Advertisment

ଦୁର୍ବିସହ ହେଲାଣି ଜୀବନ, ଜୀବିକା: ବାଧ୍ୟ ହୋଇ ରାସ୍ତାରୋକ କଲେ ମହିଳା

ସ୍ଥାନୀୟ ଅଞ୍ଚଳରେ ଦେଖାଦେଉଥିବା ଦୟନୀୟ ଅବସ୍ଥା ନେଇ ସର୍ଗିଗଡ ଗାଁର ଲୋକମାନେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ କିଛି ସଫଳ ମିଳିଲା ନାହିଁ। ଯେଉଁଥିପାଇଁ ଆଜି ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀର(ଏସ୍‌ଏଚ୍‌ଜି) ଶତାଧିକ ମହିଳା ରାସ୍ତାରୋକ କରିଛନ୍ତି।

author-image
Manoranjan Sial
Koida

Koida

ଦୁର୍ବିସହ ହେଲାଣି ଜୀବନ ଓ ଜୀବିକା! ବାରମ୍ୱାର ଗୁହାରୀ କରି ନିରାଶ ହେବା ପରେ ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇଛନ୍ତି। କମ୍ପାନୀକୁ ଯାଉଥିବା ଲୁହା ପଥର ବୋଝେଇ ଟ୍ରକ୍‌ ଗୁଡ଼ିକୁ ଅଟକାଇଛନ୍ତି। ଆଜି ଏପରି ଚିତ୍ର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି।

Advertisment

କୋଇଡା ବ୍ଲକ୍‌ର ସର୍ଗିଗଡ ଗାଁ ଦେଇ ପ୍ରତିଦିନ ଶହଶହ ଲୁହାପଥର ବୋଝେଇ ଟ୍ରକ ଯିବା ଆସିବା କରୁଛନ୍ତି। ଯେଉଁଥିପାଇଁ ସର୍ଗିଗଡ-ଗଣୁଆଁ ରାସ୍ତା ମରଣ ଯନ୍ତା ପାଲଟିଛି। ରାସ୍ତା ମଝିରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ଯାଉଛି। ଏପରିକି ଅନେକ ଲୋକ ଦୁର୍ଘଟଣାରେ ପଙ୍ଗୁ ହୋଇଯାଉଛନ୍ତି। ସରକାର ବା କମ୍ପାନୀ କର୍ତ୍ତୃପକ୍ଷ ରାସ୍ତା ମରାମତି କରୁନଥିବାରୁ ପ୍ରତିଦିନ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛଛି।

Koidaରାସ୍ତାରୋକ ଯୋଗୁ ଦୀର୍ଘ ସମୟ ଧରି ଟ୍ରକ୍‌ ଗୁଡ଼ିକ ଛିଡ଼ା ହୋଇଛି

ଅନ୍ୟପକ୍ଷରେ ଲୁହା ପଥର ଗାଡ଼ି ଯିବା ଆସିବା କରିବା ଦ୍ୱାରା ପରିବେଶ ଦିନକୁ ଦିନ ଦୂଷିତ ହେଉଛି। ନାଲି ଧୂଳି ଉଡି ଘର ଓ ଖାଇବା ସାମଗ୍ରୀରେ ପଡ଼ିଛି। ଯାହାକୁ ଖାଇ ଲୋକମାନେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏତିକିରେ ଅଟକି ନାହିଁ ସର୍ଗିଗଡ଼ ଗାଁର ୪ଟି ସାହିର ଦୁଃଖ। ଜଙ୍ଗଲରୁ ପତ୍ର ତୋଳି ତାକୁ ବିକ୍ରି କରି ଜୀବନ ପ୍ରତିପୋଷଣ କରୁଥିବା ପରିବାର ଲୋକେ ଏବେ ଭୋକ ଉପବାସରେ ରହିଛନ୍ତି। କାରଣ ରାସ୍ତାରୁ ଉଡୁଥିବା ନାଳି ଧୂଳି ଗ୍ରାମ୍ୟ ଜଙ୍ଗଲରେ ଥିବା ଗଛ ଓ ପତ୍ରରେ ପଡ଼ୁଛି। ଯାହାଫଳରେ ସେହି ପତ୍ର ଗୁଡ଼ିକ ନଷ୍ଟ ହୋଇଯାଉଛି। ଯେଉଁଥିପାଇଁ ଖଲିପତ୍ର କାରବାର ଏକ ପ୍ରକାର ଠପ୍‌ ହୋଇଯାଇଛି।

Advertisment

ସ୍ଥାନୀୟ ଅଞ୍ଚଳରେ ଦେଖାଦେଉଥିବା ଦୟନୀୟ ଅବସ୍ଥା ନେଇ ସର୍ଗିଗଡ ଗାଁର ଲୋକମାନେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ କିଛି ସଫଳ ମିଳିଲା ନାହିଁ। ଯେଉଁଥିପାଇଁ ଆଜି ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀର(ଏସ୍‌ଏଚ୍‌ଜି) ଶତାଧିକ ମହିଳା ରାସ୍ତାରୋକ କରିଛନ୍ତି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ରାସ୍ତାରୋକ ଏବେ ସୁଦ୍ଧା ଚାଲିଛି। କମ୍ପାନୀକୁ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇ ରଖିଛନ୍ତି। ରାସ୍ତାରୋକ ଯୋଗୁ ରାସ୍ତାରେ ଶହଶହ ଟ୍ରକ୍‌ ଅଟକି ରହିଛି। ହେଲେ ବର୍ତ୍ତମାନ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ବା ପ୍ରଶାସନ ଆନ୍ଦୋଳନ କରୁଥିବା ମହିଳାଙ୍କ ସହିତ ଆଲୋଚନା କରିନଥିବା ଜଣାପଡ଼ିଛି।

ଆନ୍ଦୋଳନ କରୁଥିବା ଜଣେ ମହିଳା କହିଛନ୍ତି, “ଗାଡ଼ି ଚାଲିବା ଯୋଗୁ ଦେଖାଦେଉଥିବା ସମସ୍ୟା ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲୁ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଉନାହାନ୍ତି। ଯେଉଁଥିପାଇଁ ଆଜି ରାସ୍ତାରୋକ କରିବା ପାଇଁ ବାଧ୍ୟ ହେଲୁ। କମ୍ପାନୀ କର୍ତ୍ତୃପକ୍ଷ ଆମ ସମସ୍ୟା ସମାଧାନ ନକଲା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିବ।”

ଆଉ ଜଣେ ମହିଳା କହିଛନ୍ତି, “ଆଗରୁ ବାହାଘର ଓ ଅନ୍ୟାନ୍ୟ ପର୍ବ ପର୍ବାଣୀ ପାଇଁ ଜଙ୍ଗଲରୁ ପତ୍ର ଆଣି ବ୍ୟବହାର କରୁଥିଲୁ। ହେଲେ ବର୍ତ୍ତମାନ ସେହି ପତ୍ର ମଇଳା ହୋଇଯାଇଛି। ସେହି ପତ୍ର ବ୍ୟବହାଯୋଗ୍ୟ ହୋଇନାହିଁ। ଖଣି ଅଞ୍ଚଳ ହୋଇଥିବାରୁ ନିୟମିତ ରାସ୍ତାରେ ପାଣି ପଡ଼ିବା କଥା। ହେଲେ ତାହା ହେଉନଥିବାରୁ ରାସ୍ତାରୁ ଧୂଳି ଉଡି ଗଛ ଓ ପତ୍ରରେ ପଡ଼ୁଛି। ଆମ ଜୀବନବର୍ତ୍ତମାନ ଯନ୍ତ୍ରଣା ମୟ ହୋଇଯାଇଛି। କିଛି ଉପାୟ ନପାଇ ରାସ୍ତା ରୋକ କରିବା ପାଇଁ ବାଧ୍ୟ ହେଲୁ।”

ରିପୋର୍ଟ-କୋଇଡାରୁ ସୁନୀଲ ପଣ୍ଡା

Protest Sundargarh Protest Against Govt.