/odisha-reporter/media/post_attachments/uploads/2020/09/electricity.jpg)
electricity
ରାଜଗାଙ୍ଗପୁର (ବିଶ୍ୱକେତନ ରାୟ): ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଚାରିଆଡ଼ୁ ବିରୋଧ କରାଯାଉଛି। ଏହି ଦର ବୃଦ୍ଧି ଏବେ ଲୋକଙ୍କ ପାଇଁ ବୋଝ ଉପରେ ଲଳିତ ବିଡ଼ା ସଦୃଶ ହୋଇଛି। ରାଜ୍ୟ ସରକାରଙ୍କୁ ଏହି ନିଷ୍ପତ୍ତିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଗାଙ୍ଗପୁର ବାସିନ୍ଦା।
ରାଜଗାଙ୍ଗପୁର ହେଉଛି ଆଦିବାସୀ ଅଦୂଷିତ ଅଞ୍ଚଳ। ଏଠାରେ ବୋହୂ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି। କେହି କେହି ଖଟି ଖାଆନ୍ତି ତ କେହି ଚାଷ ବାସ ଉପରେ ନିର୍ଭର କରନ୍ତି। ବିଜୁଳି ଦର ବଢିବା ଯୋଗୁ ଏଠାକାର ଅଧିବାସୀଙ୍କର ଚିନ୍ତା ବଢ଼ିଯାଇଛି। ଉଠା ଜଳସେଚନ ଦ୍ୱାରା ଚାଷ କରୁଥିବା ଚାଷୀ ବିଜୁଳି ଦର ବୃଦ୍ଧିକୁ ଶୁଣି ମୁଣ୍ଡରେ ହାତ ଦେଇଛନ୍ତି। ରାଜଗାଙ୍ଗପୁର ଏକ ଉପତ୍ୟ ଅଞ୍ଚଳ ସହିତ ଶିଳ୍ପ ଅଞ୍ଚଳ ଗ୍ରୀଷ୍ମ ସମୟରେ ତାପମାତ୍ରା ଅଧିକ ରହେ।
ସାଧାରଣତଃ ପଙ୍ଖା ଓ କୁଲର ଉପରେ ନିର୍ଭର କରନ୍ତି ସହରବାସୀ। କରୋନାରେ ଅଧିକାଂଶ ଲୋକଙ୍କର ଯେପରି ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଏବେ ବିଦ୍ୟୁତ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଏମିତି କି ଅଧିକାଂଶ ସମୟରେ ବିଜୁଳି କାଟ୍ ସହିତ ଲୋ ଭୋଲଟେଜ୍ ରହୁଛି। ଯାହାକୁ ନେଇ ସ୍ଥାନୀୟ ଅଧିବାସୀ କହିଛନ୍ତି ଯେ ବିଦ୍ୟୁତ ଦର ବୃଦ୍ଧି କରିବାର ଏଇଟା ଉପଯୁକ୍ତ ସମୟ ନୁହେଁ।
ଏ ନେଇ ରାଜଗାଙ୍ଗପୁରର ବାସିନ୍ଦା ଚିତ୍ତରଞ୍ଜନ ସାହୁ କହିଛନ୍ତି, ଗତବର୍ଷ କରୋନା କାରଣରୁ ବହୁ ଲୋକେ ଚାକିରି ହରାଇଛନ୍ତି ଏବଂ ବେପାର ମଧ୍ୟ ଠିକଠାକ୍ ହୋଇପାରି ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିବା ନିଷ୍ପତ୍ତି ଆମ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ଅନ୍ୟ ରାଜ୍ୟରେ ବିଦ୍ୟୁତ ଦର କମ୍ ରହିଛି। କିନ୍ତୁ ଆମ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ହେବା ସତ୍ତ୍ୱେ ଦର ବଢ଼ୁଛି।
ଆଉଜଣେ ସ୍ଥାନୀୟ ବାସିନ୍ଦା ମୌସୁମୀ କହିଛନ୍ତି, ବିଦ୍ୟୁତ ଦର ବଢ଼ିବା ନିଶ୍ଚିତ ଭାବେ ଚିନ୍ତାଜନକ। ବିଶେଷକରି ଏହା ମଧ୍ୟବିତ୍ତ ପରିବାର ଉପରେ ଅଧିକ ପ୍ରଭାବ ପକାଇବ। ଖରାଦିନେ ଯେଉଁଠି ଅସହ୍ୟ ଗରମ ହେଉଛି, ସେହିଠାରେ ବିଦ୍ୟୁତ ଦର ବଢ଼ିବା କଷ୍ଟଦାୟକ। ତେଣୁ ସରକାର ଏହା ଉପରେ ପୁନବିର୍ଚାର କରିବା ଦରକାର।
ସେହିପରି ଶମ୍ଭୁ ଦେ ନାମକ ବେପାରୀ କହିଛନ୍ତି, ଏବେ ବେପାର ଆଗ ଅପେକ୍ଷା ଭଲ ଚାଲୁନାହିଁ। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ ଦର ବଢ଼ାଇବା ନିରାଶ କରିଛି। ଯେହେତୁ ଏଠାକାର ଅଞ୍ଚଳ ପାହାଡ଼ିଆ, ତେଣୁ ଏଠାରେ ଗରମ ପ୍ରବଳ। ଆଉ ଏହି ଗରମ ସମୟରେ ଯଦି ବିଦ୍ୟୁତ ଦର ବଢ଼ିବ, ତାହେଲେ ଗରିବଙ୍କ ଉପରେ ଏହା ଅତ୍ୟଧିକ ବୋଝ ପକାଇବ। ବିଶ୍ୱନାଥ ଭଟ୍ଟଚାର୍ଯ୍ୟ କହିଛନ୍ତି, ସରକାରଙ୍କ ଉପରେ ଆମର ବହୁତ ଭରସା ଅଛି ବୋଲି ସରକାର ଏତେ ଦିନ ଧରି ଆମ ରାଜ୍ୟରେ ରାଜୁତି କରିଛନ୍ତି। କିନ୍ତୁ ବିଦ୍ୟୁତ ଦର ବଢ଼ିବନି ବୋଲି ଆମେ ସରକାରଙ୍କ ଉପରେ ଯେଉଁ ଆଶା ରଖିଥିଲୁ ଯେ ସେଥିରେ ନିରାଶ ହୋଇଛୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
