Advertisment

ଟାଟା ପାୱାର ନୂଆ ଚାଲ୍‌, ୪୦ ଦିନର ବିଲ ଦେଇ ଚଢ଼ା ଦରରେ ଆଦାୟ କରୁଛି ଟଙ୍କା!

ଟାଟାର ୪୦ ଦିନିଆ ମିଟର ରିଡିଂ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ପ୍ରିୟବ୍ରତ ବିଶ୍ୱାଳ। ତାଙ୍କ ଘରୁ ମେ’ ମାସର ରିଡିଂ ୯ ତାରିଖରେ ନିଆଯାଇଥିବା ବେଳେ ଜୁନର ରିଡିଂ ନିଆଯାଇଛି ୧୮ ତାରିଖରେ।

TATA POWER

TATA POWER

Advertisment

ରାଜ୍ୟରେ ଘନଘନ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଟାଟା ପାୱାର ଅଭିନବ ଉପରେ ଉପଭୋକ୍ତାଙ୍କୁ ଠକୁଛି। ଏକାସାଙ୍ଗରେ ପ୍ରାୟ ୪୦ ଦିନର ବିଲ୍ ଦେଇ ଗ୍ରାହକଙ୍କଠାରୁ ବେନିୟମ ଭାବେ ଚଢ଼ା ଦରରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଏପରି ମାଳ ମାଳ ଅଭିଯୋଗ। ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଟାଟାର ୪୦ ଦିନିଆ ମିଟର ରିଡିଂ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ପ୍ରିୟବ୍ରତ ବିଶ୍ୱାଳ। ତାଙ୍କ ଘରୁ ମେ’ ମାସର ରିଡିଂ ୯ ତାରିଖରେ ନିଆଯାଇଥିବା ବେଳେ ଜୁନର ରିଡିଂ ନିଆଯାଇଛି ୧୮ ତାରିଖରେ। ଅର୍ଥାତ ୪୦ ଦିନର ଅନ୍ତର। ୪୦ ଦିନ ପାଇଁ ବିଜୁଳି ଖର୍ଚ୍ଚ ପାଇଁ ଆସିଛି ୮ ହଜାର ୧୩୫ ଟଙ୍କାର ବିଲ୍। ପ୍ରଥମ ୫୦ ୟୁନିଟ୍ ପାଇଁ ୩ ଟଙ୍କା ହିସାବରେ, ପରବର୍ତ୍ତୀ ୧୫୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା, ୨୦୦ ୟୁନିଟ୍ ପାଇଁ ୫ ଟଙ୍କା ୮୦ ପଇସା ଓ ବଳକା ୯୬୭ ୟୁନିଟ ପାଇଁ ୬ ଟଙ୍କା ୨୦ ପଇସା ହିସାବରେ ବିଲ୍‌ କରାଯାଇଛି।

ପ୍ରିୟବ୍ରତଙ୍କ ଅଭିଯୋଗ ଅନୁସାରେ, ଟାଟା ପାୱାରର ଏହି ୪୦ ଦିନିଆ ବିଲ୍ ପାଇଁ ତାଙ୍କୁ ପ୍ରାୟ ୧ ହଜାର ଟଙ୍କା କ୍ଷତି ସହିବାକୁ ପଡ଼ିଛି। କାରଣ ୩୦ ଦିନିଆ ବିଲ୍‌ ଆସିଥିଲେ, ଅତିରିକ୍ତ ୧୦ ଦିନର ପ୍ରାୟ ୩୪୧ ୟୁନିଟ୍‌ ବିଜୁଳି ପରବର୍ତ୍ତୀ ମାସ ବିଲରେ ୬ ଟଙ୍କା ୨୦ ପଇସାଠୁ ଢେର କମ୍ ରେଟ୍ ସ୍ଲାବରେ ହିସାବ ହୁଅନ୍ତା ବୋଲି ପ୍ରିୟବ୍ରତ କହିଛନ୍ତି। କେବଳ ପ୍ରିୟବ୍ରତ ନୁହଁନ୍ତି, ସାମନ୍ତରାପୁର ଅଞ୍ଚଳର ଅଧିକାଂଶ ଉପଭୋକ୍ତା ଏହି ଚକ୍ରାନ୍ତର ଶିକର ହୋଇଥିବା ଅଭିଯୋଗ ଆସିଛି।

Advertisment

ଉପଭୋକ୍ତା ନିୟାମକ ଆଇନ କହୁଛି, ୨୮ରୁ ୩୨ ଦିନ ଭିତରେ ମିଟର ରିଡିଂ ନିଆଯିବା କଥା। ପୂର୍ବ ମାସ ଓ ପର ମାସ ମିଟର ରିଡିଂ ସଂଗ୍ରହ ତାରିଖରେ ୩ ଦିନ ଏପଟ ସେପଟେ ହେଲେ ଚଳିବ। ହେଲେ ତା’ଠୁ ଅଧିକ ହେଲେ, ଏହା ଉପଭୋକ୍ତା ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଟାଟା ପାୱାର ଭଳି ଡିସକମ୍‌ କମ୍ପାନୀ ଏଥିପାଇଁ ଦଣ୍ଡିତ ହେବା ସହ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ମତ ରଖିଛନ୍ତି ବିଦ୍ୟୁତ ଉପଭୋକ୍ତା ସଂଘ ଓ ଶକ୍ତି ସମୀକ୍ଷକ।

ଅଭିଯୋଗ ଅନୁସାରେ, ଟାଟା ପାୱାରର ଏହି ବିଲ ଘୋଟାଲା କେବଳ ଖରାଦିନରେ ଦେଖିବାକୁ ମିଳୁଛି। କାରଣ ଖରାଦିନେ ହିଁ ବିଜୁଳି ଅଧିକ ବ୍ୟବହାର ହେଉଥିବାରୁ, କମ୍‌ ଦିନରେ ଅଧିକ ମିଟର ରିଡିଂ ଆସିଥାଏ। ତେବେ ଏସବୁ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖି TPCODL କହିଛି, ବରାମ୍ବାର କାଳବୈଶାଖୀ ଯୋଗୁ ବିଲ୍‌ ଦେବାରେ ବିଳମ୍ବ ହୋଇଛି। ଏହାର ସଂଶୋଧନ ପାଇଁ ଆମେ ପ୍ରୟାସ କରିବୁ। ସଠିକ ବିଲିଂ ଓ ଗ୍ରାହକ ସେବା ନିଶ୍ଚିତ ପାଇଁ ଆମେ ଏସ୍‌ଓପି ପାଳନ କରୁଛୁ। ଏସଓପି ଅନୁସାରେ ମୋବାଇଲ ମେସେଜ ଜରିଆରରେ ଆମେ ଗ୍ରାହକଙ୍କୁ ସମସ୍ୟା ଓ ସଂପୃକ୍ତ ବିଲ୍‌ ସଂପର୍କରେ ସୂଚନା ପ୍ରଦାନ କରିବୁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Tata Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe