କଳିଙ୍ଗ ଷ୍ଟାଡିୟମ୍‌ କାଉଣ୍ଟରରେ ବ୍ଲାକ୍‌ ହେଲା ହକି ଉଦ୍‌ଘାଟନୀ ସମାରୋହ ଟିକେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱପକ୍‌ ଉଦ୍‌ଘାଟନୀ ସମାରୋହ ଟିକେଟ୍‌ ବ୍ଲାକରେ ବିକ୍ରି ହେଉଥିବାର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ କେଉଁଠି ନୁହେଁ, କଳିଙ୍ଗ ଷ୍ଟାଡିୟମର କାଉଣ୍ଟରରେ ଏପରି ବ୍ଲାକ୍‌ରେ ଟିକେଟ୍‌ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ୫୦୦ ଟଙ୍କାର ଟିକେଟ୍‌କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି କରାଯାଇଛି। ଭିଡିଓରେ ଜଣେ ଦର୍ଶକ ଟିକେଟ୍‌ କାଉଣ୍ଟରରେ ଉଦ୍‌ଘାଟନୀ ସମାରୋହର ଏକ ଟିକେଟ୍‌ […]

two

Rakesh Mallick
  • Published: Wednesday, 28 November 2018
  • , Updated: 28 November 2018, 12:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱପକ୍‌ ଉଦ୍‌ଘାଟନୀ ସମାରୋହ ଟିକେଟ୍‌ ବ୍ଲାକରେ ବିକ୍ରି ହେଉଥିବାର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ କେଉଁଠି ନୁହେଁ, କଳିଙ୍ଗ ଷ୍ଟାଡିୟମର କାଉଣ୍ଟରରେ ଏପରି ବ୍ଲାକ୍‌ରେ ଟିକେଟ୍‌ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ୫୦୦ ଟଙ୍କାର ଟିକେଟ୍‌କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି କରାଯାଇଛି।

ଭିଡିଓରେ ଜଣେ ଦର୍ଶକ ଟିକେଟ୍‌ କାଉଣ୍ଟରରେ ଉଦ୍‌ଘାଟନୀ ସମାରୋହର ଏକ ଟିକେଟ୍‌ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ହେଲେ ଟିକେଟ୍‌ କାଉଣ୍ଟର ଭିତରେ ଥିବା ବାବୁ ଜଣଙ୍କ ଏଥିପାଇଁ ଚଢ଼ା ଦାମ କହୁଛନ୍ତି। ୫୦୦ ଟଙ୍କାର ଟିକେଟ୍‌କୁ ୪୦୦୦ ଦେବାକୁ ଦାବି କରୁଛନ୍ତି। ବଜାରରେ ଆଳୁ, ପିଆଜ ମୂଲଚାଲ ହେବା ପରି ଉଦ୍‌ଘାଟନୀ ସମାରୋହ ଟିକେଟ୍‌ ମଧ୍ୟ ମୂଲଚାଲ ହେଉଛି।

ଟିକେଟ୍‌ ଆଶୟୀ ଜଣଙ୍କ ନିଜକୁ ଛାତ୍ର ବୋଲି ପରିଚୟ ଦେଇ ଗୋଟିଏ ୫୦୦ ଟଙ୍କିଆ ଟିକେଟ ଦେବାକୁ ଅନୁରୋଧ କରୁଛନ୍ତି। ଏଥିପାଇଁ ସେ ପ୍ରଥମେ ୧୦୦୦ ଟଙ୍କା ଦେବାକୁ କହୁଛନ୍ତି। ଏହାପରେ ଆଉ ଟିକେ ବଢ଼ି ୧୫୦୦ ଟଙ୍କା ଦେବାକୁ କହୁଛନ୍ତି। ହେଲେ ଟିକେଟ୍‌ କାଉଣ୍ଟରରେ ବସିଥିବା ବାବୁ ଜଣଙ୍କ ୪୦୦୦ରୁ ଟଙ୍କାଟେ ବି କମ୍‌ କରୁନାହାନ୍ତି। ୮ ଜଣ ଦର୍ଶକ ଏକା ସାଙ୍ଗରେ ଟିକେଟ୍‌ ନେବାକୁ କହି ୧୫୦୦ ଟଙ୍କା ଦାମ କରିବାକୁ ଅନୁରୋଧ କରୁଥିଲେ ମଧ୍ୟ କାଉଣ୍ଟରରେ ବସିଥିବା ବାବୁ କିଛି ଶୁଣୁନାହାନ୍ତି।

କେବଳ କଳିଙ୍ଗ ଷ୍ଟାଡିୟମ ଉଦ୍‌ଘାଟନୀ ସମାରୋହ ନୁହେଁ, କଟକର ବାରବାଟୀ ଷ୍ଟାଡିୟମରେ ଆଜି ହେବାକୁ ଥିବା ସମାରୋହ ପାଇଁ ମଧ୍ୟ ବ୍ଲାକରେ ଟିକେଟ୍‌ ବିକିବାକୁ ମୂଲଚାଲ କରାଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଏପରିକି ବାବୁ ଜଣଙ୍କ ଉକ୍ତ ଦର୍ଶକଙ୍କୁ କେଉଁଠି ରହୁଛ ବୋଲି ପଚାରି ତାଙ୍କ ଘର ଠିକଣା ବୁଝୁଛନ୍ତି ଓ ସେ ବି ଆଖପାଖରେ ରହୁଛନ୍ତି କହି ଘରକୁ ଆସି ଟିକେଟ୍‌ ନେଇଯିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

https://youtu.be/eLRoVRirA-Q

ଉଦ୍‌ଘାଟନୀ ସମାରୋହର ଟିକେଟ୍‌ ନଭେମ୍ବର ୧୫ ତାରିଖରେ କାଉଣ୍ଟରରେ ବିକ୍ରି କରାଯିବ ବୋଲି କ୍ରୀଡ଼ା ସଚିବ ସଚିବ ବିଶାଲ ଦେବ ଘୋଷଣା କରିଥିଲେ। ୧୪ ତାରିଖ ରାତିରୁ ଦର୍ଶକମାନେ ଟିକେଟ୍‌ ଆଗରେ କାଉଣ୍ଟର ଆଗରେ ଲମ୍ବା ଲାଇନ୍‌ ଲଗାଇଥିଲେ। ହେଲେ କାଉଣ୍ଟର ଖୋଲି ନଥିଲା କି ଟିକେଟ୍‌ ବିକ୍ରି ହୋଇ ନଥିଲା। ଏହାପରେ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି କରାଯିବାକୁ ଘୋଷଣା କରାଗଲା। କେଉଁ ସାଇଟ୍‌ରେ ଟିକେଟ୍‌ ଉପଲବ୍ଧ ହେବ ତାହା ମଧ୍ୟ ଜଣାଗଲା। ହେଲେ ଠିକଣା ଦିନ ନା ସାଇଟ୍‌ ଖୋଲିଲା, ନା ଟିକେଟ୍‌ ମିଳିଲା। ଏଠାରେ ବି ବହୁ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ହେଲେ ଦାୟିତ୍ୱରେ ଥିବା ବାବୁମାନେ ଟିକେଟ୍‌ ବିକ୍ରି ନକରି ଏହାକୁ ହଡ଼ପ କରି ଏବେ ଖୋଲାଖୋଲି ବ୍ଲାକ୍‌ରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଏବେ ପ୍ରଶ୍ନ ଉଠୁଛି, ଯଦି ଉଦ୍‌ଘାଟନୀ ସମାରୋହର ଟିକେଟ୍‌ ସରିଯାଇଥିଲା, ତେବେ ଗତକାଲି କାଉଣ୍ଟରରେ କେମିତି ବିକ୍ରି ହେଲା ? କାଉଣ୍ଟର ଭିତରେ ଥାଇ ଟିକେଟ୍‌ ବିକ୍ରି କରୁଥିବା ଏହି ବାବୁ ଜଣଙ୍କ କିଏ ? କାହା ଇଙ୍ଗିତରେ ବାବୁ ଜଣଙ୍କ ଏପରି ଖୁଲମଖୁଲା ବ୍ଲାକ୍‌ କରୁଛନ୍ତି ? ତାହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ଉଠିବାରେ ଲାଗିଛି।

Related story