Advertisment

ରାଜଧାନୀରେ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ନିର୍ଯାତନା

ସର୍ବେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଗତ ୪ ଦିନ ହେଲା ଆଇସିୟୁରେ ରଖାଯାଇଛି।

author-image
Manoranjan Sial
Representative image

Representative image

ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ନିଶା ଛଡ଼ାଇବା ନାଁରେ ଜଣେ ବ୍ୟକ୍ତିଙ୍କୁ ପ୍ରବଳ ମାଡ଼ ମରାଯାଇଛି। ଯେଉଁଥିପାଇଁ ସେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ପଥର ବନ୍ଧ ବସ୍ତିର ସର୍ବେଶ୍ଵର ବେହେରାଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକେ ଗତ ୨୭ ତାରିଖରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ସେଥିପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ୭ ହଜାର ଟଙ୍କା ପ୍ରଦାନ କରିଥିଲେ। ସେଠାରେ କିଛି ଦିନ ରହିବା ପରେ ତାଙ୍କ ଉପରେ ନର୍ଯାତନା ଆରମ୍ଭ ହୋଇଥିଲା। ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା। ଯେଉଁଥିପାଇଁ ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି।

ସର୍ବେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଗତ ୪ ଦିନ ହେଲା ଆଇସିୟୁରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ଚେତା ଫେରିନଥିବା ଅଭିଯୋଗ ହୋଇଛି। ପରିବାର ଲୋକ ଏନେଇ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ଏନେଇ ସାଇକୃପା ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ନିଶା ନିବାରଣ କେନ୍ଦ୍ର ମାଡ଼ ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ରାଜଧାନୀରେ ଏପରି ଘଟଣା ଘଟିଛି। ନିଶା ନିବାରଣ କେନ୍ଦ୍ରରେ ବାରମ୍ୱାର ଏପରି ଘଟଣା ଘଟୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Bhubaneswar