/odisha-reporter/media/media_files/2026/02/13/exam-paper-2026-02-13-18-20-42.jpg)
ଯୁକ୍ତ ଦୁଇ ପରୀକ୍ଷାକୁ ରହିଲା ଆଉ ମାତ୍ର ୬ ଦିନ । ଏଥର କାଉନସିଲର ନିଷ୍ପତ୍ତି କ୍ରମେ ସବୁ ଖାତା ଅନଲାଇରେ ଦେଖା ହେବ। ହେଲେ ଅନଲାଇନରେ ଖାତା ଦେଖା ପୂର୍ବରୁ ଆନସର ସିଟ୍ ସବୁ ସ୍କାନିଂ ହେବ। ଆନସର ସିଟ୍ ସ୍କାନ କରି ସବୁ ପରୀକ୍ଷା ମୂଲ୍ୟାଙ୍କନ ସେଣ୍ଟରକୁ ପଠାଇବା ପାଇଁ ଗୋଟିଏ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି । ଆଗରୁ ଯୁକ୍ତ ଦୁଇ ବିଜ୍ଞାନରେ ଏହି ବ୍ୟବସ୍ଥା ଥିବା ବେଳେ ଏବେ ବାଣିଜ୍ୟ ଓ କଳାର ମଧ୍ୟ ଏହି ନିୟମ ଲାଗୁ ହୋଇଛି। ତେବେ ଯେଉଁ ସଂସ୍ଥାକୁ ସ୍କାନିଂ ପାଇଁ ଦାୟିତ୍ବ ମିଳିଛି ତାକୁ ନେଇ ଉଠିଛି କେଁ।
ଖାତା ସ୍କାନିଂ ପାଇଁ ପରିଷଦ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା Coempt Eduteck Private Limitedକୁ ଆୱାର୍ଡ଼ ଅଫ କଣ୍ଟ୍ରାକ୍ଟ କରାଯାଇଛି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ଏହି କମ୍ପାନୀର ମୂଳ ନାମ GLOBARENA TECHNOLOGIES PRIVATE LIMITED ଥିଲା। ଏହି କମ୍ପାନୀ ତେଲେଙ୍ଗାନାରେ ପରୀକ୍ଷା ଦୁର୍ନୀତିରେ ଫସିଥିବା ଅଭିଯୋଗ ହୋଇଥିଲା। ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ଏଥି ପାଇଁ ୧୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇଥିଲେ । ସେଥିପାଇଁ ତେଲେଙ୍ଗାନା ସରକାର ଏହାକୁ ବ୍ଲାକ ଲିଷ୍ଟ କରିଛନ୍ତି। ସେଠାରେ ବ୍ଲାକଲିଷ୍ଟ ହେବା ପରେ ୨୦୨୦ରେ କମ୍ପାନୀ ନାମ ପରିବର୍ତ୍ତନ କରିଥିଲା। ଏବେ ସେ ନୂଆ ନାମରେ ଓଡ଼ିଶାରେ ଯୁକ୍ତ ଦୁଇ କାଉନସିଲରୁ ଖାତା ସ୍କାନିଂ ଟେଣ୍ଡର ନେଇଛି।
ଆସନ୍ତା୧୮ ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଯେଉଁଥି ପାଇଁ ପୂରା ବିଭାଗ ତତ୍ପର। ଅନଲାଇନ ଭେଲ୍ୟୁଏସନ କରିବାକୁ ହେଲେ ପରୀକ୍ଷା ପର ଦିନରୁ କାମ ଆରମ୍ଭ କରିବାକୁ ପଡ଼ିଥାଏ। ଆମେ କଳା ତାଲିକା ଭୁକ୍ତ କମ୍ପାନୀକୁ କେମିତି ଏହି କାମ ଦିଆଗଲା ସେ ନେଇ ଯୁକ୍ତଦୁଇ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ପଚାରିଥିଲୁ। ତାଙ୍କ କହିବା କଥା ହେଲା ସେହି କମ୍ପାନୀ ବିରୋଧରେ କୌଣସି ଅଭିଯୋଗ ଆମ ପାଖରେ ନାହିଁ।
ବ୍ୟୁରୋ ଇନପୁଟ ସହ ସରୋଜ ବେହେରାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
