/odisha-reporter/media/post_attachments/uploads/2022/01/surekha.jpg)
surekha
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ତା’ ଉପରୁ ପର୍ଦା ହଟିଛି। ସୁରେଖା ପଲେଇଙ୍କୁ ହତ୍ୟା କରାଯାଇନଥିଲା ବରଂ ସେ ଆତ୍ମହତ୍ୟା କରିଥିବା ପୁଲିସ୍ ସୂଚନା ଦେଇଛି। ସୁରେଖାର ପୋଷ୍ଟ ମର୍ଟମ ରିପୋର୍ଟ ପରେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି। ତେବେ ସୁରେଖାଙ୍କ ଆତ୍ମହତ୍ୟା ପଛରେ ତାଙ୍କ ବୟଫ୍ରେଣ୍ଡର ସଂପୃକ୍ତି ରହିଛି। ଏହି କାରଣରୁ ପୁଲିସ୍ ସୁରେଖାଙ୍କ ବୟଫ୍ରେଣ୍ଡ ଓ ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରିଛି।
ପୁଲିସ୍ ସୂଚନା ଦେଇଛି, ମୃତ ସୁରେଖା ତାଙ୍କ ବୟଫ୍ରେଣ୍ଡ ବିଶ୍ୱଜିତଙ୍କୁ ଏକତରଫା ପ୍ରେମ କରୁଥିଲେ। ହେଲେ ସୁରେଖା ବାରମ୍ବାର ବିଶ୍ୱଜିତକୁ ବିବାହ କରିବାକୁ ଜିଦ୍ ଧରି ବସୁଥିଲା। ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଘଟଣା ଦିନ ରାତିରେ ଉଭୟଙ୍କ କଥା କଟା କଟି ହୋଇଥିଲା। ସେମାନେ ରାତିରେ ଭୋଜି କରିଥିଲେ। ସମସ୍ତେ ଖାଇ ସାରି ଶୋଇବା ପରେ ୩ଜଣଙ୍କୁ ବାହାରପଟୁ କବାଟ ଦେଇଥିଲେ ସୁରେଖା। ଯାହା ପରେ ସେ ବିଶ୍ୱଜିତ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।
ତେବେ ଘଟଣା ପରେ ତିନି ଅଭିଯୁକ୍ତ ମୃତଦେହକୁ ବିଶ୍ୱଜିତ ଘରୁ ବାହାର କରି ସୁରେଖାଙ୍କ ଘର ଆଗରେ ରଖିଥିଲେ। ଏହାପରେ ପାରିପାର୍ଶ୍ୱିକ ପ୍ରମାଣକୁ ନଷ୍ଟ କରି ୩ ଜଣ ଯାକ ନୟାଗଡ଼ ପଳେଇ ଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣା ପରେ ଫେରାର୍ ଥିବା ତିନି ଅଭିଯୁକ୍ତଙ୍କୁ ଭରତପୁର ପୁଲିସ୍ ଆଜି ନୟାଗଡରୁ ଗିରଫ କରିଛି। ଗିରଫ ପରେ ତିନି ଜଣଙ୍କୁ ନେଇ ପୁଲିସ୍ କ୍ରାଇମ୍ ସିନ୍ ରିକ୍ରେସନ୍ କରିଛି ।
ସୂଚନାଯୋଗ୍ୟ, ରବିବାର ଭରତପୁର ତାରିଣୀ ବସ୍ତିର ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ଜଣକ ସୁରେଖା ପଲେଇ ବୋଲି ଜଣାପଡ଼ିଥିଲା। ଯାହା ପରରେ ପରିବାର ଲୋକେ ସୁରେଖାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
