ସଂସାର। ପରସ୍ପରକୁ ଭଲ ଭାବେ ବୁଝିବା ପୂର୍ବରୁ ପାରିବାରିକ କଳହ ଯୋଗୁ ଉଜୁଡ଼ିଗଲା ସଂସାର। ସାମାନ୍ୟ କଥାରେ କ୍ରୋଧ୍ୱାନ୍ୱିତ ସ୍ୱାମୀ ନିଜ ହିତାହିତ ଜ୍ଞାନ ହରାଇ ବସିଲା। ଯାହା ହାତ ଧରି ନିଜ ଘରକୁ ବୋହୂ ସଜାଇ ଆଣିଥିଲା ଛଟପଟ କରି ତା’ ଜୀବନ ହେଲା। ପତ୍ନୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ନିଜ ଭୁଲ ବୁଝିପାରିଥିବା ସ୍ୱାମୀ ନିଜେ ବି ଉକ୍ତ ଘରେ ଝୁଲି ପଡ଼ିଲା।

Advertisment

ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁରେ ଘଟିଛି । ମୃତକ ପତିପତ୍ନୀ ହେଲେ ଦମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତାଙ୍କ ପତ୍ନୀ ରେଶମା।

ହେମନ୍ତ ବର୍ଷେ ପୂର୍ବେ ରେଶମାଙ୍କୁ ବିବାହ କରିଥିଲେ। ହସଖୁସିରେ ଉଭୟଙ୍କ ବୈବାହିକ ଜୀବନ ଗତି କରୁଥିବା ବେଳେ ହେମନ୍ତ ଦାଦନ ଖଟିବାକୁ ଗୋଆ ଚାଲି ଯାଇଥିଲେ। ଉକ୍ତ ସମୟରେ ରେଶମା ନିଜ ଶାଶୁ, ନଣନ୍ଦଙ୍କ ସହ ରହୁଥିଲେ। ଗତ ହୋଲିରେ ହେମନ୍ତ ଘରକୁ ଫେରିଥିଲେ। ଏହାପରେ ଉଭୟ ପତିପତ୍ନୀ ପରିବାରଠାରୁ ଅଲଗା ହୋଇ ରହୁଥିଲେ।

Advertisment

ଉଭୟ ଗାଁ ପାଖ ଇଟାଭାଟିରେ କାମ କରୁଥିଲେ, ଯାହା ରୋଜଗାର କରୁଥିଲେ ସେଥିରେ ଚଳି ଯାଉଥିଲେ। ଗତକାଲି ବି ଉଭୟ ଇଟାଭାଟିକୁ କାମ କରିବାକୁ ଯାଇଥିବା ବେଳେ ସାଙ୍ଗ ହୋଇ ଫେରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ମାତ୍ର ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଅନୁମାନ କରାଯାଉଛି। ଏହାପରେ ରେଶମା ଶୋଇଥିବା ବେଳେ ହେମନ୍ତ ତକିଆରେ ମୁହଁ ଚିପି ତାଙ୍କୁ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି। ରେଶମାଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ହେମନ୍ତ ବି ବେକରେ ରଶି ଲଗାଇ ଝୁଲି ପଡ଼ିଛନ୍ତି।

ଗତ ରାତିରେ ସ୍ଥାନୀୟ ଲୋକେ ଘଟଣା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଘରକୁ ବନ୍ଦ କରି ଦେଇଥିବା ଜଣାଯାଇଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟଙ୍କ ମୃତ୍ୟୁର କାରଣ ଜଣାପଡ଼ିନି।

Murder Suicide Sundargarh Family Dispute