/odisha-reporter/media/post_attachments/uploads/2021/04/gurinder.jpg)
gurinder
ରାଉରକେଲା (ପବନ ତିୱାରୀ): କରୋନା ମହାମାରୀକୁ ନେଇ ଚାରିଆଡ଼େ ହାହାକାର। ଏହି ମହାମାରୀକୁ ନେଇ ସବୁଠାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମହାମାରୀ ସମୟରେ ଅନେକ ଲୋକ ବିଭିନ୍ନ ଉପାୟରେ ସହାୟତାର ହାତ ବଢ଼ାଉଛନ୍ତି। କିନ୍ତୁ ରାଉରକେଲାର ବାସିନ୍ଦା ଗୁରିନ୍ଦର ସିଂହଙ୍କ ପରିବାର କରୋନା ମହାମାରୀର ସଙ୍କଟଜନକ ସମୟରେ ଏମିତି କିଛି କାମ କରିଛନ୍ତି, ଯାହାକୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ।
ରାଉରକେଲା ସିଭିଲ ଟାଉନସିପରେ ରୁହନ୍ତି ଗୁରନ୍ଦିର ସିଂହଙ୍କ ପରିବାର। ଗତ ପ୍ରାୟେ ବର୍ଷେ ହେବ ଏମାନେ କରୋନା ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତି। ଆଉ ତା ପୁଣି ସମ୍ପୂର୍ଣ୍ଣ ମାଗଣାରେ। କରୋନାରେ ଆକ୍ରାନ୍ତ ହେଉଥିବା ଯେଉଁ ରୋଗୀ ହୋମ୍ ଆଇସୋଲେସନରେ ରହୁଛନ୍ତି, ସେମାନଙ୍କ ପାଖକୁ ଏହି ପରିବାର ଖାଦ୍ୟ ପହଞ୍ଚାଉଛନ୍ତି। ସଠିକ୍ କୋଭିଡ୍ ରିପୋର୍ଟ ଏବଂ ଘର ଠିକଣା ପାଇବା ପରେ ଗୁରିନ୍ଦରଙ୍କ ପରିବାରଲୋକେ ସେମାନଙ୍କୁ ଖାଇବାକୁ ଦେଉଛନ୍ତି।
ଏଭଳି ଏକ ମହାନ କାମ କରିବାରେ ଗୁରିନ୍ଦରଙ୍କ ପରିବାର ବହୁତ ଖୁସି ଲାଗୁଛି ବୋଲି ଖୋଦ୍ ଗୁରିନ୍ଦର କହିଛନ୍ତି। ଗୁରିନ୍ଦର କହୁଛନ୍ତି, ଗତବର୍ଷ ଯେତେବେଳେ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା, ସେତେବେଳୁ ଆମେ ଏହି ଲଙ୍ଗର ଆରମ୍ଭ କରିଛୁ। ଭଗବାନଙ୍କ କୃପାରୁ କେହି ଯେପରି ଏହି ସଙ୍କଟଜନକ ସ୍ଥିତିରେ ଖାଦ୍ୟରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ପ୍ରଥମେ ଆମେ ୩୦-୪୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲୁ। କିନ୍ତୁ ଏବେ ଦୈନିକ ୩୦୦ରୁ ଅଧିକ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରିବାକୁ ପଡ଼ୁଛି। ଏଥିପାଇଁ ଆମକୁ ପଡ଼ୋଶୀ ଲୋକେ ବହୁତ ସହାୟତା କରୁଥିବା ଗୁରିନ୍ଦର କହିଛନ୍ତି।
ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ଏବେ ଲୋକେ ଘରୁ ପଦାକୁ ଗୋଡ କାଢ଼ୁନାହାନ୍ତି। ତା ସହ ଅଧିକ ଚିନ୍ତା ବଢ଼ାଇଛି ରାଉରକେଲା ସହରରେ କରୋନା ପଜିଟିଭଙ୍କ ସଂଖ୍ୟା। ସହରରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କରେନା ରୋଗୀ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ରୋଗୀଙ୍କୁ ଘରେ ଆସୋଲେସନରେ ରହିବାକୁ ପଡୁଛି। ଯେଉଁମାନେ ହୋମ ଆଇସୋଲେସନରେ ରହୁଛନ୍ତି ସେମାନଙ୍କ ନିକଟକୁ ଦୁଇ ଓଳି ଖାଦ୍ୟ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହେଉଥିଲା। ତେଣୁ ଗୁରିନ୍ଦର ସିଂହ ଏବଂ ତାଙ୍କ ପରିବାର ଏବେ ସେହି କରୋନା ରୋଗୀଙ୍କ ଘରେ ଘରେ ଖାଦ୍ୟ ପହଞ୍ଚାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
