Advertisment

Retrench: ଟାଟା ପାୱାର କର୍ମଚାରୀଙ୍କୁ ଅଚାନକ ଛଟେଇ, ଖବର ଶୁଣି ବେହୋସ ହୋଇଗଲେ

ମାନସୀଙ୍କ ସ୍ୱାମୀ ରବିନନ୍ଦନ ବାରିକ କହିଛନ୍ତି ଯେ କୌଣସି ନୋଟିସ୍ ଦିଆନଯାଇ ତାଙ୍କ ପତ୍ନୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ତାଙ୍କ ପତ୍ନୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

author-image
Jitendra Garnayak
Woman

ଭଦ୍ରକ ଜିଲ୍ଲା ଧାମନଗର ଟାଟା ପାୱାର ଅଧୀନରେ କାମ କରୁଥିବା ଜଣେ ମହିଳା ହଠାତ୍ ତାଙ୍କ ଛଟେଇ ସୂଚନା ପାଇ ଅଚେତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଏହି ମହିଳାଙ୍କ ନାଁ ମାନସୀ ବାରିକ। ତାଙ୍କ ଘର ଦୋବଲ ପଞ୍ଚାୟତ ଇଟୁଆ ଗ୍ରାମରେ। ସେ ୪ ବର୍ଷ ହେଲା ଧାଭନଗର ଟାଟା ପାୱାରର କଷ୍ଟମର କେୟାର ବିଭାଗରେ କାର୍ଯ୍ୟ କରୁଥିଲେ।

ଗତକାଲି ମାନସୀ ବାରିକ ଡ୍ୟୁଟୀରେ ଥିବା ସମୟରେ ତାଙ୍କୁ ସୂଚନା ଦିଆଗଲା ଯେ ତାଙ୍କୁ ଚାକିରିରୁ ଛଟେଇ କରି ଦିଆଯାଇଛି। ଏହି ଖବର ପାଇବା ମାତ୍ରେ ସେ ବେହୋସ ହୋଇଯାଇଥିଲେ। ସହକର୍ମୀମାନେ ମାନସୀଙ୍କୁ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ମାନସୀଙ୍କ ସ୍ୱାମୀ ରବିନନ୍ଦନ ବାରିକ କହିଛନ୍ତି ଯେ କୌଣସି ନୋଟିସ୍ ଦିଆନଯାଇ ତାଙ୍କ ପତ୍ନୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ତାଙ୍କ ପତ୍ନୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।  

ଏହି ଘଟଣା ସଂପର୍କରେ ସୂଚନା ପାଇ କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ଭଦ୍ରକ ସଂଘର ସାଧାରଣ ସମ୍ପାଦକ ଦୀପକ ବାରିକ ଓ ସାଂଗଠନିକ ସଂପାଦକ ବସନ୍ତ ମହାନ୍ତି ଡାକ୍ତରଖାନାରେ ପହଞ୍ଚି ମାନସୀ ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ଟାଟା ପାୱାର ଓ ସଂପୃକ୍ତ  ଏଜେନ୍ସୀଙ୍କ ମନମାନୀ ଛଟେଇ ନୀତିକୁ ତୀବ୍ର ଭାବେ ବିରୋଧ କରିଛନ୍ତି।  

ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପୁରୁଣା କର୍ମଚାରୀମାନଙ୍କୁ ବାହାର କରି ନୂଆ କର୍ମଚାରୀ ନିଯୁକ୍ତି ନାଁରେ ଟଙ୍କା ଆଦାୟ କରିବା ପାଇଁ ଏଭଳି ଛଟେଇ କରାଯାଉଛି। ପୁରୁଣା କର୍ମଚାରୀମାନଙ୍କୁ ନୂଆ ଏଜେନ୍ସୀ ମାଧ୍ୟମରେ ପୁନର୍ବାର ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ଯଦି ଏଭଳି ବିନା କୌଣସି ଯୁକ୍ତିସଙ୍ଗତ କାରଣରେ ଛଟେଇ ପ୍ରକ୍ରିୟା ଜାରି ରହେ, ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। 

କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ଭଦ୍ରକ ସଂଘର ସାଧାରଣ ସମ୍ପାଦକ ଦୀପକ ବାରିକ କହିଛନ୍ତି, ଟାଟା ପାୱାର ବିଭିନ୍ନ ଏଜେନ୍ସୀ ମାଧ୍ୟମରେ ବିଭିନ୍ନ ବିଭାଗରେ ଲୋକଙ୍କୁ ନିଯୁକ୍ତି ଦେଇ କାମ କରାଉଛି। କିନ୍ତୁ ଚାକିରି ନବୀକରଣ ବେଳେ ଭଲ ପ୍ରଦର୍ଶନ ସତ୍ତ୍ୱେ କିଛି କର୍ମଚାରୀଙ୍କୁ ବାହାର କରିଦିଆଯାଉଛି। ଅଧିକାରୀମାନେ ପଇସାପତ୍ର ନେଇ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି। ପୁରୁଣା କର୍ମଚାରୀଙ୍କୁ ଛଟେଇ କରି ଦିଆଯାଉଛି। ପୁଣି ସେମାନଙ୍କୁ କୌଣସି ନୋଟିସ୍ ଦିଆଯାଉନାହିଁ। ଟାଟାର ମନମାନୀ ବିରୋଧରେ ଆମେ ଉଚ୍ଚ ପଦାଧିକାରୀମାନଙ୍କୁ ଜଣାଇଛୁ। ଏହା ବନ୍ଦ ନହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ।