/odisha-reporter/media/media_files/2026/01/24/tiger-2026-01-24-15-51-20.jpg)
Photograph: (ମୃତ ବାଘ)
କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧୀନ ଅନନ୍ତପ୍ରସାଦ ଗାଁରେ ମଣିଷ ସହ ଲଢ଼େଇରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ନିଜ ଜୀବନ ବଞ୍ଚାଇବା ପାଇଁ ବାଘ ସହିତ ସଂଘର୍ଷ କରି ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ଶୁଭ୍ରାଂଶୁ ଭୋଳ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ଶୁଭ୍ରାଂଶୁ ତାଙ୍କ ଫାର୍ମ ହାଉସ୍ରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସେ କୁକୁର ଭୋକୁଥିବା ଶୁଣି ଦ୍ୱାର ଫିଟାଇବା ମାତ୍ରେ କଲରାପତରିଆ ବାଘଟି ତାଙ୍କୁ ଆକ୍ରମଣ କରିଥିଲା। ଘର ଭିତରେ ବାଘ ତାଙ୍କୁ ରାମ୍ପୁଡ଼ି ଚାଲିଥାଏ। ସେ ନିଜ ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କରୁଥା’ନ୍ତି। ବାଘ ସହିତ ସଂଘର୍ଷ ବେଳେ ଶୁଭ୍ରାଂଶଙ୍କ ନିଜର ପଡ଼ିଲା ବାସନ ଷ୍ଟାଣ୍ଡରେ ରଖାଯାଇଥିବା ପରିବା କଟା ଛୁରୀ ଉପରେ। ସେ ସେହି ଛୁରୀରେ ବାଘକୁ ଆକ୍ରମଣ କରିଥିଲେ। ବାଘ ତାଙ୍କୁ ରାମ୍ପୁଡ଼ି ଚାଲିଥିବା ବେଳେ ସେ ଛୁରୀରେ ବାଘକୁ ଭୁଷି ଚାଲିଥିଲେ। କିଛି ସମୟ ପରେ ବାଘ ନିସ୍ତେଜ ହୋଇ ତଳେ ପଡ଼ିଯାଇଥିଲା। ତା’ପରେ ଶୁଭ୍ରାଂଶୁ ଘରର ଅନ୍ୟ ଏକ ରୁମ୍କୁ ଚାଲି ଯାଇ ଦ୍ୱାର ବନ୍ଦ କରି ଦେଇଥିଲେ ଓ ତାଙ୍କ ବାପାଙ୍କୁ ଫୋନ୍ କରି ୧୦୮ ଆମ୍ବୁଲାନ୍ସ ଧରି ଆସିବା ପାଇଁ କହିଥିଲେ।
ଘଟଣା ସଂପର୍କରେ ବନ ବିଭାଗକୁ ଫୋନ୍ କରି ଅବଗତ କରାଯାଇଥିଲା। ବନ ବିଭାଗ କର୍ମଚାରୀ ପହଞ୍ଚି ମୃତ ବାଘଟିକୁ ଜବତ କରିଥିଲେ। ବନ ବିଭାଗ ପକ୍ଷରୁ ଶୁଭ୍ରାଂଶୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଜଣାପଡ଼ିଛି।
ଶୁଭ୍ରାଂଶୁଙ୍କ ବାପା ସୁଦର୍ଶନ ଭୋଳ କହିଛନ୍ତି, ଆମେ ସ୍ୱାମୀସ୍ତ୍ରୀ ଗୁରୁଜାଙ୍ଗ ଗାଁକୁ ରାମଲୀଳା ଦେଖିବାକୁ ଯାଇଥିଲୁ। ରାତି ପ୍ରାୟ ଗୋଟାଏ ବେଳେ ପୁଅ ମୋତେ ଫୋନ୍ କରିଥିଲା ଓ ୧୦୮ ଆମ୍ବୁଲାନ୍ସ ଧରି ଶୀଘ୍ର ଫାର୍ମ ହାଉସ୍ରେ ପହଞ୍ଚିବାକୁ କହିଥିଲା। କିନ୍ତୁ କାରଣ କହି ନଥିଲା। ବାରମ୍ବାର ପଚାରିବା ପରେ ସେ କହିଥିଲା ଯେ ଘରେ ବାଘ ପଶି ତାକୁ କାମୁଡ଼ି ଦେଇଛି ଓ ସେ ବାଘକୁ ମାରି ଦେଇଛି। ଏହା ପରେ ମୁଁ ଆମ୍ବୁଲାନ୍ସ ନେଇ ଫାର୍ମ ହାଉସ୍ରେ ପହଞ୍ଚିଥିଲି। ପୁଅର ଦେହ ସାରା କ୍ଷତାକ୍ତ ହୋଇଛି। ହାତ, ଗୋଡ଼, ମୁଣ୍ଡ ସବୁଠି ବାଘ ରାମ୍ପୁଡ଼ି ଦେଇଛି। ଡାହାଣ ହାତର କାଣି ଆଙ୍ଗୁଠି ଅଧିକ କ୍ଷତାକ୍ତ ହୋଇଛି।
ଆଠଗଡ଼ ଏସିଏଫ ମନୋଜ ପାତ୍ର କହିଛନ୍ତି, ଶୁଭ୍ରାଂଶୁ ଭୋଳଙ୍କୁ ବନ ବିଭାଗ ତରଫରୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାର ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
