
ଏଣିକି ରାଜ୍ୟରେ ୩ଟି ଏକ୍ସପ୍ରେସ୍ ଟ୍ରେନ୍ ନିୟମିତ ଯାତାୟତ କରିବ। ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ(Railway) ଅନୁମତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଜନସାଧାରଣଙ୍କ ଯାତାୟତକୁ ସହଜ ଓ ସୁଗମ କରିବା ନିମନ୍ତେ ରାଜ୍ୟ ଭିତରେ ୩ଟି ସ୍ପେଶାଲ ଟ୍ରେନ୍ ନିୟମିତ ଚଳପ୍ରଚଳ ପାଇଁ ଅନୁମତି ଦିଆଯାଇଥିବା ନେଇ ଶ୍ରୀ ବୈଷ୍ଣବ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଅବଗତ କରାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ରେଳଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩ଟି ସ୍ୱତନ୍ତ୍ର ଟ୍ରେନକୁ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ନିୟମିତ ଯାତାୟତକୁ ମଞ୍ଜୁରୀ ଦେଇଛନ୍ତି। ଏହି ୩ଟି ସ୍ୱତନ୍ତ୍ର ଟ୍ରେନ୍ ହେଉଛି ଶାଲିମାର-ଭଞ୍ଜପୁର ସ୍ପେଶାଲ ଟ୍ରେନ,ଭଞ୍ଜପୁର-ପୁରୀ ସ୍ପେଶାଲ ଟ୍ରେନ ଓ ଚାର୍ଲାପଲ୍ଲୀ-ଶାଲିମାର ସ୍ପେଶାଲ ଟ୍ରେନ୍। ଏହି ଟ୍ରେନ ନିୟମିତ ଯାତାୟତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।
ନିଷ୍ପତ୍ତି ଅନୁସାରେ, ଶାଲିମାର-ଭଞ୍ଜପୁର ସ୍ପେଶାଲ ଟ୍ରେନ୍ ଏଣିକି ଶାଲିମାର-ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ନିୟମିତ ଚାଲିବ। ଏହି ଟ୍ରେନ୍ ଜଳଶ୍ୱେର, ବସ୍ତା, ରୂପସା, ଜୁଗପୁରା, ବେତନଟୀ, କୃଷ୍ଣଚନ୍ଦ୍ରପୁର, ଜାମଶୋଳା ଓ ବାରିପଦା ଦେଇ ଗତି କରିବ, ଯାହାଫଳରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଲୋକେ ବିଶେଷ ଉପକୃତ ହେବେ।
ସେହିପରି ଭଞ୍ଜପୁର-ପୁରୀ ସ୍ପେଶାଲ ଟ୍ରେନକୁ ମଧ୍ୟ ନିୟମିତକରଣ କରାଯାଇଛି ଭଞ୍ଜପୁର-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ନାମରେ ନାମିତ କରାଯାଇଛି।
ଚାର୍ଲାପାଲ୍ଲୀ-ଶାଲିମାର ସ୍ପେଶାଲ ଟ୍ରେନକୁ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ନିୟମିତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନଟି ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ୍, ଭଦ୍ରକ ଓ ବାଲେଶ୍ୱର ଭଳି ପ୍ରମୁଖ ଷ୍ଟେସନ ଦେଇ ଯାତାୟତ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
