/odisha-reporter/media/media_files/2026/03/01/rahul-2026-03-01-16-21-41.jpg)
ଭୁବନେଶ୍ୱରର ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯବାନ ଅଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ସଂଗ୍ରାମ କେଶରୀ ବେହେରା (୩୭), ସମରେନ୍ଦ୍ର ବେହେରା (୨୪) ଓ କୁନା ବେହେରା (୨୦)। ଏମାନେ ସମସ୍ତେ ରସୁଲଗଡ଼ର ଜିଜିପି କଲୋନୀରେ ଏକ ଭଡ଼ା ଘରେ ରହୁଥିଲେ। ସଂଗ୍ରାମ ସେନାରେ ଯବାନ ଥିବା ବେଳେ ସମରେନ୍ଦ୍ର ଓ କୁନା ତାଙ୍କର ପୁତୁରା। ସେମାନଙ୍କଠାରୁ ଦୁଇଟି ବାଇକ୍, ତିନିଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଛୁରୀ ଜବତ କରାଯାଇଛି।
ଭୁବନେଶ୍ୱର ଜୋନ୍-୫ ଏସିପିଙ୍କ ସୂଚନା ଅନୁଯାୟୀ, ଘଟଣାଟି ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳର। ରାହୁଲ ଓ ତାଙ୍କ ସାଙ୍ଗ ଶିବା ଜିଜିପି ହାଇସ୍କୁଲ ପଡ଼ିଆରେ ବସିଥିଲେ। ସେତେବେଳେ ସେମାନଙ୍କଠାରୁ କିଛି ଦୂରରେ ଅଭିଯୁକ୍ତମାନେ ବସିଥିଲେ।
ରାହୁଲଙ୍କ ଶିବା କାହା ସହିତ ଫୋନ୍ରେ କଥା ହେଉଥିଲେ। ସେ କଥା ହୋଇ ହୋଇ ଅଭିଯୁକ୍ତମାନେ ବସିଥିବା ସ୍ଥାନ ପାଖାପାଖି ଚାଲି ଯାଇଥିଲେ। ଶିବା ଫୋନ୍ରେ କଥା ହେଲା ବେଳେ ଅଶ୍ଲୀଳ ଭାଷା ପ୍ରୟୋଗ କରୁଥିଲେ। ଏହା ଶୁଣି ସଂଗ୍ରାମ କେଶରୀ ବେହେରା ବିରୋଧ କରିଥିଲେ। ଫଳରେ ଶିବା ଓ ସଂଗ୍ରାମଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା।
ସଂଗ୍ରାମଙ୍କୁ ସମର୍ଥନ କରି ତାଙ୍କର ଦୁଇ ପୁତୁରା ଉଠି ଆସିଥିଲେ ଏବଂ ତିନି ଜଣ ମିଶି ଶିବାକୁ ଆକ୍ରମଣ କରିଥିଲେ। ଏହା ଦେଖି ଶିବାଙ୍କୁ ବଞ୍ଚାଇବାକୁ ସେଠାରେ ପହଞ୍ଚିଥିଲେ ରାହୁଲ। ଅଭିଯୁକ୍ତମାନେ ରାହୁଲଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସଂଗ୍ରାମ ଓ ତାଙ୍କ ବଡ଼ ପୁତୁରା ତାଙ୍କୁ ଧରିଥିବା ଅବସ୍ଥାରେ ତାଙ୍କ ସାନ ପୁତୁରା ଏକ ଛୁରୀରେ ରାହୁଲଙ୍କୁ ଆକ୍ରମଣ କରିଥିଲେ। ସେ ରାହୁଲଙ୍କ ଛାତିରେ ଛୁରୀ ଭୁଷି ଦେଇଥିଲେ।
ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ କୌଣସି ଶତ୍ରୁତା ନଥିଲା। ହଠାତ୍ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ଏହି ଘଟଣା ଘଟାଇଛନ୍ତି ବୋଲି ଏସିପି କହିଛନ୍ତି।
ତିନି ମାସ ତଳେ ବାହା ହୋଇଥିଲେ ରାହୁଲ
ମଞ୍ଚେଶ୍ୱର ଥାନା ଜଗନ୍ନାଥ ନଗରର ରାହୁଲ ମହାରଣା ପଳାସୁଣି ଅଂଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରୁଥିଲେ। ସେ ୨୦୨୫ ନଭେମ୍ବର ୨୫ ତାରିଖରେ ତ୍ରିଷ୍ଣାଙ୍କୁ ବାହା ହୋଇଥିଲେ। ହେଲେ ଗତକାଲି ରାତିରେ ତାଙ୍କର ସୁନାର ସଂସାର ନଷ୍ଟ ହୋଇଯାଇଛି। ରାହୁଲଙ୍କୁ ହରାଇ ଛାତି ଫଟାଇ କାନ୍ଦୁଛନ୍ତି ପତ୍ନୀ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ରାହୁଲଙ୍କ ପତ୍ନୀ।ରାହୁଲ ଥିଲେ ତାଙ୍କର ପରିବାରର ଗୋଟିଏ ପୁଅ। ତାଙ୍କର ଜଣେ ଭଉଣୀ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
