/odisha-reporter/media/media_files/2026/01/31/blood-2026-01-31-18-35-29.jpg)
ନବମ ଶ୍ରେଣୀ ଛାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦଶମ ଶ୍ରେଣୀ ଛାତ୍ର। ବାଲେଶ୍ଵର ଜିଲ୍ଲା ରେମୁଣା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଘଟଣା।
ଆଜି ସ୍କୁଲର ବାର୍ଷିକ ଉତ୍ସବ ଥିଲା। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ନବମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏଭଳି ଏକ ଅପ୍ରତ୍ୟାଶିତ କାଣ୍ଡ ଭିଆଇବା ପରେ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ତାଙ୍କଠାରୁ ରେମୁଣା ଥାନା ପୁଲିସ ଆକ୍ରମଣରେ ବ୍ୟବହୃତ ଖଣ୍ଡାଟିକୁ ଜବତ କରିଛି।
ଦଶମ ଶ୍ରେଣୀ ଛାତ୍ର ଜଣଙ୍କ କାହିଁକି ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କଲେ, ତାହା ସ୍ପଷ୍ଟ ହୋଇନି। ମିଳିଥିବା ସୂଚନା ଅନୁଯାୟୀ, ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଭଲ ପାଉଥିଲେ। ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା। ପ୍ରେମ ବ୍ୟାପାରକୁ ନେଇ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ନବମ ଶ୍ରେଣୀର ଛାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା କୁହାଯାଉଛି। ତେବେ ପୁଲିସ ତଦନ୍ତ ପରେ ଠିକ୍ କଥା ଜଣାପଡ଼ିବ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ସାମ୍ନାକୁ ଆସିଛି। ଏହି କାଣ୍ଡ ଭିଆଇଥିବା ଛାତ୍ରଙ୍କୁ ତାଙ୍କର ଜଣେ ସହପାଠୀ ଯୋଗାଇ ଦେଇଥିଲେ ଖଣ୍ଡା। ପୁଲିସ ସେ ଦିଗରେ ମଧ୍ୟ ତଦନ୍ତ କରୁଥିବା ଜଣାପଡ଼ିଛି।
ସ୍କୁଲଗୁଡ଼ିକରେ ଏଭଳି ହିଂସାତ୍ମକ ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଶିକ୍ଷାବିତ। ପିଲାଙ୍କ କାଉନସେଲିଂ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସେମାନଙ୍କ ପ୍ରତ୍ୟକ କାର୍ଯ୍ୟ ଉପରେ ଉଭୟ ଶିକ୍ଷକ ଓ ଅଭିଭାବକ ନଜର ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
