ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼

ପୁରୀ (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ିକୁ କାଳିମାଡ଼ କରାଯାଇଛି। ତେବେ ଟମାଟୋ ମାଡ଼ କିଏ କରିଛି, ତାହା ସ୍ପଷ୍ଟ ହୋଇନି। ସମ୍ବିତ ପାତ୍ର ସିଂହଦ୍ୱାରରୁ ସର୍କିଟ୍ ହାଉସ୍ ଯାଉଥିବା ବେଳେ ବଳଗଣ୍ଡି ଛକରେ ତାଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଦୁଇ ଜଣ ଯୁବକ ଟମାଟୋ ଫୋପାଡ଼ି ଥିଲେ। ପରେ ଶ୍ରୀ […]

Sambit Patra

Jitendra Garnayak
  • Published: Wednesday, 11 May 2022
  • , Updated: 11 May 2022, 07:48 PM IST

ପୁରୀ (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ିକୁ କାଳିମାଡ଼ କରାଯାଇଛି। ତେବେ ଟମାଟୋ ମାଡ଼ କିଏ କରିଛି, ତାହା ସ୍ପଷ୍ଟ ହୋଇନି।

ସମ୍ବିତ ପାତ୍ର ସିଂହଦ୍ୱାରରୁ ସର୍କିଟ୍ ହାଉସ୍ ଯାଉଥିବା ବେଳେ ବଳଗଣ୍ଡି ଛକରେ ତାଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଦୁଇ ଜଣ ଯୁବକ ଟମାଟୋ ଫୋପାଡ଼ି ଥିଲେ। ପରେ ଶ୍ରୀ ପାତ୍ର ସର୍କିଟ୍ ହାଉସ୍‌ରୁ ଭୁବନେଶ୍ୱର ଫେରୁଥିବା ବେଳେ ଝାଡ଼େଶ୍ୱରୀ କ୍ଲବ୍ ନିକଟରେ ଛାତ୍ର କଂଗ୍ରେସ ସଦସ୍ୟମାନେ ତାଙ୍କ ଗାଡ଼ି ଉପରେ କାଳିମାଡ଼ କରିଥିଲେ। ଏହା ସହିତ ଛାତ୍ର କଂଗ୍ରେସ କର୍ମୀମାନେ ତାଙ୍କ ଗାଡ଼ିକୁ ଘେରି ନାରାବାଜି କରିଥିଲେ। ସେମାନେ ସମ୍ବିତ ପାତ୍ର ଗୋ-ବ୍ୟାକ୍‌ ବୋଲି ନାରା ଦେଇଥିଲେ।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦରଦାମରେ ଅହେତୁକ ବୃଦ୍ଧି, ବେକାର ଯୁବକଯୁବତୀମାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତ ସୁଯୋଗ ଦେବା ନେଇ ଦେଇଥିବା ପ୍ରତିଶୁତି ପାଳନ ନ କରିବା ତଥା ଆଜି ସମ୍ବିତ ପାତ୍ର ଶ୍ରୀମନ୍ଦିରକୁ ଯିବା ବେଳେ ଯେପରି ଭାବେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ କଣ୍ଢେଇ ପରି ଧରିଥିଲେ ତା’ର ପ୍ରତିବାଦରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରାଯାଇଛି। କାଳିମାଡ଼ ସହିତ ଅଣ୍ଡାମାଡ଼ ମଧ୍ୟ କରାଯାଇଥିବା ସେମାନେ କହିଛନ୍ତି।

ସୋମବାର ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ଅନୁମତି ଦିଆଯାଇ ନଥିବା କୁହାଯିବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗତକାଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଉପରେ ଖୁବ୍ ବର୍ଷିଥିଲେ। ଏହା ପରେ ଆଜି ସେ ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଆଜି ମଧ୍ୟ ସେ ଏଠାରେ ଗଣମାଧ୍ୟମ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ଜିଦ୍‌ଖୋର ମନୋବୃତ୍ତି ସାଙ୍ଗକୁ କଳା ପାହାଡ଼ିଆ ମାନସିକତା ଛାଡ଼ିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ କାର୍ଯ୍ୟ ଓଡ଼ିଆ ଜାତିକୁ ବାଧିଛି ବୋଲି ସେ କହିଥିଲେ। ତା’ସହିତ ରାଜ୍ୟ ସରକାର ଓ ପୁରୀ ସାଂସଦଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସମ୍ବିତ ପାତ୍ର କହିଥିଲେ।

https://www.youtube.com/watch?v=VLwtjlMYN7o

Related story