Advertisment

ଓଡ଼ିଆ ଜାତିର ଟେକ ରଖିଲେ ମଧୁବାବୁ, ଶ୍ରୀମନ୍ଦିରକୁ ନେଇ ପାରିଲେନି ଇଂରେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଅସ୍ମିତା ଆଉ ଓଡ଼ିଆ ଗରିମାର ପ୍ରତୀକ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ସେ ନ ଥିଲେ ହୁଏତ ଏ ଜାତି ଆଜି ମୁଣ୍ଡ ଟେକି ଚାଲିବାକୁ ସକ୍ଷମ ନ ଥାନ୍ତା। ଯେଉଁ ଜଗନ୍ନାଥଙ୍କ ପାଇଁ ଆମେ ଓଡ଼ିଆ ବୋଲି ଗର୍ବ କରୁ, ସେ ଇଂରେଜ ସରକାରଙ୍କ ସମ୍ପତ୍ତି ହୋଇ ସାରିଥାନ୍ତେ। କିନ୍ତୁ କେବଳ ଉତ୍କଳ ଗୌରବଙ୍କ ପାଇଁ ଆଜି ଜଗନ୍ନାଥଙ୍କୁ ନିଜର କହୁଛେ ଆମେ। କଥାଟି ସମ୍ଭବତଃ ଅଧିକାଂଶ ଲୋକେ ଜାଣି […]

ଅଦ୍ୟତନ ହୋଇଛି
ଓଡ଼ିଆ ଜାତିର ଟେକ ରଖିଲେ ମଧୁବାବୁ, ଶ୍ରୀମନ୍ଦିରକୁ ନେଇ ପାରିଲେନି ଇଂରେଜ

po

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଅସ୍ମିତା ଆଉ ଓଡ଼ିଆ ଗରିମାର ପ୍ରତୀକ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ସେ ନ ଥିଲେ ହୁଏତ ଏ ଜାତି ଆଜି ମୁଣ୍ଡ ଟେକି ଚାଲିବାକୁ ସକ୍ଷମ ନ ଥାନ୍ତା। ଯେଉଁ ଜଗନ୍ନାଥଙ୍କ ପାଇଁ ଆମେ ଓଡ଼ିଆ ବୋଲି ଗର୍ବ କରୁ, ସେ ଇଂରେଜ ସରକାରଙ୍କ ସମ୍ପତ୍ତି ହୋଇ ସାରିଥାନ୍ତେ। କିନ୍ତୁ କେବଳ ଉତ୍କଳ ଗୌରବଙ୍କ ପାଇଁ ଆଜି ଜଗନ୍ନାଥଙ୍କୁ ନିଜର କହୁଛେ ଆମେ। କଥାଟି ସମ୍ଭବତଃ ଅଧିକାଂଶ ଲୋକେ ଜାଣି ନ ଥିବେ। ଆଜି ମଧୁବାବୁଙ୍କ ପବିତ୍ର ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ ଏହି ରୋଚକ ପ୍ରସଙ୍ଗଟି।

Advertisment

୧୮୭୮ ମସିହାରେ ଗଜପତି ମହାରାଜ ଦିବ୍ୟସିଂହଦେବ(ପ୍ରଥମ)ଙ୍କୁ କଳାପାଣି ଦଣ୍ଡାଦେଶ କରନ୍ତି ଇଂରେଜ ସରକାର। ନିଜ ୯ ଜଣ ଅନୁଗତଙ୍କ ସହ ତାଙ୍କୁ ଦଣ୍ଡ ମିଳିଥାଏ। ବାସ୍ତବରେ ପିତୃହୀନ ହୋଇଯିବା ପରେ ସଂଯୋଗକୁ ଦିବ୍ୟସିଂହ ଦେବଙ୍କୁ ସିଂହାସନ ଆରୋହରଣ କରିବାକୁ ପଡ଼ିଥିଲା। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମୃତ ଗଜପତିଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଏହି ସିଂହାସନରେ ନୂଆ ଗଜପତିଙ୍କ ଅଭିଷେକ ହେବାପରେ ଯାଇ ଠାକୁରଙ୍କ ନୀତି ହୁଏ। ଏହି କ୍ରମରେ ଅଳ୍ପ ବୟସରୁ ଦାୟିତ୍ୱ ମୁଣ୍ଡାନ୍ତି ଦିବ୍ୟସିଂହ ଦେବ। ହେଲେ ସ୍ଵଭାବତଃ ଚଞ୍ଚଳ ଓ ପିତୃହୀନ ହୋଇଥିବାରୁ କୁସଙ୍ଗରେ ପଡି ସେ ପଥଭଷ୍ଟ୍ର ହୁଅନ୍ତି। ଫଳରେ ଭଗବାନପୁର ମହନ୍ତ ଶିବ ଦାସଙ୍କ ହତ୍ୟା ଚକ୍ରାନ୍ତରେ ତାଙ୍କୁ ଗିରଫ କରାଯାଏ ଆଉ ଦଣ୍ଡମିଳେ କଳାପାଣି। ସେତେବଳେ ଆଣ୍ଡାମାନ୍‌ ଦ୍ଵୀପକୁ ଦେଶାନ୍ତର କରିବାକୁ କଳାପାଣି ଦଣ୍ଡାଦେଶ ବୋଲି କୁହାଯାଉଥିଲା। ଯାହା ଥିଲା ସମ୍ଭବତଃ ସେ ସମୟରେ ସବୁଠାରୁ ଭୟଙ୍କର ନିର୍ବାସନ ଦଣ୍ଡ ।

ଅବଶ୍ୟ ଏହା ଇଂରେଜମାନଙ୍କର ହିଁ ଚାଲ୍‌ ଥିଲା। ସେମାନେ ଜାଣିଥିଲେ ଓଡ଼ିଆ ପ୍ରଜାଙ୍କୁ ନିଜ ଅଧୀନକୁ ଆଣିବାର ଗୋଟିଏ ମାତ୍ର ଉପାୟ ହେଉଛନ୍ତି ଶ୍ରୀ ଜଗନ୍ନାଥ ଓ ଗଜପତିଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବା। ଶ୍ରୀମନ୍ଦିରକୁ କରାୟତ୍ତ କରି ଜଗନ୍ନାଥଙ୍କ ସେବାପୂଜାକୁ ଇଂରେଜ ନିଜ ହାତକୁ ନେଲେ ଯାଇ ଓଡ଼ିଆ ଲୋକେ ତାଙ୍କ ଆନୁଗତ୍ୟ ସ୍ୱୀକାର କରିବେ। ସେହି ଚାଲ ଅନୁଯାୟୀ ରାଜାଙ୍କୁ କଳାପାଣି ଦଣ୍ଡାଦେଶ ଦେଇ ଆରମ୍ଭ ହେଲା ଚକ୍ରାନ୍ତ।

Advertisment

ଗଜପତି ଦିବ୍ୟସିଂହଦେବଙ୍କ ମା’ ସୂର୍ଯ୍ୟମଣି ପାମହାଦେଈ ଇଂରେଜମାନଙ୍କ ଏ ଚକ୍ରାନ୍ତ ଜାଣିପାରିଲେ। ଦିବ୍ୟସିଂହଙ୍କ ନାବାଳକ ପୁତ୍ର ଜଗନ୍ନାଥ ଜେନାମଣିଙ୍କୁ(ମୁକୁନ୍ଦଦେବ ୨ୟ) ସିଂହାସନ ଅରୋହଣ କରାଇ ମହାପ୍ରଭୁଙ୍କ ସେବାପୂଜା ବଢାଇବାକୁ ଉଦ୍ୟମ କଲେ। କିନ୍ତୁ ଇଂରେଜ ପ୍ରଶାସନ ଏହାକୁ ବିରୋଧ କଲା। ମନ୍ଦିରର ସମସ୍ତ ପ୍ରଶାସନିକ କାର୍ଯ୍ୟ ଇଂରେଜ ସରକାର ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ଆରମ୍ଭ ହେଲା ବିଦ୍ରୋହ। କୋର୍ଟକୁ ଗଲା ମାମଲା।

ଇଂରେଜ ସରକାରଙ୍କ ହାତରେ ସମସ୍ତ କଳବଳ ଥିବା ବେଳେ ପାଟମହାଦେଈ ଥିଲେ ନିସ୍ୱ ଏବଂ ଅସହାୟ। ଓଡ଼ିଆ ଜାତି ବିକ୍ରି ହେବାକୁ ବସିଥିଲା। ଜଗନ୍ନାଥ ସଂସ୍କୃତି ଭ୍ରଷ୍ଟ ହେବାକୁ ବସିଥିଲା। ଏହି ସମୟରେ ମନେ ପଡ଼ିଲେ ମଧୁସୂଦନ। ଓକିଲ ଭାବେ କଟକରେ ବଡ଼ ନାମ କମାଇଥାନ୍ତି ମଧୂସୁଦନ ଦାସ। ତାଙ୍କର ନାଁ ଡାକ କଟକଠାରୁ ନେଇ ପୁରୀ ପର୍ଯ୍ୟନ୍ତ ରହିଥାଏ। ହେଲେ ପରିସ୍ଥିତିରେ ପଡ଼ି ମଧୁବାବୁ ଖ୍ରୀଷ୍ଟ୍ରଧର୍ମ ଗ୍ରହଣ କରିଥିବାରୁ କିଛି ଲୋକେ ତାଙ୍କୁ ଆଡ଼ ଆଖିରେ ଦେଖୁଥିଲେ। ସରକାର କୋର୍ଟରେ ମକଦ୍ଦମା ଦାଖଲ କରିଥିବା ବେଳେ ପାଟ୍ଟମହାଦେଈଙ୍କ ପକ୍ଷରୁ ମଧୂବାବୁ ଲଢ଼ିବେ କି ନାହିଁ ସେ ନେଇ ଆରମ୍ଭ ହୁଏ ତର୍ଜମା।

ହେଲେ ମଧୁବାବୁ ଥିଲେ ନିଆରା ମଣିଷ। ସେ କହିଥିଲେ, “ମୁଁ ଓଡ଼ିଆ। ଶ୍ରୀ ଜଗନ୍ନାଥ ଏ ଜାତିର ସମ୍ପତ୍ତି, ଓଡ଼ିଆଙ୍କ ସମ୍ପତ୍ତି। ଏଣୁ ତାଙ୍କୁ ସୁରକ୍ଷା ପ୍ରଦାନ କରି ଗଜପତିଙ୍କ ଗୌରବ ଫେରାଇ ଆଣିବା ମୋର ପରମ କର୍ତ୍ତବ୍ୟ।”

ଅପ୍ରତ୍ୟାଶିତ ଭାବେ ମଧୁବାବୁ ଶ୍ରୀମନ୍ଦିର ଗଜପତିଙ୍କର ଅଧିକାରଭୁକ୍ତ ବୋଲି ଯୁକ୍ତି ବାଢି କୋର୍ଟରେ କେସ୍‌ ଲଢନ୍ତି।

ଇଂରେଜ ସରକାରଙ୍କ ଅଭିଯୋଗ ଥିଲା ମାତ୍ର ୩ଟି। ଶ୍ରୀମନ୍ଦିର ପରିଚାଳନାରେ ଅପାରଗତା, ନାବାଳକ ନାତିଙ୍କୁ ସିଂହାସନ ଆରୋହଣ କରାଇବା ଓ ପେନସନ ଟଙ୍କାରୁ ସାନରାଣୀଙ୍କୁ ବଞ୍ଚିତ କରିବା। ହେଲେ, ପ୍ରଥମ ଓ ଶେଷ ଅଭିଯୋଗ ସମ୍ପର୍କରେ ଠୋସ୍‌ ତଥ୍ୟ ନ ଥିଲା। କେବଳ ଯାହା ନାବାଳକ ରାଜା ପ୍ରସଙ୍ଗରେ ଦୃଢ ଥିଲେ ଇଂରେଜ ସରକାର। ହେଲେ ରାଣୀ ମା’ଙ୍କ ଅସହାୟତା ଓ ବାଜି ଲାଗିଥିବା ଓଡ଼ିଆ ଜାତିର ଅସ୍ମିତା ରକ୍ଷା କରିବାକୁ ମଧୁବାବୁ ଦୃଢ଼ପରିକର ଥିଲେ। ବାରିଷ୍ଟର ମିଷ୍ଟର ଉଡ୍‌ରଫ୍‌ ଓ ମିଷ୍ଟର ସ୍ୟାଣ୍ଡେଲଙ୍କ ସହଯୋଗରେ କଲିକତା ହାଇକୋର୍ଟରେ ପାଟମହାଦେଈଙ୍କ ପକ୍ଷରୁ ମାମଲା ରୁଜୁ କଲେ ମଧୁସୂଦନ। ହେଲେ ସରକାର ପକ୍ଷ ଜିତିବାର ସମ୍ଭାବନା ଥିବା ଜାଣି ସୁଦ୍ଧା ମଧୁବାବୁ ନିଜକୁ ଦୁର୍ବଳ ମନେ କରି ନ ଥିଲେ। ସେ ୨ ବରିଷ୍ଠ ଓକିଲ ବନ୍ଧୁଙ୍କ ସହ ବ୍ରିଫ୍‌ ପ୍ରସ୍ତୁତ କରୁଥାନ୍ତି, ଯାହା କୋର୍ଟରେ ଦାଖଲ ହେବ। ଏହି ସମୟରେ ଜନମତକୁ ଆଧାର କରି ରାଣୀ ମା’ଙ୍କ ପକ୍ଷର ଦାବିକୁ ଉପସ୍ଥାପନ କରିବା ଶୁଭଙ୍କର ହେବ ବୋଲି ବିଚାର କରାଗଲା। ବିଚକ୍ଷଣ ଓଡ଼ିଆ ପୁଅ ମଧୂସୁଦନ ୨ଟି ଇଂରାଜୀ ଚିଠି ପ୍ରସ୍ତୁତ କଲେ। ଶ୍ରୀମନ୍ଦିରକୁ ନେଇ ଇଂରେଜମାନଙ୍କ ଦୁରଭିସନ୍ଧି ଓ ଅବିଚାର କଥା ଚିଠିରେ ଉଲ୍ଲେଖ କରାଯାଇ ଥିଲା। ପ୍ରେରକ ଜଣେ ପାଗଳ ବୋଲି ଉଳ୍ଲେଖ କରି ତତ୍କାଳୀନ ଓଡ଼ିଆ ପତ୍ରିକା 'ଉତ୍କଳ ଦୀପିକା'ରେ ସେହି ଲେଖା ପ୍ରକାଶ କରାଇ ଦେଲେ। ଏମାରମଠ ମହନ୍ତ ଇଂରେଜମାନଙ୍କ ସହ ମିଶି ଶ୍ରୀମନ୍ଦିର ଦାୟିତ୍ୱ ନିଜ ହାତକୁ ନେବାକୁ ଆଗଭର ହେଉଥିବା କଥାଟି ମଧ୍ୟ ଇଂରାଜୀ ପତ୍ରିକା ଦି ଷ୍ଟେଟ୍ସମ୍ୟାନରେ ପ୍ରକାଶିତ ହେଲା। ଯାହାକୁ ଆଧାର କରି କୋର୍ଟରେ ଉପସ୍ଥାପନ ହେଲା ଯୁକ୍ତି।

ଏପଟେ ଇଂଲଣ୍ଡ ମହାରାଣୀ ଭିକ୍ଟୋରିଆଙ୍କ ଜୁବୁଲି ଉତ୍ସବ ପାଇଁ ସାରା ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ତରବରିଆ ସମୟର ଫାଇଦା ଉଠାଇଲେ ମଧୁସୂଦନ। ଓଡ଼ିଶା ଦଖଲ ବେଳେ ଶ୍ରୀମନ୍ଦିର ମାମଲାରେ ହସ୍ତକ୍ଷେପ ନ କରିବାକୁ ଗର୍ଭର୍ଣ୍ଣର ଜେନେରାଲଙ୍କ ମାଧ୍ୟମରେ ଇଂରେଜମାନେ ଦେଇଥିବା ପ୍ରତିଶ୍ରୁତି ସେ ମନେପକାଇଦେଲେ। ଚାରିଆଡେ଼ ଏହି କଥା ଚର୍ଚ୍ଚା ହେଲା। ୧୮୮୭ ଫବୃୟାରୀ ୧୬ରେ ରାଣୀଙ୍କ ଜୁବୁଲି ଉତ୍ସବ ପାଳନ ହେବାକୁ ଥିବା ବେଳେ ତରବରିଆ ଭାବେ ମାତ୍ର ୨ଦିନ ପୂର୍ବରୁ କଲିକତା ହାଇକୋର୍ଟରେ ଶ୍ରୀମନ୍ଦିର ମକଦ୍ଦମା ପେଶ କଲେ। ଶୁଣାଣିକୁ ଅତିକମ୍‌ରେ ୩ ଦିନ ଲାଗିବାକୁ ଥିବା ବେଳେ ମଧୁସୂଦନଙ୍କ ଚିଠା ଆଧାରରେ ମାତ୍ର ୩ଘଣ୍ଟାରେ ସରିଲା ଶୁଣାଣି। ଉପସ୍ଥାପିତ ଯୁକ୍ତି ଓ ଜନମତ ଆଧାରରେ ରାୟ ଶୁଣାଇଲେ ଜଜ୍‌। ଜିତିଲେ ପାଟମହାଦେଈ, ହାରିଗଲେ ଇଂରେଜ ସରକାର। ଓଡ଼ିଆ ଅସ୍ମିତାର ବିଜୟ ହେଲା, ଜଗନ୍ନାଥଙ୍କ ବିଜୟ ହେଲା।

ଯିଏ ଦିନେ ଖ୍ରୀଷ୍ଟିଆନ୍‌ ହୋଇ ବିଧର୍ମୀ ହୋଇଥିଲେ ବୋଲି ଲୋକେ ତାଙ୍କୁ ଆଡ଼ ଆଖିରେ ଦେଖୁଥିଲେ ସେଇ ଓଡ଼ିଆ ପୁଅ ପ୍ରତି ଓଡ଼ିଆ ପାଇଁ ପାଲଟିଗଲେ ଶ୍ରେଷ୍ଠ ଓ ଗୌରବମୟ। ମନ୍ଦିର ଓ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ସେ ପାଲଟିଗଲେ ଓଡ଼ିଆମାନଙ୍କ ସବୁଠାରୁ ପ୍ରିୟ ବ୍ୟକ୍ତି। କଟକଠାରୁ ପୁରୀ ପର୍ଯ୍ୟନ୍ତ ତାଙ୍କ ସ୍ୱାଗତ ପାଇଁ ଲୋକେ ଦୁବ ଚାଉଳ ବିଞ୍ଚିଲେ। କିଏ ଦଣ୍ତବତ୍‌ କଲା ତ କିଏ କୁଣ୍ଡାଇ ପକାଇଲା। ରାଣୀମା’ ସୂର୍ଯ୍ୟମଣୀ ପାଟମହାଦେଈ ବା ଏଥିରୁ ମୁକ୍ତ ହୁଅନ୍ତେ କିପରି। ଛାମୁଙ୍କ ଚିଟାଉ ଜାରି ହେଲା। ଶ୍ରୀନହରକୁ ମଧୁସୂଦନଙ୍କୁ ଡାକିଲେ ରାଣୀମା’। ପୁଅ ଭଳି ପାଛୋଟି ନେଲେ ଅନ୍ତଃପୁରକୁ। ନା’ ଥିଲା ଟେରା ନା ପହରା। ତାଙ୍କ କୋଳରେ ବସାଇ ଦେଲେ ବାଳକ ଗଜପତି ମୁକୁନ୍ଦ ଦେବଙ୍କୁ।

କାନ୍ଦିବାକୁ ଲାଗିଲେ ‘ମଧୁ ବାରିଷ୍ଟର’। ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିଥିଲେ ବୋଲି ତାଙ୍କ ଜନ୍ମକଲା ବୋଉ ତାଙ୍କୁ ଛୁଇଁଲେ ଗାଧୋଇ ଘରକୁ ଯାଉଥିଲେ। ହେଲେ ଆଜି ରାଣୀମା’ ତାଙ୍କୁ ଶ୍ରଦ୍ଧାରେ ପାଛୋଟି ନେଲେ ଆଉ ବଡ଼ଠାକୁରଙ୍କ ଶିରକପଡ଼ା ବାନ୍ଧିଦେଲେ ମଥାରେ। ଓଡ଼ିଆ ପୁଅଟେ ପାଇଁ ଏହାଠାରୁ ବଡ଼ ଗର୍ବ ଆଉ କ’ଣ ଥାଇପାରେ ବୋଲି ନିଜକୁ ନିଜେ ପ୍ରଶ୍ନ କଲେ ଉତ୍କଳଗୌରବ...।

ବି.ଦ୍ର: ଏହାର କିଛି ତଥ୍ୟ ‘ପଗଡ଼ି ପୁରୁଷ’ ପୁସ୍ତକରୁ ସଂଗୃହୀତ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe