bhadrak
ବାସୁଦେବପୁର/ସୁବର୍ଣ୍ଣପୁର(କିରିଟି ଦାସ/ଦିଲୀପ କୁମାର ସାହୁ): ଷଷ୍ଠ ଶ୍ରେଣୀରୁ ଆରମ୍ଭକରି ମହାବିଦ୍ୟାଳୟ ସ୍ତରରେ ଛାତ୍ରୀମାନଙ୍କୁ ମାଗଣା ସ୍ୟାନିଟାରି ନ୍ୟାପ୍କିନ୍ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାର ‘ଖୁସି’ ଯୋଜନା ଆରମ୍ଭ ମଧ୍ୟ କରିଥିଲେ। ସରକାର ଏହି ଯୋଜନାରେ ଛାତ୍ରୀଙ୍କୁ ନ୍ୟାପ୍କିନ୍ ବାଣ୍ଟିବାର ବ୍ୟବସ୍ଥା କରିଥିଲେ। ମାତ୍ର ‘ଖୁସି’ ଯୋଜନାରେ ଉପଲବ୍ଧ ଥିବା ନ୍ୟାପ୍କିନ୍ ଛାତ୍ରୀଙ୍କୁ ବଣ୍ଟନ କରାଯାଉ ନଥିବା ଅଭିଯୋଗ ହୋଇଛି। ଏପରି ବିଚିତ୍ର ଚିତ୍ର ଭଦ୍ରକ ଜିଲ୍ଲାର ବାସୁଦେବପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ, ନ୍ୟାପ୍କିନ୍ ମହଜୁଦ ଥିବା ସତ୍ତ୍ୱେ ବଣ୍ଟନ କରାଯାଉ ନଥିବା ନେଇ ପ୍ରଶାସନ ପାଖରେ କିଛି ଖବର ନାହିଁ।
ନ୍ୟାପ୍କିନ୍ ବଣ୍ଟନ ପାଇଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି। ଏପ୍ରିଲ୍ ମାସର ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ୯୯ ହଜାର ୮୪୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୧ ହଜାର ୨୭୦ ସାନିଟାରି ନ୍ୟାପ୍କିନ୍ ନୋଡାଲ ସେଣ୍ଟରକୁ ଆସିଥିଲା। ବ୍ଲକର ୧୬୫ଟି ବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ଏହି ନ୍ୟାପ୍କିନ୍ ବଣ୍ଟନ କରାଯିବାର ଯୋଜନା ଥିଲା। ହେଲେ ଚାରିମାସ ପରେ ମଧ୍ୟ ତାହା ଛାତ୍ରୀଙ୍କୁ ବଣ୍ଟା ଯାଇନି। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷେ, ବାସୁଦେବପୁରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ସାମନ୍ତ କହିଛନ୍ତି, “ସପ୍ତାହକ ମଧ୍ୟରେ ଏହା ବଣ୍ଟନ କରାଯିବ।”
ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ମଧ୍ୟ ‘ଖୁସି’ ଯୋଜନା ଏକ ରକମର ପ୍ରହସନ ପାଲଟିଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବ୍ଲକସ୍ତରୀୟ ଔଷଧ ଗୋଦାମ ଗୃହରେ ଦୀର୍ଘ ଚାରିମାସ ହେବ ପଡ଼ିରହିଛି ନ୍ୟାପ୍କିନ୍। ହେଲେ ଛାତ୍ରୀମାନଙ୍କୁ ଏସବୁ ବଣ୍ଟନ କରାଯାଉନି। ଫଳରେ ବିନିକା ବ୍ଲକର ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ପ୍ରାୟ ୭୦୦୦ରୁ ଅଧିକ ଛାତ୍ରୀ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବିନିକା ବିଇଓ ଶଶିଭୁଷଣ ସେଠୀଙ୍କୁ ପଚାରିବାରୁ ତାଙ୍କ ପାଖରେ ଏଭଳି କିଛି ଖବର ନଥିବା କହିଛନ୍ତି। ଏହା ସହ ନିର୍ଦ୍ଦେଶ ମିଳିଲେ ଛାତ୍ରୀମାନଙ୍କୁ ନ୍ୟାପ୍କିନ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/bhadrak.jpg)