ପୂଜା କରି ଲୁଟୁଥିଲେ ଚୋର, ଧରାଇଦେଲେ ଠାକୁର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସ୍କାରୀ ଚୋର! ଶୁଭ ବେଳା ଦେଖି ଚୋରି କରୁଥିଲେ। ଆଉ ଚୋରି ପୂର୍ବରୁ ଠାକୁର ପୂଜା କରୁଥିଲେ। ଠାକୁରଙ୍କୁ ପ୍ଲାଷ୍ଟିକ୍‌ ଚେୟାର୍‌ରେ ରଖି ପୂଜା କରୁଥିଲେ। ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ ଦେଉଥିଲେ। ଧୂପ୍‌ ମଧ୍ୟ ଜାଳୁଥିଲେ। ସୁଧାର ବ୍ୟକ୍ତିଙ୍କ ଭଳି ହାତ ଯୋଡ଼ି ଜୁହାର ହେଉଥିଲେ। ଆଉ ତା’ପରେ ଔଷଧ ଦୋକାନରେ କଳାକନା ବୁଲାଉଥିଲେ। ଚୋରିରେ ସଫଳ ହେବା ପରେ ପୁଣି ଥରେ ଠାକୁର ପୂଜା କରି ଚୋରି […]

BBSR

Manoranjan Sial
  • Published: Thursday, 27 January 2022
  • , Updated: 28 January 2022, 06:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସ୍କାରୀ ଚୋର! ଶୁଭ ବେଳା ଦେଖି ଚୋରି କରୁଥିଲେ। ଆଉ ଚୋରି ପୂର୍ବରୁ ଠାକୁର ପୂଜା କରୁଥିଲେ। ଠାକୁରଙ୍କୁ ପ୍ଲାଷ୍ଟିକ୍‌ ଚେୟାର୍‌ରେ ରଖି ପୂଜା କରୁଥିଲେ। ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ ଦେଉଥିଲେ। ଧୂପ୍‌ ମଧ୍ୟ ଜାଳୁଥିଲେ। ସୁଧାର ବ୍ୟକ୍ତିଙ୍କ ଭଳି ହାତ ଯୋଡ଼ି ଜୁହାର ହେଉଥିଲେ। ଆଉ ତା’ପରେ ଔଷଧ ଦୋକାନରେ କଳାକନା ବୁଲାଉଥିଲେ। ଚୋରିରେ ସଫଳ ହେବା ପରେ ପୁଣି ଥରେ ଠାକୁର ପୂଜା କରି ଚୋରି ଜିନିଷ ଧରି ଚମ୍ପଟ ମାରୁଥିଲେ। ଚୋରଙ୍କ ଠାକୁର ପୂଜା ଫଟୋ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ଫଟୋ ଗୁଡ଼ିକ ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲିଛି। ରାଜଧାନୀ ଭୁବନେଶ୍ୱରରୁ ଆଜି ଏପରି ଚୋର ଧରା ପଡ଼ିଛନ୍ତି।

ଭୁବନେଶ୍ୱରରେ ଔଷଧ ଦୋକାନୀଙ୍କୁ ଚକମା ଦେଇ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସ୍‌। ଏହି ଘଟଣାରେ ପୁଲିସ୍‌ ୪ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩୯ ହଜାର ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟ ଆଇଡି, ୪ଟି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମାଷ୍ଟର ମାଇଣ୍ଡ ଥିଲା ରଙ୍ଗ ମିସ୍ତ୍ରୀ ରାଜୁ ସିଂ। ସେ ୧୦ ବର୍ଷ ଧରି କଲିକତାରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ।

ମହାମାରୀ କରୋନା ବେଳେ ହୋଇଥିବା ଲକ୍‌ଡାଉନ୍‌ କାମ ମିଳିଲା ନାହିଁ। ତେଣୁ ରାଜୁ ବ୍ରହ୍ମପୁର ପଳାଇ ଆସିଥିଲା। ସେଠାରେ ଏକ ଲେଡିଜ୍‌ କର୍ଣ୍ଣର ଓ ପୁରୁଣା ବସ୍‌ଷ୍ଟାଣ୍ଡ ପାଖରେ ଏକ ଔଷଧ ଦୋକାନରୁ ଲୁଟ୍‌ କରି ୧୭ ତାରିଖ ସକାଳେ ଭୁବନେଶ୍ୱର ପଳାଇ ଆସିଥିଲା। ଭୁବନେଶ୍ୱର ରେଳ ଷ୍ଟେସନ ପାଖ ଏକ ଗେଷ୍ଟ ହାଉସରେ ୨ ଟି ରୁମ୍‌ ନେଇ ରାଜୁ ଓ ତା’ର ସହଯୋଗୀ ରହିଥିଲେ। ଏହାପରେ ହୋଟେଲ୍‌ ବଦଳାଇବା ସହ ୨୦ ତାରିଖରେ ବଡ଼ଗଡ଼, ୨୧ରେ ନୟାପଲ୍ଲୀ, ୨୨ରେ ଶ୍ରୀଲିଙ୍ଗରାଜ ଓ ୨୪ରେ ଖାରବେଳ ନଗର ଥାନାର ବିଭିନ୍ନ ଔଷଧ ଦୋକାନରୁ ଠକାମୀ କରି ଲୁଟ୍‌ କରିଥିଲେ। କମିଶନରେଟ ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଏମାନଙ୍କୁ ଧରିବାରେ ସଫଳ ହୋଇଛି।

ପୁଲିସର ସୂଚନା ଅନୁଯାୟୀ ଲୁଟେରାମାନେ ଗ୍ରାହକ ଭାବେ ଆସି ନିର୍ଦ୍ଦିଷ୍ଟ ଦୋକାନକୁ ଟାର୍ଗେଟ କରି ୩ ଜଣ ମିଶି ଲୁଟ୍ କରୁଥିଲେ। ଔଷଧ କିଣିବା ଆଳରେ ପ୍ରକୃତ ମୂଲ୍ୟଠାରୁ କମ୍‌ ମୂଲ୍ୟ ଦେଇ ପାଟିତୁଣ୍ଡ କରି ଖସିଯାଉଥିଲେ। ବଳକା ଟଙ୍କା ଆଣିବା ପାଇଁ ଦୋକାନୀ ପଛରେ ଯିବା ପରେ ପୂର୍ବରୁ ଛକି ରହିଥିବା ଅନ୍ୟ ଲୁଟେରା କ୍ୟାସ୍‌ କାଉଣ୍ଟରରୁ ଟଙ୍କା ଲୁଟି ଫେରାର ହୋଇଯାଉଥିଲେ।  ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ନାମ ହେଲା ରାଜୁ, ଶଙ୍କର, ସୋନୁ ଓ ଶାମ । ରାଜୁ ଘର ପଶ୍ଚିମ ବଙ୍ଗରେ ହୋଇଥିବା ବେଳେ ଶଙ୍କର, ସୋନୁ, ଶାମଙ୍କ ଘର ଉତ୍ତର ଚବିଶପ୍ରଗଣାରେ ବୋଲି ଜଣାଯାଇଛି। ରାଜୁ ଗ୍ୟାଙ୍ଗ ଲିଡର ଥିବା ବେଳେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା ବୋଲି କମିଶନରେଟ୍‌ ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

Related story