ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ । ୧୨ ଦଫା ଦାବି ନେଇ ଗତକାଲି ଏବଂ ଆଜି ୨ ଦିନିଆ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
ଗତକାଲି ଭାରତ ବନ୍ଦର ସାମାନ୍ୟ ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱର ବନ୍ଦ ଦ୍ୱାରା ବେଶି ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ବିଭିନ୍ନ ଶ୍ରମିକ ସଂଗଠନର ସଦସ୍ୟ ପିକେଟିଂ କରି ବନ୍ଦ ସଫଳ କରିବାକୁ ପ୍ରୟାସ କରିଥିଲେ। ବନ୍ଦ ଯୋଗୁଁ ଟ୍ରେନ ଓ ବସ୍ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।
ଭୁବନେଶ୍ୱର ଷ୍ଟେସନରେ ଶ୍ରମିକ ସଂଘର କର୍ମକର୍ତ୍ତା ପହଞ୍ଚି ରେଳ ରୋକ କରିଥିଲେ । ସେହିପରି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ବନ୍ଦ ସଫଳ କରିବାକୁ ଚେଷ୍ଟା କରିଥିଲେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଘ ।
କେବଳ ରାଜଧାନୀ ନୁହେଁ ପ୍ରମୁଖ ସହର କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଏବଂ ବଲାଙ୍ଗିରରେ ମଧ୍ୟ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା ବନ୍ଦ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସାଧାରଣ ଜନଜୀବନ ବ୍ୟାହତ ହୋଇଥିଲା ।