Advertisment

ଗାଁରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ

ଗାଁରେ ବୁଲୁଛି କଲରାପତରିଆ ବାଘ । ଏହା ଦେଖି ଲୋକେ ଛାନିଆ ହୋଇ ଯାଇଥିବା ବେଳେ ବାଘଟିକୁ ଉଦ୍ଧାର କରିବାକୁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

author-image
Niharika Rout
Leopard

Leopard

ଗାଁରେ ବୁଲୁଛି କଲରାପତରିଆ ବାଘ । ଏହା ଦେଖି ଲୋକେ ଛାନିଆ ହୋଇ ଯାଇଥିବା ବେଳେ ବାଘଟିକୁ ଉଦ୍ଧାର କରିବାକୁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏପରି ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ ଦେଖିବାକୁ ମିଳିଛି।

Advertisment

ଆଜି ସକାଳେ ଏକ କଲରାପତରିଆ ବାଘ ହେଲେବାହାଲ ଗାଁର ଜଣଙ୍କ ବାଡ଼ି ପଟେ ପଶିଥିବା ଦେଖିବାକୁ ମିଳିଥିଲା।  ବାଘଟି ଗତକାଲି ରାତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାଡ଼ିରେ ପଶିଥିବା ଅନୁମାନ କରାଯାଉଛି। ଆଜି ସକାଳେ ସମ୍ପୃକ୍ତ ବ୍ୟକ୍ତି ଉଠିବାରୁ ବାଘଟି ତାଙ୍କ ବାଡ଼ ମଧ୍ୟରେ ଫସି ରହିଥିବା ଦେଖିବାକୁ ପାଇଲେ। ମଣିଷକୁ ଦେଖି ବାଘଟି ଛଟପଟ ହୋଇ ବାଡ଼ରୁ ମୁକୁଳି ଗାଁ ପାଖ ଜଙ୍ଗଲମୁହାଁ ହୋଇଥିଲା। 

ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ବାଘଟିର ପିଛା କରିଥିଲେ  । ମାତ୍ର ବାଘଟି ଗାଁ ନିକଟରେ ଥିବା ଏକ ଛୋଟ ଜଙ୍ଗଲରେ ପଶି ଯାଇଥିବା ଜଣାଯାଇଛି।

Advertisment

ଖବର ପାଇ ବଡ଼ଗାଁ ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ୱରେ ବନ କର୍ମଚାରୀ ପହଞ୍ଚି ବାଘଟି ଉପରେ ନଜର ରଖିଛନ୍ତି। ବାଘଟି ଲୁଚି ରହିଥିବାରୁ ତାହାର ବାହାରିବା ବାଟକୁ ଜଗି ରହିଛନ୍ତି ବନ କର୍ମଚାରୀ। ଏହାବାଦ ଟ୍ରାଙ୍କୁଲାଇଜ ଟିମ୍‌ ବି ପ୍ରସ୍ତୁତ ଅଛନ୍ତି। ବାଘଟି ଆହତ ହୋଇଥିଲେ ତୁରନ୍ତ ତାର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ରେଞ୍ଜର କହିଛନ୍ତି।

ବନ କର୍ମଚାରୀ ରାତି ପର୍ଯ୍ୟନ୍ତ ଜଗି ରହିବେ ବୋଲି କହିଛନ୍ତି ରେଞ୍ଜର। ଏହା ମଧ୍ୟରେ ସେମାନେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିବେ। ମାତ୍ର ବାଘଟି ଆହତ ହୋଇଥିଲେ କିମ୍ବା ଆକ୍ରମଣାତ୍ମକ ହେଲେ ତାକୁ ଟ୍ରାଙ୍କୁଲାଇଜ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବାଘଟିକୁ ଦେଖିବାକୁ ଗାଁ ଲୋକେ ଆଖପାଖ ଅଞ୍ଚଳରେ ଭିଡ଼ ଜମାଉଛନ୍ତି। ଏପରି ସ୍ଥିତିରେ ବାଘଟି ବାହାରକୁ ବାହାରି ପାରୁ ନ ଥିବା ବେଳେ ବାହାରିଲେ ଅତର୍କିତ ଆକ୍ରମଣର ବି ଭୟ ରହିଛି। ତେଣୁ ଅଯଥା ଭିଡ଼ ନ କରିବାକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସୁନ୍ଦରଗଡ଼ ଡିଏଫଓ କହିଛନ୍ତି, ରେଞ୍ଜର ଟିମ୍‌ ସହ ଘଟଣାସ୍ଥଳକୁ ଯାଇଛନ୍ତି। ବାଘଟି ଲୁଚିଥିବା ବେଳେ ତାକୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିବାକୁ ପଦକ୍ଷେପ ନିଆଯିବ । ବାଘଟିର ଗତିବିଧି ଜାଣିବା ପାଇଁ ସେଠାରେ କ୍ୟାମେରା ଲଗାଯିବ । ଟ୍ରାଙ୍କୁଲାଇଜ ଟିମ୍‌ ବି ମୁତୟନ ଅଛନ୍ତି। ବାଘଟି ବାମରା ପଟୁ ଆସିଥିବା ଅନୁମାନ କରାଯାଉଛି।

Dhenkanal