
Barabati Stadium cuttack
ଆସନ୍ତା ଡିସେମ୍ବର ୯ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତାବିତ ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ଟି-୨୦ କ୍ରିକେଟ୍ ମ୍ୟାଚର ତ୍ରୁଟିପୂର୍ଣ୍ଣ ଆୟୋଜନ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି । ବାରବାଟୀରେ ଏହି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ପାଇଁ ବିଶ୍ୱସ୍ତରୀୟ ପ୍ରସ୍ତୁତି, ଫୁଲ୍ ପ୍ରୁଫ୍ ବ୍ୟବସ୍ଥା କରିବା ସହ ଓଡ଼ିଶାର ମର୍ଯ୍ୟାଦା ଯେଭଳି କ୍ଷୁଣ୍ଣ ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ତ୍ରୁଟିଶୂନ୍ୟ ଆୟୋଜନ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଓଡ଼ିଶାର ମର୍ଯ୍ୟାଦା ଓ ବିଶ୍ୱସ୍ତରୀୟ ପ୍ରସ୍ତୁତି
ଗତବର୍ଷ ବାରବାଟୀରେ ଆନ୍ତର୍ଜାତିକ ଦିନିକିଆ ମ୍ୟାଚବେଳେ ବିଦ୍ୟୁତ ବ୍ରିଭାଟକୁ ନେଇ ସରକାରଙ୍କୁ ସମାଲୋଚନା ହେବାକୁ ପଡ଼ିଥିଲା । ତେଣୁ ଆଜିର ବୈଠକରେ ସେଭଳି ଘଟଣାର ପୁନରାବୃତ୍ତି ନହେବା ଏବଂ ଓଡ଼ିଶାର ମର୍ଯ୍ୟାଦା ଯେଭଳି କ୍ଷୁଣ୍ଣ ନହୁଏ ତା’ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱ ଦେଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ଓଡ଼ିଶାର ସୁନାମ ରହିଛି ଓ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନେକ ମ୍ୟାଚ୍ ମଧ୍ୟ ସୁବ୍ୟବସ୍ଥିତ ଢଙ୍ଗରେ ଆୟୋଜିତ ହୋଇଛି । କ୍ରିକେଟ୍ ଅତ୍ୟନ୍ତ ଲୋକପ୍ରିୟ ଖେଳ ହୋଇଥିବାରୁ ଏହି ମ୍ୟାଚ୍ ଉପରେ ସମଗ୍ର ଦେଶ ଓ ବିଶ୍ୱର ନଜର ରହିବ । ତେଣୁ ଆୟୋଜନ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ହେବ ତଥା ଓଡ଼ିଶାର ମର୍ଯ୍ୟାଦା ସୁରକ୍ଷିତ ରହିବ, ସେଥିପାଇଁ ସମସ୍ତେ ସଚେତନ ରହିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ସୁରକ୍ଷା ବ୍ୟବସ୍ଥା, ଗ୍ରୀନ୍ କରିଡର ଓ ପୁଲିସ୍ ସତର୍କତା
ଦିଲ୍ଲୀରେ ବୋମା ବିସ୍ଫୋରଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଆନ୍ତର୍ଜାତିକ T-20 ମ୍ୟାଚବେଳେ ଏକ ‘ଫୁଲ୍-ପ୍ରୁଫ୍ ' ସୁରକ୍ଷା ବ୍ୟବସ୍ଥା କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ୍ ଅଧିକ ସତର୍କ ରହିବା ଓ କୌଣସି ପ୍ରକାର ତ୍ରୁଟି ଯେପରି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ଅସୁସ୍ଥ ବ୍ୟକ୍ତି କିମ୍ବା ଅନ୍ୟାନ୍ୟ ଅସୁବିଧାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ନେବାଆଣିବା ପାଇଁ ଏକ ସୁବ୍ୟବସ୍ଥିତ ଗ୍ରୀନ କରିଡର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଭିଡ ନିୟନ୍ତ୍ରଣ, ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡ଼ିକୁ ଉପଯୁକ୍ତ ଭାବେ ତଦାରଖ କରି ତ୍ରୁଟିଶୂନ୍ୟ ପରିଚାଳନା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଲାଇଟ୍ ସିଷ୍ଟମ୍ ଏବଂ ଭିତ୍ତିଭୂମିର ସମୀକ୍ଷା
ବୈଠକରେ ଓସିଏ ସଂପାଦକ ସଞ୍ଜୟ ବେହେରା ମ୍ୟାଚର ପ୍ରସ୍ତୁତି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଟିକେଟ୍ କିଣାବିକା, ଦର୍ଶକମାନଙ୍କ ପାଇଁ ବ୍ୟବସ୍ଥା, ନିରନ୍ତର ଲାଇଟ୍ ବ୍ୟବସ୍ଥା, ଷ୍ଟାଡିୟମର ଭିତ୍ତିଭୂମି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ର୍ପାକିଂ ଓ ଟ୍ରାଫିକ୍ ପରିଚାଳନା ଆଦି ବିଷୟରେ ଆଲୋଚନା ହୋଇଥିଲା । ମ୍ୟାଚ୍ ସମୟରେ Barabati Stadiumରେ ନିରନ୍ତର ଲାଇଟ୍ ବ୍ୟବସ୍ଥା ପାଇଁ ଅଧିକ ଜେନସେଟ୍ ଅଣାଯାଇ ଥିବାବେଳେ ଏହାର ମନିଟରିଂ ପାଇଁ ନୂଆ ସଫ୍ଟୱେୟାର ମଧ୍ୟ ଇନଷ୍ଟଲ କରାଯାଇଛି । ଯାହାକି ଗୋଟିଏ ଜେନସେଟ୍ ଫେଲ୍ ହେଲେ ତୁରନ୍ତ ଅନ୍ୟ ଗୋଟିଏ ଜେନସେଟକୁ କାର୍ଯ୍ୟକ୍ଷମ କରାଇବ। ଷ୍ଟାଡ଼ିୟମରେ ପ୍ରତ୍ୟେକ ଷ୍ଟାଣ୍ଡର କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହି ସମୀକ୍ଷା ବୈଠକରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ସଚିବ, ଗୃହ ସଚିବ, ପୁଲିସ ଡିଜି ଓ ଓସିଏର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
