ପ୍ରେମିକର ଛୁରାମାଡ଼ରେ ପ୍ରେମିକାର ଭାଇ ମୃତ

ଭଦ୍ରକ(ଓଡ଼ିଶା ରିପୋର୍ଟର):ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଭାଇର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ପାଳସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବାଶିଷ ପ୍ରଧାନ। ପୁଲିସ ଅଭିଯୁକ୍ତ ନନ୍ଦ କିଶୋର ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଦେବାଶିଷ ଭଉଣୀଙ୍କ ସହ ନନ୍ଦ କିଶୋରଙ୍କର ପ୍ରେମ ସମ୍ପର୍କ ଥିଲା। ହେଲେ ଦେବାଶିଷ ଏହାକୁ ବିରୋଧ କରୁଥିଲେ। ଗତକାଲି ସନ୍ଧ୍ୟାରେ ଦେବାଶିଷ ପାଳସାହି ବଜାରକୁ ଯାଇଥିବା ବେଳେ ନନ୍ଦ କିଶୋରଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ନନ୍ଦକିଶୋର ଉତ୍ତ୍ୟକ୍ତ ହୋଇ ଛୁରୀ ଆଣି ଦେବାଶିଷଙ୍କୁ ଭୁସି ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଦେବାଶିଷଙ୍କର ମୃତ୍ୟୁ ଘଟିଥିଲା। ଧୁଷୁରୀ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ପୂର୍ବରୁ ନନ୍ଦକିଶୋର ଦେବାଶିଷ ଭଉଣୀଙ୍କୁ ନେଇ ବାଙ୍ଗାଲୋର ପଳାଇ ଯାଇଥିଲେ। ପୁଲିସ ବାଙ୍ଗାଲୋରରୁ ଦେବାଶିଷ ଭଉଣୀଙ୍କୁ ଉଦ୍ଧାର କରିଥିଲା। ଏହାକୁ ଦେବାଶିଷ ଓ ନନ୍ଦକିଶୋର ମଧ୍ୟରେ ତିକ୍ତତା ଲାଗି ରହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।