ଫାସରେ ଫସୁନି ବାଘୁଣୀ: ପ୍ରଶାସନ ଡାଳେ ଡାଳେ ତ ‘ସୁନ୍ଦରୀ’ ପତରେ ପତରେ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ପ୍ରଶାସନ ଡାଳେ ଡାଳେ ଗଲେ ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’ ପତରେ ପତରେ ଯାଉଛି। ଏମିତି ଲାଗୁଛି, ପ୍ରଶାସନର ସବୁ ଚାଲ୍‌ ତାକୁ ମାଲୁମ୍‌। ତାକୁ ଧରିବାକୁ ପ୍ରଶାସନ ଯେତେ ପ୍ରକାର ଫନ୍ଦି ଆପଣାଇଲେ ବି ଫେଲ୍‌ ମାରୁଛି। ଜଙ୍ଗଲରେ ଏ ସ୍ଥାନରୁ ସେ ସ୍ଥାନକୁ ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ବୁଲାଇବାରେ ଲାଗିଛି ସୁନ୍ଦରୀ। ତିନି ତିନି ଥର ଟ୍ରାଙ୍କୁଲାଇଜ୍‌ କରିବା ପ୍ରୟାସ ବିଫଳ ହେବା ପରେ ପ୍ରଶାସନର ମଧ୍ୟ ଚିନ୍ତା […]

sundari

sundari

Rakesh Mallick
  • Published: Thursday, 25 October 2018
  • Updated: 25 October 2018, 09:59 AM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ପ୍ରଶାସନ ଡାଳେ ଡାଳେ ଗଲେ ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’ ପତରେ ପତରେ ଯାଉଛି। ଏମିତି ଲାଗୁଛି, ପ୍ରଶାସନର ସବୁ ଚାଲ୍‌ ତାକୁ ମାଲୁମ୍‌। ତାକୁ ଧରିବାକୁ ପ୍ରଶାସନ ଯେତେ ପ୍ରକାର ଫନ୍ଦି ଆପଣାଇଲେ ବି ଫେଲ୍‌ ମାରୁଛି। ଜଙ୍ଗଲରେ ଏ ସ୍ଥାନରୁ ସେ ସ୍ଥାନକୁ ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ବୁଲାଇବାରେ ଲାଗିଛି ସୁନ୍ଦରୀ।

ତିନି ତିନି ଥର ଟ୍ରାଙ୍କୁଲାଇଜ୍‌ କରିବା ପ୍ରୟାସ ବିଫଳ ହେବା ପରେ ପ୍ରଶାସନର ମଧ୍ୟ ଚିନ୍ତା ବଢ଼ି ଯାଇଛି। କେମିତି ସୁନ୍ଦରୀକୁ କାବୁ କରାଯିବ ? କେଉଁ ଉପାୟ ଆପଣାଇଲେ ସୁନ୍ଦରୀ ଫସିବ, ସେହି ଚିନ୍ତା ଏବେ ଘାରିବାରେ ଲାଗିଛି। ହେଲେ ଲାଗୁଛି, ପ୍ରଶାସନର କୌଣସି ବି ଫାସରେ ନ ଫସିବାକୁ ଯେମିତି ସୁନ୍ଦରୀ ମନ ସ୍ଥିର କରି ନେଇଛି।

ମଙ୍ଗଳବାର ଆରମ୍ଭ ହୋଇଥିଲା ସୁନ୍ଦରୀ ବିରୋଧରେ ‘ଅପରେସନ୍‌ ଟ୍ରାଙ୍କୁଲାଇଜ୍‌’ ଅଭିଯାନ। ଦିନ ବେଳା ହୋଇଥିବା ପ୍ରଥମ ପ୍ରୟାସ ହୋଇଯାଇଥିଲା ବିଫଳ। ସ୍ଥିର ହୋଇଥିଲା ରାତିରେ ଧରା ହେବ ସୁନ୍ଦରୀ। ତା’ର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଥିଲା। କୁମୁରି ଓ ବାଘମୁଣ୍ଡା ଗାଁ ମଝି ଜଙ୍ଗଲରେ ସୁନ୍ଦରୀ ଥିବା ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ରାତିରେ ଏକ ଛେଳି ବାନ୍ଧି ବାଘୁଣୀକୁ ପ୍ରଲୋଭିତ କରିବାକୁ ପ୍ରୟାସ କରାଯାଇଥିଲା। ହେଲେ ସବୁ ପ୍ରୟାସରେ ପାଣି ମିଳାଇ ଦେଇ ସୁନ୍ଦରୀ ସେଠାରୁ ଗାଏବ ହୋଇଯାଇଥିଲା।

ପୂରା ରାତି ଅନିଦ୍ରା ସତ୍ତ୍ୱେ ଚକମା ଦେଖାଇ ପଳାଇଥିଲା ସୁନ୍ଦରୀ। ଗତକାଲି ବୁଧବାର ସକାଳେ ସୁନ୍ଦରୀ ବାଘମୁଣ୍ଡା ଗାଁ ପାଖ ପାହାଡ଼ ତଳେ ଥିବା ଜଣାପଡ଼ିବା ପରେ ଟ୍ରାଙ୍କୁଲାଇଜ୍‌ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ରାତି ହେବାକୁ ଅପେକ୍ଷା କରାଗଲା। ଗଛରେ ମଞ୍ଚା ବାନ୍ଧି ଟ୍ରାଙ୍କୁଲାଇଜ୍‌ ଟିମ୍‌ ସଜାଗ ହୋଇ ରହିଥିଲେ। ସୁନ୍ଦରୀକୁ ପ୍ରଲୋଭିତ କରିବାକୁ ଏକ ଛେଳି ମଧ୍ୟ ବନ୍ଧା ଯାଇଥିଲା। ହେଲେ ଫଳ କିଛି ହେଲା ନାହିଁ। ସେଠାରେ ବି ପ୍ରଶାସନକୁ ଭୂଆଁ ବୁଲାଇବାରେ ସୁନ୍ଦରୀ ସଫଳ ହେଲା ଓ ପୁଣି ଗାଏବ ହୋଇଗଲା।

ବାରମ୍ବାର ବିଫଳ ପ୍ରୟାସ ପରେ OUAT ବିଶେଷଜ୍ଞ ଟିମ୍‌ ଫେରି ଯାଇଥିବା ସୂଚନା ମିଳିଛି। ତେବେ ‘ମିଶନ ଟ୍ରାଙ୍କୁଲାଇଜ୍’ ବନ୍ଦ ହୋଇନାହିଁ। ଆଉ ଏକ ଟିମ୍‌କୁ ନେଇ ଚତୁର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି।

ଗତକାଲି ବାଘମୁଣ୍ଡା ଡେଇଁବା ପରେ ସୁନ୍ଦରୀ ଏବେ ଛାଞ୍ଚୁଣୀଆ ଜଙ୍ଗଲରେ ଥିବା ସୂଚନା ମିଳିଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼ ଚାରିପଟେ ଅନ୍ୟ ଏକ ଟିମ୍ ସଜାଗ ଅଛି। ତାକୁ ଧରିବାକୁ ବନ ବିଭାଗ ପକ୍ଷରୁ ୫୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଅନ୍ୟପକ୍ଷରେ ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ଲୁଚକାଳି ଖେଳୁଥିବା ସୁନ୍ଦରୀକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆହୁରି ଆତଙ୍କିତ ହୋଇଯାଇଛନ୍ତି। ମଣିଷ ମାରିବା ପରେ ସୁନ୍ଦରୀକୁ ନେଇ ଅଞ୍ଚଳରେ ଉତ୍ତେଜନା ଉଗ୍ର ରୂପ ନେଇଥିଲା। ଲୋକେ ରାସ୍ତା ଅବରୋଧ କରିବା ସହ ନିଜର ଅସନ୍ତୋଷ ପୁଲିସ୍‌ ଉପରେ ଜାହିର କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡ଼ରେ ତିନି ଜଣ ପ୍ରଶାସନିକ ଅଧିକାରୀ ଆହତ ହୋଇଥିଲେ। ଶେଷରେ ପୁଲିସ୍‌କୁ ମୃଦୁ ଲାଠିଚାଳନା ଓ ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos