Advertisment

ଗାଁରେ ମିଳୁନି ପାନୀୟ ଜଳ; ନଦୀର ଦୂଷିତ ପାଣି ଏକମାତ୍ର ଭରସା!

ନଳକୂପ ଓ ବୋରୱେଲରୁ ନାଲି ଏବଂ ଦୁର୍ଗନ୍ଧ ପାଣି ବାହାରୁଥିବାରୁ ଗାଁ ଲୋକମାନେ ବ୍ୟବହାର କରୁନାହାନ୍ତି। ତେଣୁ ଗାଁ ଲୋକଙ୍କୁ ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଉଥିଲା। ହେଲେ ତାହା ମଧ୍ୟ ବନ୍ଦ କରି ଦିଆଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Koida

Koida

ଗାଁ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ତାହା ପ୍ରହସନରେ ପରିଣତ ହେଲା ପରି ଲାଗୁଛି। କାରଣ ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଏମିତି କିଛି ଗାଁ ରହିଛି, ଯେଉଁଠି ପିଇବା ପାଇଁ ପାନୀୟ ଜଳ ମୁନ୍ଦାଏ ମିଳୁନି। ସେଥିପାଇଁ ଗାଁ ଲୋକଙ୍କୁ ନଦୀ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି।

Advertisment

କୋଇଡା ବ୍ଲକ୍‌ ସଦର ମହକୁମାଠାରୁ ୮ କିମି ଗଲେ ପଡ଼ିଥାଏ ପୁଣ୍ଡୁପୋଖରୀ ଗାଁ। ଶହେରୁ ଅଧିକ ପରିବାର ଏହି ଗାଁରେ ବସବାସ କରନ୍ତି। ଜଙ୍ଗଲ ଭିତରେ ଗାଁଟି ଥିବାରୁ ଲୋକମାନେ ବର୍ଷ ବର୍ଷ ଧରି ଜଳକଷ୍ଟ ଭିତରେ ଜୀବନ ଅତିବାହିତ କରିଥାଆନ୍ତି। ବାରମ୍ୱାର ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଓ ଖଣି କମ୍ପାନୀ ଗୁଡ଼ିକ ଗାଁରେ ନଳକୂପ ଓ ବୋରୱେଲ ପ୍ରତିଷ୍ଠା କରିଥିଲେ। ହେଲେ ତାହା କାମରେ ଆସୁନାହିଁ।

ନଳକୂପ ଓ ବୋରୱେଲରୁ ନାଲି ଏବଂ ଦୁର୍ଗନ୍ଧ ପାଣି ବାହାରୁଥିବାରୁ ଗାଁ ଲୋକମାନେ ବ୍ୟବହାର କରୁନାହାନ୍ତି। ତେଣୁ ଗାଁ ଲୋକଙ୍କୁ ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଉଥିଲା। ହେଲେ ତାହା ମଧ୍ୟ ବନ୍ଦ କରି ଦିଆଯାଇଛି। ଯାହାଫଳରେ ଲୋକମାନେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କିଛି ଉପାୟ ନପାଇ ଲୋକମାନେ ଗାଁ ପାଖ ଦେଇ ବୋହି ଯାଇଥିବା କାରୋ ନଦୀ ଉପରେ ନିର୍ଭର କରୁଛନ୍ତି। ରାତି ପାହିଲେ ପ୍ରତିଦିନ ଗାଁ ମହିଳାମାନେ ଧାଡ଼ି ହୋଇ ସଙ୍ଗବଦ୍ଧ ଭାବେ ନଦୀକୁ ପାଣି ଆଣିବା ପାଇଁ ଯାଉଛନ୍ତି। ପାଦେ ପାଦେ ଜଙ୍ଗଲ ଜନ୍ତୁଙ୍କ ଭୟ ଥିବା ସତ୍ତ୍ୱେ ଲୋକମାନେ ଜୀବନକୁ ବାଜି ଲଗାଇ ପାଣି ଆଣିବାକୁ ଯାଉଛନ୍ତି।

Advertisment

ଗାଁର ଜଣେ ମହିଳା କହିଛନ୍ତି, ନଳକୂପ ଓ ବୋରୱେଲରୁ ଖରାପ ପାଣି ବାହାରୁଛି। ତାହା ପିଇ ହେଉନାହିଁ। ଆମର ଦୁଃଖ ଦେଖି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ହେଲେ ଏବେ ସେହି ପାଣି ଯୋଗାଇ ଦିଆଯାଉ ନାହିଁ। ଯାହାଫଳରେ ଆମେ ନଦୀର ଅପରିଷ୍କାର ପାଣି ପିଉଛନ୍ତି। ବର୍ଷକ ବାର ମାସ ଆମେ ନଈ ପାଣି ପିଉଛୁ ବୋଲି ମହିଳା ଜଣକ କହିଛନ୍ତି।

ଆଉ ଜଣେ ମହିଳା କହିଛନ୍ତି, ବର୍ଷ ସାରା ଆମେ ନଈ ପାଣି ପିଉଛୁ। ସେଥିପାଇଁ ପିଲାମାନେ ସୁସ୍ଥ ହେଉଛନ୍ତି। କ’ଣ କରିବୁ? ପିଇବା ପାଇଁ ପାଣି ମିଳୁନଥିବାରୁ ବାଧ୍ୟ ହୋଇ ନଦୀ ପାଣିକୁ ବ୍ୟବହାର କରୁଛୁ। ଏନେଇ ଆମେ ବିଡିଓଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅଭିଯୋଗ କରିଛୁ। ହେଲେ କିଛି ଫଳ ମିଳୁନାହିଁ ବୋଲି ମହିଳା ଜଣକ କହିଛନ୍ତି।

ରିପୋର୍ଟ-କୋଇଡାରୁ ସୁନୀଲ ପଣ୍ଡା

Sundargarh Water Problem