ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ସମୟରେ ସମସ୍ତ ସଭା ସମିତି ଆୟୋଜନ କରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ହେଲେ ଭଦ୍ରକ ଜିଲ୍ଲାରେ ଅନିୟମିତତା ଭାବେ ପଲ୍ଲୀ ସଭା ଚାଲିଥିବା ଜଣାପଡ଼ିବା ପରେ ଉକ୍ତ ସଭା କିଛି ସମୟ ପାଇଁ ରଣ କ୍ଷେତ୍ର ପାଲଟଇ ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।
ଆଜି ସକାଳ ପ୍ରାୟ ୯ଟା ବେଳେ ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତସ୍ଥିତ କୋଡ଼ଗମ୍ଭିର ଗାଁରେ ପଞ୍ଚାୟତ PEO ତାପସ କୁମାର ଦାସ, ସରପଞ୍ଚ କାଳନ୍ଦୀ ଜେନା ଓ ତାଙ୍କ ସମର୍ଥକମାନଙ୍କ ସହମତିରେ ପଲ୍ଲୀସଭା ଚାଲିଥିଲା । ହେଲେ ସେମାନେ ପଲ୍ଲୀସଭା ପାଇଁ ସରକାରୀ ସ୍ତରରେ କୌଣସି ଅନୁମତି ନେଇ ନଥିବା ଜଣାପଡ଼ିଛି।
ଗାଁରେ ପଲ୍ଲୀସଭା ହେଉଥିବା ଦେଖି ଗାଁ ଲୋକେ ଲକ୍ଡାଉନ୍ ସମୟରେ କୌଣସି ସଭା ସମିତିରେ ଲୋକେ ଏକତ୍ରିତ ହୋଇପାରିବେ ନାହିଁ ବୋଲି ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାପରେ ସରପଞ୍ଚଙ୍କ ସମର୍ଥକ ଗାଁ ଲୋକଙ୍କୁ ଲୁହା ରଡ୍ ଓ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ୩ଜଣ ଆହତ ହୋଇଛନ୍ତି।
ଅନ୍ୟପକ୍ଷରେ ଲକ୍ଡାଉନ୍ ସମୟରେ ପଲ୍ଲୀ ସଭା କରି ସରକାରୀ ଦସ୍ତାବିଜକୁ ନିଜ ଅକ୍ତିଆର କରିବା ଲାଗି ସରପଞ୍ଚ ପ୍ରୟାସ କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।