/odisha-reporter/media/post_attachments/uploads/2021/12/suicide1.jpg)
suicide1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଜଣ ଏକାଠି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏ ଘଟଣା ଆଉ କେଉଁଠି ନୁହେଁ ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଭୁବନେଶ୍ୱର ଲୋୟର ପିଏମଜିରେ ଏହି ଅନଶନରେ ବସିଥିବା ଗାଁ ସାଥୀ ସଂଘର ତିନିଜଣ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତିନି ଜଣ ନିଜ ଉପରେ କିରାସିନି ଢାଳି ନିଆଁ ଲଗାଉଥିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରିଛି।
ପୁଲିସ୍ କାବୁ କରିବା ପରେ ତିନି ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୬୦ ଦିନ ହେଲା ଗାଁ ସାଥି ସଂଘ ଲୋୟର ପିଏମଜିରେ ଅନଶନରେ ବସିଛି। ସ୍ଥାୟୀ ନିଯୁକ୍ତି ଓ ମାସିକ ୮ ହଜାର ଟଙ୍କା ଦରମା ଦାବିରେ ଅନଶନ କରିଆସୁଛନ୍ତି। ହେଲେ ସରକାର ଏଥିପ୍ରତି ତିଳେମାତ୍ର କର୍ଣ୍ଣପାତ କରିନଥିବାରୁ ଆଜି ସଂଘର ତିନିଜଣ ଏପରି ଚରମ ପଦକ୍ଷେପ ନେଇଛନ୍ତି। ସରକାର ତୁରନ୍ତ ଦାବି ଗୁଡିକ ପୂରଣ ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବା ନେଇ ସଂଘ ଚେତାବନୀ ଦେଇଛି।
ଅନଶନରେ ବସିଥିବା ଜଣେ ବ୍ୟକ୍ତି କହିଛନ୍ତି, ମାସିକ ପ୍ରୋତ୍ସାହନ ରାଶି ୮ହଜାର କରିବା ଆମର ମୁଖ୍ୟ ଦାବି। ଆମେ ଗତ ୬୦ ଦିନ ହେଲା ଲୋୟର ପିଏମଜିରେ ଧାରଣାରେ ବସିଛୁ। ତିନି ଦିନ ହେଲାଣି ୨୫ହଜାରରୁ ଅଧିକ ଲୋକେ ଧାରଣାରେ ବସିଛନ୍ତି। କିନ୍ତୁ ସରକାର ଆମ ପ୍ରତି ଟିକେ ବି କର୍ଣ୍ଣପାତ କଲେ ନାହିଁ। ଆମର ଯେଉଁ ମୁଖ୍ୟ ପ୍ରସଙ୍ଗ ଥିଲା, ମନ୍ତ୍ରୀ ସେଥିରେ ରାଜି ହୋଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ କୌଣସି ପ୍ରତିଶ୍ରୁତି ଆମକୁ ମିଳିଲା ନାହିଁ। ଯେଉଁ କାରଣରୁ ଆମର କିଛି ସଦସ୍ୟ ଆଜି ଆତ୍ମାହୁତି ଉଦ୍ୟମ କରିବାକୁ ବାଧ୍ୟ ହୋଇଥିଲେ।
ଧାରଣାରେ ବସିଥିବା ଆଉ ଜଣେ ବ୍ୟକ୍ତି କହିଛନ୍ତି, ସବୁ ପ୍ରତିଶ୍ରୁତି ମିଳିଛି। କିନ୍ତୁ ଏଯାଏ ଲିଖିତ ପ୍ରତିଶ୍ରୁତି ମିଳିନାହିଁ। ତେଣୁ ଆମକୁ ଲିଖିତ ପ୍ରତିଶ୍ରୁତି ମିଳିଲେ, ଆମେ ଧାରଣା ପ୍ରତ୍ୟାହାର କରିବୁ। ଏହାଛଡ଼ା ଆମର ସେକ୍ରେଟାରୀଙ୍କ ସମେତ ୨୦ ସଦସ୍ୟଙ୍କୁ ନେଇଯାଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ତୁରନ୍ତ ଛାଡ଼ିବାକୁ ଆମେ ଦାବି କରୁଛୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
