Advertisment

ନବ ଦାସଙ୍କୁ ଏହି ପୁଲିସ୍ କର୍ମଚାରୀ କରିଥିଲେ ଗୁଳି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

author-image
Jitendra Garnayak
ଅଦ୍ୟତନ ହୋଇଛି
Gopal Das and Naba Das

Gopal Das and Naba Das

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଆଜି ଜଣେ ପୁଲିସ୍ ଏଏସ୍‌ଆଇ ଗୁଳିମାଡ଼ କରିଛନ୍ତି। ତାଙ୍କ ନାଁ ଗୋପାଳ ଦାସ। ସେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ୍ ଆଉଟ୍‌ପୋଷ୍ଟରେ ନିଯୁକ୍ତ ହୋଇଥିଲେ। ସେ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଥିବା କଥା ସ୍ପଷ୍ଟ କରିଛନ୍ତି ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ। ତେବେ ଏଏସ୍‌ଆଇ ଗୋପାଳ ଦାସ କାହିଁକି ତାଙ୍କ ଉପରକୁ ଗୁଳି ଚଲାଇଲେ ତାହା ଜଣାପଡ଼ିନାହିଁ। ତାଙ୍କୁ ପଚରାଉଚରା କରାଯାଉଥିବା ଏସ୍‌ଡିପିଓ କହିଛନ୍ତି।

Advertisment

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଦାସଙ୍କର ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ସେଥିପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଛି। ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯିବ।

Advertisment

ଶ୍ରୀ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଆସିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ହଠାତ୍ କେହି କିଛି ଜାଣି ପାରି ନଥିଲେ। କିନ୍ତୁ ଶ୍ରୀ ଦାସ ପଡ଼ିଯିବା ପରେ ସମସ୍ତେ ଜାଣିଲେ ଯେ ଗୁଳି ମାଡ଼ ହୋଇଛି ଓ ଗୁଳି ଶ୍ରୀ ଦାସଙ୍କ ଦେହରେ ବାଜିଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପାଛୋଟି ଆଣିବା ବେଳେ ଗୁଳି ଫୁଟିଥିଲା। ଜଣେ ପୁଲିସ୍ କର୍ମଚାରୀ ତାଙ୍କ ଉପରକୁ ଗୁଳି କରିଥିଲେ। ସେ ୨ ରାଉଣ୍ଡ ଗୁଳି କରିବା ପରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରି ଥିଲେ। ସେ ବନ୍ଧୁକ ଧରିଥିବା ହାତଟିକୁ ଅନ୍ୟ ପୁଲିସ୍ କର୍ମଚାରୀମାନେ ଉପରକୁ କରି ଦେଇଥିଲେ।

Odisha Police Health Minister Naba Das Odisha Cm Crime Branch