/odisha-reporter/media/media_files/2026/02/06/quarter-2026-02-06-18-49-39.jpg)
ସରକାର ଦେବେ ଭଡ଼ାଘର। ସହରରେ ଘରଭଡ଼ା ଟେନସନରୁ ମିଳିବ ମୁକ୍ତି । ଆଉ ରହିବନି ଝିଞ୍ଜଟ କି ଭଡ଼ା ଦେଉଥିବା ମାଲିକମାନଙ୍କ ଦୌରାତ୍ମ୍ୟ। ସହରାଞ୍ଚଳରେ ଆପଣ ଅତି ସୁଲଭ ଦରରେ ପାଇ ପାରିବେ ଭଡ଼ା ଘରଟିଏ। ଆପଣ ରହୁଥିବା ଲୋକେସନରେ ଯଦି ସରକାରୀ ଘର ଖାଲି ଅଛି ତେବେ ମିଳିପାରିବ ଏହି ଭଡ଼ା ଘର। ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗୃହ, କୃଷି, ଶକ୍ତି, ଅର୍ଥ, ଖାଦ୍ୟଯୋଗାଣ, ମହିଳା ଓ ଶିଶୁକଲ୍ୟାଣ, ପଞ୍ଚାୟତିରାଜ, ଅନୁସୂଚିତଜାତି ଓ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠିଲେଖିଛନ୍ତି ଗୃହ ଏବଂ ନଗରଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମଏୟୁ 2.0 ଅଧିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଖାଲି ଓ ଅବ୍ୟବହୃତ ଘରଗୁଡିକୁ ଚିହ୍ନଟ କରି ସେଗୁଡିକୁ ସୁଭଲ ଦରରେ ଭଡ଼ା ଆକାରରେ ଦିଆଯିବ । ଏହି ଯୋଜନାରେ ପ୍ରଥମେ ଭଡ଼ା ନିର୍ଦ୍ଧାରଣ ସ୍ଥାନୀୟ କର୍ତ୍ତୃପକ୍ଷ ଦ୍ୱାରା କରାଯିବ। ପରବର୍ତ୍ତୀ ସମୟରେ ପ୍ରତି ଦୁଇ ବର୍ଷରେ ୮ ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି କରାଯାଇପାରିବ, ଯାହା ୫ବର୍ଷ ମଧ୍ୟରେ ସର୍ବାଧିକ ୨୦ ପ୍ରତିଶତରୁ ଅଧିକ ହେବ ନାହିଁ। ତେବେ ସମସ୍ତେ ଏହି ଘର ଭଡ଼ା ଯୋଜନାର ଫାଇଦା ନେଇପାରିବେନି।
ଗରିବ ଶ୍ରେଣୀର ଲୋକ ହିଁ ଏହାର ଫାଇଦା ନେବେ। ବିଶେଷ କରି ଇକୋନମିକ୍ ଓ୍ବିକର ସେକସନ୍ ଲୋକେ ଏହା ଦ୍ବାରା ଉପକୃତ ହେବେ। ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପା ନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀ, କର୍ମ ଜୀବୀ ମହିଳାମାନଙ୍କୁ ସରକାର ଭଡ଼ାରେ ଘର ଦେବେ । ବିଭିନ୍ନ କାମ ଅନ୍ବେଷଣରେ ସହରକୁ ଆସୁଥିବା ଲୋକମାନେ ଅନେକ ସମୟରେ ଘର ପାଆନ୍ତିନି। ଏଥିପାଇଁ ସହାଞ୍ଚଳରେ ବସ୍ତି ଗଢି ଉଠେ। ଯେଉଁ ମାନେ ତୁରନ୍ତ ଘର କିଣିବା ଅବସ୍ଥାରେ ନାହାଁନ୍ତି, ସେମାନଙ୍କ ପାଇଁ ଭଡ଼ା ମାଧ୍ୟମରେ ସୁଲଭଗୃହ ସୁବିଧା ଯୋଗାଇ ଦେବେ ସରକାର। ଏହା ଫଳରେ ସହରାଞ୍ଚଳରେ ଅସ୍ଥାୟୀ ଓ ଅସୁରକ୍ଷିତ ବାସସ୍ଥାନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଶ୍ରମଜୀବୀ ପରିବାରମାନଙ୍କ ଜୀବନ ଅଧିକ ସୁଖମୟ ହୋଇପାରିବ।
ଏହି ପଦକ୍ଷେପ ମାଧ୍ୟମରେ ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ଉପଯୋଗୀକରି ସରକାର ଦୀର୍ଘକାଳୀନ ଭଡ଼ା ଆୟ ସୃଷ୍ଟି କରିପାରିବେ । ଏହା ସହ ସହରାଞ୍ଚଳରେ ବସ୍ତି ସମସ୍ୟା ହ୍ରାସପାଇବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ଯୋଜନାରେ ଶ୍ରମିକ ଓ ପ୍ରବାସୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
